ନୂଆଦିଲ୍ଲୀ,୦୭/୦୧: ଆଜି ବାଜିବ ଦିଲ୍ଲୀ ବିଧାନସଭା ନିର୍ବାଚନ ବିଗୁଲ । ସଜେଇ ହେଲାଣି ମୈଦାନ ।  ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା। ଏନେଇ ପ୍ରେସମିଟ କରି ନିର୍ବାଚନ ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ। ଅପରାହ୍ନ ୨ଟାରେ ପ୍ରେସମିଟ କରିବେ ଭାରତୀୟ ନିର୍ବାଚନ କମିଶନ । ବିଜ୍ଞାନ ଭବନ ପ୍ଲିନାରୀ ହଲରେ ସାମ୍ବାଦିକ ସମ୍ମିଳନୀ ହେବ । ସେପଟେ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଦିଲ୍ଲୀରେ ରାଜନୀତି ସରଗରମ ହୋଇଛି ।  

ଆପ, କଂଗ୍ରେସ ଏବଂ ବିଜେପି ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଆଗୁଆ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିବାବେଳେ ପ୍ରଚାର ମଧ୍ୟ ଜୋରଦାର ଆରମ୍ଭ ହେଲାଣି । ଦିଲ୍ଲୀରେ ୭୦ ଆସନ ରହିଥିବାବେଳେ ଚଳିତ ନିର୍ବାଚନରେ ଜୋରଦାର ଲଢ଼େଇ ହେବ ବୋଲି ଅନୁମାନ କରାଯାଉଛି ।  ଦିଲ୍ଲୀରେ ମୋଟ ୧ କୋଟି ୫୫ ଲକ୍ଷ ୨୪ ହଜାର ୮୫୮ ଭୋଟର ଅଛନ୍ତି। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଏଥର ଦିଲ୍ଲୀ ନିର୍ବାଚନରେ ମୋଟ ୧.୫୫ କୋଟିରୁ ଅଧିକ ଭୋଟର ରହିବେ। ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୮୩,୪୯,୬୪୫ ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୭୧,୭୩,୯୫୨ ରହିଛି। ସେହିପରି ତୃତୀୟ ଲିଙ୍ଗର ସଂଖ୍ୟା ୧,୨୬୧ ରହିଛି।