ନୂଆଦିଲ୍ଲୀ: ବୁଧବାର ଦିଲ୍ଲୀର ସଫଦରଜଙ୍ଗ ଏନକ୍ଲେଭର ଏକ ବ୍ଲକରେ ଅବସ୍ଥିତ ଏକ ଘରେ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ଏଠାରେ ରହୁଥିବା ଦୁଇ ଜଣ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ସୂଚନା ପାଇବା ପରେ ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ନିଆଁକୁ ନିୟନ୍ତ୍ରଣ କରିଥିଲେ। ତେବେ ମୃତକ ମାନେ ହେଲେ ୮୦ ବର୍ଷିୟ ଗୋବିନ୍ଦ ରାମ ନାଗପାଲ ଏବଂ ତାଙ୍କର ୭୮ ବର୍ଷିୟା ପତ୍ନୀ ଶୀଲା ନାଗପାଲ । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ଅଗ୍ନିଶମ ବିଭାଗର ଅଧିକାରୀଙ୍କ କହିବାନୁସାରେ, ଘରର ତୃତୀୟ ମହଲାରେ ରଖାଯାଇଥିବା ଘରୋଇ ଜିନିଷ ଗୁଡ଼ିକରେ ନିଆଁ ଲାଗିଯାଇଥିଲା । ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଆରମ୍ଭ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି। ବର୍ତ୍ତମାନ ପୋଲିସ ଓ ଅଗ୍ନିଶମ ବିଭାଗ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସର ସୂଚନାନୁସାରେ, ମୃତ ଦମ୍ପତିଙ୍କ ପୁଅ ଆମେରିକାରେ ରୁହନ୍ତି । ତାଙ୍କ ଝଅ ଦିଲ୍ଲୀର ପଶ୍ଚିମ ବିହାରରେ ରୁହନ୍ତି । ଏହି ଘଟଣା ସମ୍ପର୍କରେ ପୋଲିସ ଉଭୟଙ୍କୁ ସୂଚନା ଦେଇଛି । ପୋଲିସର ସୂଚନାନୁସାରେ, ଏହି ବୃଦ୍ଧ ଦମ୍ପତି ପୁଅ ଆମେରିକା ଯିବା ପରେ ଏଠାରେ ଏକୁଟିଆ ରହୁଥିଲେ।