ନୂଆଦିଲ୍ଲୀ,୨୧/୦୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବଢ଼ିଲା ସୁରକ୍ଷା ବ୍ୟବସ୍ଥା । ରେଖା ଗୁପ୍ତାଙ୍କୁ 'Z' କ୍ୟାଟାଗୋରୀ ସୁରକ୍ଷା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଘଟଣା ପରେ ସୁରକ୍ଷା ବଢ଼ାଇଛି ଗୃହ ମନ୍ତ୍ରାଳୟ । ରେଖା ଗୁପ୍ତାଙ୍କ ସୁରକ୍ଷା ଦାୟିତ୍ବରେ ରହିବେ ସିଆରପିଏଫ ଯବାନ । ବୁଧବାର ଜନଶୁଣାଣି କାର୍ଯ୍ୟକ୍ରମ ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ତେବେ ଆଜି ଏଭଳି ନିଷ୍ପତ୍ତି ନେଇ ଗୃହ ମନ୍ତ୍ରାଳୟ ।
ସୂଚନା ଅନୁଯାୟୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ବୁଧବାର ସକାଳେ ଆକ୍ରମଣ ହୋଇଥିଲା । ସିଭିଲ ଲାଇନ୍ସ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏହି ଘଟଣା ଘଟିଥିଲା । ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବାସଭବନରେ ସାପ୍ତାହିକ ଜନଶୁଣାଣି କରୁଥିଲେ । ସେହି ସମୟରେ ଜଣେ ୪୦ ବର୍ଷୀୟ ବ୍ୟକ୍ତି ତାଙ୍କ ଉପରେ ଆକ୍ରମଣ କରିଥିଲେ । ଏଥିଯୋଗୁ ତାଙ୍କ ମୁଣ୍ଡ ଏବଂ ହାତରେ ଆଘାତ ଲାଗିଥିଲା । ଘଟଣା ପରେ ସେଠାରେ ଅଭିଯୋଗକାରୀ ଆତଙ୍କିତ ହୋଇ ଧାଁଦୌଡ଼ କରିଥିଲେ । ପୁଲିସ ଓ ରେଖାଙ୍କ ସୁରକ୍ଷାକର୍ମୀ ଅଭିଯୁକ୍ତ ରାଜେଶଭାଇ ଖିମଜି ସକାରିୟାଙ୍କୁ ଗିରଫ କରି ଏକ ମାମଲା ରୁଜୁ କରିଛି । ରାଜେଶ ଗୁଜରାଟ ରାଜକୋଟର ବାସିନ୍ଦା ବୋଲି ଜଣାପଡ଼ିଛି । ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ, ରାଜେଶ ସାକାରିୟା ନାଁରେ ଦିଲ୍ଲୀ ପୁଲିସରେ ପୂର୍ବରୁ ୫ଟି ମାମଲା ରହିଛି ।
ପୁଲିସ କହିବା ଅନୁସାରେ, ଏହି ଆକ୍ରମଣ ଯୋଜନାବଦ୍ଧ ଥିଲା । ଏଥିଲାଗି ରାଜେଶ ଦୁଇ ଦିନ ପୂର୍ବରୁ ଦିଲ୍ଲୀରେ ପହଞ୍ଚିଥିଲା । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଓ କ୍ୟାମ୍ପ ଅଫିସ୍ ନିକଟରେ ରେକି କରିଥିଲେ । ସେହି ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚରୁ ଏହା ଜଣାପଡି଼ଛି । ଦିଲ୍ଲୀ ପୁଲିସ ତାଙ୍କ ମୋବାଇଲ୍କୁ ଜବତ କରିଥିବାବେଳେ ସେଥିରୁ ପୂର୍ବରୁ ହୋଇଥିବା ଜନଶୁଣାଣିର ଭିଡିଓ ମିଳିଛି । ତେବେ ଅଭିଯୁକ୍ତଙ୍କ ମା’ କହିଛନ୍ତି, ତାଙ୍କ ପୁଅ କୌଣସି ରାଜନୈତିକ ଦଳର ନୁହନ୍ତି । ସେ ଜଣେ କୁକୁରପ୍ରେମୀ । ନିକଟରେ ବୁଲା କୁକୁରଙ୍କ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟର ବିରୋଧ କରିବାକୁ ସେ ଦିଲ୍ଲୀ ଯାଇଥିଲେ । ଏହି ଘଟଣା ପରେ କେନ୍ଦ୍ର ସରକାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରିଛନ୍ତି । ତାଙ୍କୁ ‘Z’ କ୍ୟାଟାଗୋରି ସୁରକ୍ଷା ପ୍ରଦାନ କରାଯାଇଛି ।