ନୂଆଦିଲ୍ଲୀ,୦୯/୦୭: ଇଣ୍ଡିଗୋ ବିମାନର ଜରୁରୀ ଅବତରଣ। ବିହାର ପାଟନାରୁ ନୂଆଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନର ଏମର୍ଜେନ୍ସି ଲ୍ୟାଣ୍ଡିଂ । ପକ୍ଷୀ ମାଡ଼ ହେବା ଯୋଗୁ ଜରୁରୀକାଳୀନ ଅବତରଣ କରାଯାଇଛି । ଏଥିରେ ଯାତ୍ରା କରୁଥିବା ୧୬୯ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଜୟ ପ୍ରକାଶ ନାରାୟଣ ଅନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇ ଦିଆଯାଇଛି । ବର୍ତ୍ତମାନ ବିମାନର କ୍ଷୟକ୍ଷତି ଯାଞ୍ଚ କରାଯାଉଛି ।
ସୂଚନା ଅନୁଯାୟୀ, ବିହାରର ରାଜଧାନୀ ପାଟନାରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ୫୦୦୯ ବିମାନରେ ପକ୍ଷୀ ମାଡ଼ ହେବା ଯୋଗୁଁ ଜରୁରୀକାଳୀନ ଅବତରଣ ହୋଇଛି। ପାଟନା ବିମାନବନ୍ଦର ଅଧିକାରୀଙ୍କ ଅନୁଯାୟୀ, ଇଣ୍ଡିଗୋ ବିମାନଟି ସକାଳ ପ୍ରାୟ ୯ଟା ୩୦ରେ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ଉଡ଼ାଣ ଭରିବାର କିଛି ମିନିଟ୍ ପରେ, ବିମାନଟି ପ୍ରାୟ ୩,୦୦୦ ରୁ ୪,୦୦୦ ଫୁଟ୍ ଉଚ୍ଚତାରେ ଥିବା ବେଳେ ଏକ ପକ୍ଷୀ ସହିତ ଧକ୍କା ହୋଇଥିଲା। ପକ୍ଷୀ ମାଡ ଯୋଗୁଁ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖବାକୁ ମିଳିଥିଲା । ପାଇଲଟ୍ ତୁରନ୍ତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର୍ ସହିତ ଯୋଗାଯୋଗ କରି ଜରୁରୀକାଳୀନ ଅବତରଣ ପାଇଁ ଅନୁମତି ମାଗିଥିଲେ । ସକାଳ ୧୦ ଟାରେ ବିମାନଟି ସୁରକ୍ଷିତ ଭାବରେ ପାଟନା ବିମାନବନ୍ଦରରେ ଅବତରଣ କରାଯାଇଥିଲା।