ନୂଆଦିଲ୍ଲୀ,୧୮।୧୧: ଦିଲ୍ଲୀର ୪ ଜିଲ୍ଲା କୋର୍ଟକୁ ମଙ୍ଗଳବାର ବୋମା ବିସ୍ଫୋରଣ କରି ଉଡାଇବାର ଧମକ। ଏହାପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ଦିଆଯାଇଛି। ସାକେତ, ଦ୍ବାରକା, ପଟିୟାଲା ହାଉସ ଓ ରୋହିଣୀ କୋର୍ଟକୁ ତୁରନ୍ତ ଖାଲି କରି ତଲାସୀ ଅଭିଯାନ ଚାଲିଥିଲା। ବମ୍ ଧମକ କାରଣରୁ କୋର୍ଟ କାର୍ଯ୍ୟାନୁଷ୍ଠାନ ତୁରନ୍ତ ରୋକି ଦିଆଯାଇଥିଲା। ସବୁ ବିଚାରପତି,ଓକିଲ,କର୍ମଚାରୀ ଓ ଆଗନ୍ତୁକଙ୍କୁ ତୁରନ୍ତ ବିଲ୍ଡିଂରୁ ବାହାର କରି ଦିଆଯାଇଥିଲା। ବମ୍ ନିରୋଧି ଦଳ ଓ ସୁରକ୍ଷାକର୍ମୀ ପୁରା ପରିସରକୁ ଯାଞ୍ଚ କରିଥିଲେ।

ସୁରକ୍ଷା ଯାଞ୍ଚ ପୁରା ହେବା ପରେ ମଧ୍ୟାହ୍ନ ଭୋଜନ ପରେ କୋର୍ଟ କାର୍ଯ୍ୟାନୁଷ୍ଠାନ ପୁଣିଥରେ ଆରମ୍ଭ କରିବାର ଅନୁମତି ମିଳିପାରେ। ସାକେତ କୋର୍ଟ ବାର ଆସୋସିଏସନ୍ ସଚିବ, ଅନିଲ ବସୋୟା କୋର୍ଟର ଓକିଲ ଏବଂ ଅନ୍ୟ କର୍ମଚାରୀଙ୍କୁ ଆଗାମୀ ଦୁଇ ଘଣ୍ଟା କାର୍ଯ୍ୟ ବନ୍ଦ କରିବାର ସୂଚନା ଦେଇଥିଲେ। ତେବେ ଏହା ପ୍ରଥମ ଥର ନୁହେଁ, ଯେତେବେଳେ ଦିଲ୍ଲୀର କୋର୍ଟକୁ ଏଭଳି ଧମକ ସାମନା କରିବାକୁ ପଡିଛି। ସେପ୍ଟେମ୍ବରରେ ଦିଲ୍ଲୀ ହାଇକୋର୍ଟକୁ ମଧ୍ୟ ବମ୍‌ରେ ଉଡାଇବାର ଏକ ଇମେଲ ମିଳିଥିଲା, ଯାହାକି ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦ ନାଁରେ ଆସି ଏହାପରେ ବିଚାରପତିଙ୍କୁ ହଠାତ କୋର୍ଟ କାର୍ଯ୍ୟ ଛାଡିବାକୁ ପଡିଥିଲା। ଏହାପରେ କୋର୍ଟ ପରିସରକୁ ଖାଲି କରାଯାଇଥିଲା। ଏହି ଘଟଣା କୋର୍ଟଙ୍କ ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରିଛି।

ଅନ୍ୟପକ୍ଷେ ରୋହିଣୀ ଓ ପଟିୟାଲା ହାଉସ କୋର୍ଟରେ ତଲାସର ଅଭିଯାନ ଜାରି ରହିଛି। ଜାତୀୟ ତଦନ୍ତକାରୀ ଏଜେନ୍ସି ଦ୍ବାରା ଅଭିଯୁକ୍ତ ଜସିର ବିଲାଲ ଓରଫ୍ ଦାନିଶଙ୍କ ହାଜର ପୂର୍ବରୁ ପଟିୟାଲା ହାଉସ କୋର୍ଟରେ ବମ୍ ନିରୋଧି ଟିମ୍ ଓ ଡଗ୍ ସ୍କ୍ବାର୍ଡଙ୍କ ଟିମ୍ ଯାଞ୍ଚ କରୁଛି। ନୂଆଦିଲ୍ଲୀ ବାର ଆସୋସିଏସନ୍ ଉପାଧ୍ୟକ୍ଷ, ଆଡଭୋକେଟ୍ ନଭନୀତ ପାଓ୍ବାର ୪ ଜିଲ୍ଲା କୋର୍ଟଙ୍କୁ ମିଳିଥିବା ବମ୍ ଧମକ ପରେ ଇମେଲରେ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ସକାଳେ ଇମେଲ ଜରିଆରେ ସାକେତ ଓ ପଟିୟାଲା ହାଉସ ସମେତ ବହୁ କୋର୍ଟର ଜିଲ୍ଲା ଜଜ୍‌ଙ୍କୁ ବମ୍ ଧମକ ମିଳିଥିଲା। ସେଭଳି ଦିଲ୍ଲୀର ଦୁଇଟି କେନ୍ଦ୍ରୀୟ ରିଜର୍ଭ ପୁଲିସ ସ୍କୁଲକୁ ବମ୍‌ରେ ଉଡାଇବାର ଧମକପୂର୍ଣ୍ଣ ଇ-ମେଲ୍ ମିଳିଥିଲା। ଏହାପରେ ଆତଙ୍କ ଖେଳି ଯାଇଥିଲା। ଏହାପରେ ପୁଲିସ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଁଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି।