ପ୍ରମୂଖ ଖବର
  • ବିଜେଡିର ୬ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା, ଭୁବନେଶ୍ୱର ଦାୟିତ୍ୱରେ ଅଶୋକ ପଣ୍ଡା
  • ||
  • ବୌଦ୍ଧ : ବାଇକ୍‌କୁ ଧକ୍କା ଦେଲା ପିକଅପ୍ ଭ୍ୟାନ: ବାପା ମୃତ, ପୁଅ ଗୁରୁତର
  • ||
  • ମାଲକାନଗିରି : ସେୟାର ମାର୍କେଟରେ ଟ୍ରେଡିଂ ନାଁରେ ୮୦ ଲକ୍ଷ ଲୁଟ୍‌, ଅଭିଯୁକ୍ତ ଗିରଫ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାରୁ ଭିଣୋଇକୁ କଟୁରୀରେ ହାଣିଲା ଶାଳକ ଆକ୍ରମଣ, ଥାନାରେ ଅଭିଯୁକ୍ତର ଆତ୍ମ ସମର୍ପଣ
  • ||
  • ଅନୁଗୁଳ : ୨୬ ତାରିଖରୁ ନିଖୋଜ ହୋଇଥିଲେ ଯୁବତୀ, ଗାଁ ପାଖ ବିଲରୁ ମିଳିଲା ମୃତଦେହ
  • ||
  • ନିଟ୍‌-ୟୁଜି ଦେଲେ ୨୦.୮ ଲକ୍ଷ ଶିକ୍ଷାର୍ଥୀ, ୩ ବର୍ଷ ହେଲା ବଢ଼ୁଛି ପଞ୍ଜୀକରଣ
  • ||
  • ସୁବର୍ଣ୍ଣପୁର : ବ୍ରିଜ୍‌ ନିର୍ମାଣ କାମ କରିବା ବେଳେ ଅଘଟଣ, ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ
  • ||

IPL 2025 : ଦିଲ୍ଲୀ କ୍ୟାପିଟାଲ୍ସ-ସନରାଇଜର୍ସ, ହାଇଦ୍ରାବାଦ ପାଇଁ ‘କର ବା ମର’ ସ୍ଥିତି

Published By : Prameya | May 5, 2025 1:00 PM

ହାଇଦ୍ରାବାଦ, ୦୫/୦୫ : ଆଇପିଏଲ୍‌ର ୫୫ତମ ଲିଗ୍‌ ମ୍ୟାଚ୍‌ରେ ସୋମବାର ସନ୍‌ରାଇଜର୍ସ ହାଇଦ୍ରାବାଦ ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବାକୁ ଯାଉଛି। ଉଭୟ ଦଳ ନିଜ ନିଜର ପୂର୍ବ ମ୍ୟାଚ୍‌ରେ ପରାଜିତ ହୋଇଥିଲେ। ଆଜିର ମ୍ୟାଚ୍‌ ଜରିଆରେ ବିଜୟକୁ ଫେରିବା ପାଇଁ ପ୍ରୟାସ କରିବେ। ସନ୍‌ରାଇଜର୍ସ ପାଇଁ ଏହି ମ୍ୟାଚ୍‌ ‘କର ବା ମର’ ସଦୃଶ ରହିଛି। ଫଳରେ ଉଭୟ ଦଳ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । କ୍ୟାପିଟାଲ୍ସ ୧୦ଟି ମ୍ୟାଚ୍‌ ଖେଳି ୬ ବିଜୟ, ୪ ବିଜୟ ସହ ମୋଟ ୧୨ପଏଣ୍ଟ ପାଇ ପଞ୍ଚମ ସ୍ଥାନରେ ଥିବାବେଳେ ସନ୍‌ରାଇଜର୍ସ ସମାନ ସଂଖ୍ୟକ ମ୍ୟାଚ୍‌ ଖେଳି ୬ପଏଣ୍ଟ ସହ ନବମ ସ୍ଥାନରେ ରହିଛି । ପ୍ଲେ-ଅଫ୍‌ ଦୌଡ଼ରେ ରହିବାକୁ ହେଲେ ସନ୍‌ରାଇଜର୍ସକୁ ଶେଷ ୪ଟି ଯାକ ମ୍ୟାଚ୍‌ ଜିତିବାକୁ ପଡ଼ିବ । ନଚେତ ଦୌଡ଼ରୁ ବାଦ୍‌ ପଡ଼ିବା ନିଶ୍ଚିତ । 

ଗତ ମାର୍ଚ୍ଚ ୩୦ ତାରିଖରେ ଉଭୟ ଦଳ ମଧ୍ୟରେ ପ୍ରଥମ ଭେଟ ହୋଇଥିଲା । କ୍ୟାପିଟାଲ୍ସ ୭ ୱିକେଟରେ ଏହି ମ୍ୟାଚ୍‌ ଜିତିଥିଲା । ପ୍ରମୁଖ ପେସ୍‌ ବୋଲର ମିଚେଲ ଷ୍ଟାର୍କ ୫ଟି ୱିକେଟ୍‌ ନେଇ ବିଜୟରେ ହିରୋ ସାଜିଥିଲେ । ତାରକା ଖଚିତ ସନରାଇଜର୍ସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଖାସ୍‌ କରି ବ୍ୟାଟରମାନେ ଆକ୍ରମଣାତ୍ମକ ବ୍ୟାଟିଂକୁ ପ୍ରାଥମିକତା ଦେଇ ବାରମ୍ବାର ବିଫଳ ହେଉଛନ୍ତି । ଅଭିଷେକ ବର୍ମାଙ୍କୁ ଛାଡ଼ିଦେଲେ ଦୁର୍ଦ୍ଧର୍ଷ ଓପନର ଟ୍ରେଭିସ୍‌ ହେଡ୍‌, ଈଶାନ କିଷନ, ହେନରିକ କ୍ଲାସେନଙ୍କ ବିଫଳତା ଦଳୀୟ ପ୍ରଦର୍ଶନକୁ ପ୍ରଭାବିତ କରିଛି । ଆଜି ଘରୋଇ ଗ୍ରାଉଣ୍ଡରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ କମିନ୍ସ ବାହିନୀ ପ୍ରସ୍ତୁତ ରହିଛନ୍ତି । ବୋଲିଂ ବିଭାଗରେ ମଧ୍ୟ କୌଣସି ବୋଲର ସ୍ଥିର ପ୍ରଦର୍ଶନ ଦେଇ ପାରୁନାହାନ୍ତି । କ୍ୟାପିଟାଲ୍ସକୁ ହରାଇବାକୁ ହେଲେ ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ଜରୁରୀ । କ୍ୟାପିଟାଲ୍ସ ଏକ ଶୃଙ୍ଖଳିତ ଏକାଦଶ ଗଠନ କରିସାରିଛି । ଓପନର ଫାଫ୍‌ ଡୁ’ପ୍ଲେସି ଫିଟ୍‌ ହୋଇ ପ୍ରତ୍ୟାବର୍ତ୍ତନ କରିବା ସହ ଫର୍ମରେ ଥିବା ପ୍ରମାଣିତ କରିଛନ୍ତି । ଆସନ୍ତାକାଲି କେଏଲ୍‌ ରାହୁଲ, ଟ୍ରିଷ୍ଟନ ଷ୍ଟବ୍ସଙ୍କ ଉପରେ ସମସ୍ତଙ୍କ ନଜର ରହିବ । ବୋଲିଂରେ ଷ୍ଟାର୍କଙ୍କ ବ୍ୟତୀତ ଅଧିନାୟକ ଅକ୍ଷର ପଟେଲ ସନ୍‌ରାଇଜର୍ସ ପାଇଁ ବିପଦଜ୍ଜନକ ସାବ୍ୟସ୍ତ ହୋଇପାରନ୍ତି ।

ସମ୍ଭାବ୍ୟ ଦ୍ୱାଦଶ

ସନ୍‌ରାଇଜର୍ସ: ଟ୍ରେଭିସ ହେଡ୍‌, ଅଭିଷେକ ଶର୍ମା, ଈଶାନ କିଷନ, ହେନରିକ୍‌ କ୍ଲାସେନ, ଅନିକେତ ବର୍ମା, ନୀତିଶ କୁମାର ରେଡ୍ଡୀ, କାମିଣ୍ଡୁ ମେଣ୍ଡିସ୍‌, ପ୍ୟାଟ୍‌ କମିନ୍ସ (ଅଧିନାୟକ), ହର୍ଷଲ ପଟେଲ, ଜୟଦେବ ଉନାକାତ, ଜୀଶାନ ଅନସାରୀ, ମହମ୍ମଦ ସାମି । 

କ୍ୟାପିଟାଲ୍ସ: ଅଭିଷେକ ପୋରେଲ, ଫାଫ୍‌ ଡୁପ୍ଲେସି, କରୁଣ ନାଏର, କେଏଲ୍‌ ରାହୁଲ, ଅକ୍ଷର ପଟେଲ (ଅଧିନାୟକ), ଟ୍ରିଷ୍ଟନ ଷ୍ଟବ୍ସ, ବିପ୍ରଜ ନିଗମ, ଆଶୁତୋଷ ଶର୍ମା, ମିଚେଲ ଷ୍ଟାର୍କ, ଦୁଷ୍ମନ୍ତ ଚାମିରା, କୁଲଦୀପ ଯାଦବ, ମୁକେଶ କୁମାର ।

ଏହି ଖବରଟିକୁ ପଢନ୍ତୁ-ଅର୍ଶଦୀପଙ୍କ ଘାତକ ବୋଲିଂରେ ମାଟି କାମୁଡ଼ିଲା ଲକ୍ଷ୍ନୌ; ୩୭ ରନ୍‌ରେ ବିଜୟୀ ପଞ୍ଜାବ

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.