ନୂଆଦିଲ୍ଲୀ,୧୮/୦୫: ଗୁଜୁରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ନିଜ ଘରୋଇ ମଇଦାନରେ ୧୦ ୱିକେଟରେ ପରାସ୍ତ କରିଛି। ଆଇପିଏଲ୍ ୨୦୨୫ ର ୬୦ତମ ମ୍ୟାଚ୍ରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୧୯୯ ରନ୍ର ବିଶାଳ ସ୍କୋର କରିଥିଲା। ଜବାବରେ, ଗୁଜରାଟ କୌଣସି ୱିକେଟ୍ ନ ହରାଇ ମାତ୍ର ୧୯ ଓଭରରେ ମ୍ୟାଚ୍ ଜିତି ନେଇଥିଲା। ଏଥି ସହିତ, ଗୁଜରାଟ ଆଇପିଏଲ୍ ୨୦୨୫ର ପ୍ଲେଅଫରେ ପହଞ୍ଚିଥିବା ପ୍ରଥମ ଦଳ ହୋଇଛି। ଦିଲ୍ଲୀର ବୋଲରମାନେ ଗୁଜରାଟର ଟପ୍ ଅର୍ଡର ବ୍ୟାଟରଙ୍କୁ ଆଉଟ୍ କରିବାରେ ବିଫଳ ହୋଇଥିଲେ।
ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସକୁ ଜିତିବା ପାଇଁ ୨୦୦ ରନ୍ର ଟାର୍ଗେଟ ଦେଇଥିଲା ଦିଲ୍ଲୀ। ଗୁଜରାଟର ଟପ୍ ଅର୍ଡର ଏପରି ପ୍ରଭାବ ସୃଷ୍ଟି କରିଥିଲା ଯେ ଦିଲ୍ଲୀର ବୋଲରମାନେ ଜିଟିର ପ୍ରାରମ୍ଭିକ ଯୋଡ଼ିକୁ ମଧ୍ୟ ଭେଦ କରିପାରିବାରେ ସକ୍ଷମ ହୋଇପାରି ନଥିଲେ। ଗୋଟିଏ ପଟେ ସାଇ ସୁଦର୍ଶନ ୬୧ ବଲ୍ରେ ୧୦୮ ରନ୍ର ଏକ ଚମତ୍କାର ଇନିଂସ ଖେଳିଥିବା ବେଳେ ଅନ୍ୟପଟେ ଅଧିନାୟକ ଶୁଭମନ ଗିଲ୍ ମଧ୍ୟ ୯୩ ରନ୍ କରି ଅପରାଜିତ ପାଭିଲିୟନ ଫେରିଥିଲେ। ଗିଲ୍ ଏବଂ ସୁଦର୍ଶନ ମିଶି ୧୫ଟି ଚୌକା ଏବଂ ୧୧ଟି ଛକା ମାରିଥିଲେ।
ଯେତେବେଳେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରିବାକୁ ଆସିଲା, କେଏଲ ରାହୁଲ ୬୫ ବଲ୍ରେ ୧୧୨ ରନ୍ର ଅପରାଜିତ ଇନିଂସ ଖେଳି ସମସ୍ତ ଖେଳାଳିଙ୍କୁ ଚକମା ଦେଇଥିଲେ। ଏହି ଇନିଂସରେ ସେ ୧୪ଟି ଚୌକା ଏବଂ ୪ଟି ଛକା ମାରିଥିଲେ। ଏକ ଆଶ୍ଚର୍ଯ୍ୟଜନକ କଥା ହେଲା ଯେ ଏହି ସମଗ୍ର ମ୍ୟାଚ୍ରେ ୩୯ ଓଭର ବୋଲିଂ ହୋଇଥିଲା, ମୋଟ ୪୦୪ ରନ ହୋଇଥିଲା କିନ୍ତୁ କେବଳ ୩ଟି ୱିକେଟ ପଡ଼ିଥିଲା।
ଗୁଜରାଟ ଟାଇଟାନ୍ସ ଆଇପିଏଲ ୨୦୨୫ର ପ୍ଲେଅଫରେ ପହଞ୍ଚିଥିବା ପ୍ରଥମ ଦଳ ହୋଇଛି। ଗୁଜରାଟର ଏବେ ୧୨ ମ୍ୟାଚ୍ ଖେଳି ୧୮ ପଏଣ୍ଟ ହୋଇଛି। ଜିଟିର ଏବେ ବି ୨ଟି ମ୍ୟାଚ୍ ବାକି ଅଛି ଯାହାକି ଏହାକୁ ୨୨ ପଏଣ୍ଟ ପର୍ଯ୍ୟନ୍ତ ନେଇପାରେ। ଗୁଜୁରାଟ ପାଖରେ ଟେବୁଲ ଟପର ହେବାର ସୁବର୍ଣ୍ଣ ସୁଯୋଗ ଅଛି। ବର୍ତ୍ତମାନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗସ୍ ୧୭-୧୭ ପଏଣ୍ଟ ପାଇଛି। ଦିଲ୍ଲୀ କ୍ୟାପିଟାଲ୍ସର କଥା ଯଦି କହିବା, ତେବେ ଜିଟି ବିପକ୍ଷରେ ପରାଜୟ ସତ୍ତ୍ୱେ, ସେମାନେ ପ୍ଲେଅଫ୍ ଦୌଡ଼ରୁ ବାହାର ହୋଇନାହାଁନ୍ତି। ତାଙ୍କର ଏବେ ବି ୨ଟି ମ୍ୟାଚ୍ ବାକି ଅଛି ଏବଂ ସେ ସର୍ବାଧିକ ୧୭ ପଏଣ୍ଟ ପର୍ଯ୍ୟନ୍ତ ପହଞ୍ଚିପାରିବେ।