ନୂଆଦିଲ୍ଲୀ,୨୫/୩ : ଦିଲ୍ଲୀ ହାଇକୋର୍ଟ ଡିପ୍ ଫେକ ମାମଲାରେ ଗୌତମ ଗମ୍ଭୀରଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି । କୋର୍ଟ ଗମ୍ଭୀରଙ୍କୁ ତାଙ୍କ ବ୍ୟକ୍ତିତ୍ୱ ଅଧିକାରର ସୁରକ୍ଷା ପ୍ରଦାନ କରିଛନ୍ତି । ହାଇକୋର୍ଟ ମେଟା, ଗୁଗୁଲ୍ ଏବଂ ଆମାଜନକୁ ଆପତ୍ତିଜନକ ପୋଷ୍ଟ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶ ଯେ, ଗୌତମ ଗମ୍ଭୀର ତାଙ୍କ ଆବେଦନରେ ଅଭିଯୋଗ କରିଥିଲେ ଯେ, ତାଙ୍କ ନାଁ ଏବଂ ଛବିର ଅପବ୍ୟବହାର କରାଯାଉଛି ଓ ଭୁଲ ସୂଚନା ପ୍ରସାରଣ ପାଇଁ ବ୍ୟବହୃତ ବିଷୟ ବସ୍ତୁ ହଟାଇବାକୁ ଅନୁରୋଧ କରିଥିଲେ।

ଗୌତମ ଗମ୍ଭୀର ପୂର୍ବରୁ ତାଙ୍କର ଆବେଦନ ପ୍ରତ୍ୟାହାର କରି ନେଇଥିଲେ । ଫଳରେ ସେ ଅଧିକ ସଠିକ୍ ସୂଚନା ସହିତ ଏକ ନୂତନ ଆବେଦନ କରିପାରିବେ । ଗମ୍ଭୀରଙ୍କ କହିବା ଥିଲା କି, ତାଙ୍କ ଅନୁମତି ବିନା ତାଙ୍କର ସ୍ୱର ଏବଂ ଫଟୋଗ୍ରାଫଗୁଡ଼ିକୁ ବାଣିଜ୍ୟିକ ଉଦ୍ଦେଶ୍ୟରେ ଅପବ୍ୟବହାର କରାଯାଉଛି। । ଏଥିଲାଗି ଡିପ୍ ଫେକ୍ ଏବଂ ଏଆଇ ହେରଫେର ଭଳି ପ୍ରଯୁକ୍ତିବିଦ୍ୟାର ଅପବ୍ୟବହାର କରାଯାଉଛି ।

ବିଚାରପତି ଜ୍ୟୋତି ସିଂହ ଉଭୟ ପକ୍ଷର ଯୁକ୍ତି ଶୁଣିଲେ ଏବଂ ବିବାଦିତ ଲିଙ୍କ୍ (URL) ଯାଞ୍ଚ କରିବା ପରେ ଜାଣିପାରିଲେ ଯେ, ଗୌତମ ଗମ୍ଭୀରଙ୍କ ବ୍ୟକ୍ତିତ୍ୱ ଅଧିକାରକୁ ଉଲ୍ଲଂଘନ କରୁଥିବା ଅନେକ ପୋଷ୍ଟ ଅନଲାଇନ୍ ପ୍ଲାଟଫର୍ମରେ ରହିଛି। ଗମ୍ଭୀରଙ୍କ ଇସ୍ତଫାର ଏକ AI-ଜେନେରେଟେଡ୍ ଭିଡିଓ ଅପଲୋଡ୍ କରାଯାଇଥିଲା, ଯାହା ଉପରେ କିଛି ସମୟରେ ୨୯ଲକ୍ଷ୍ୟ ଭ୍ୟୁ ମିଳିଥିଲା।

ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ଓକିଲ ଅନନ୍ତ ଦେହାଦ୍ରାଇ କହିଛନ୍ତି ଯେ, ଅନେକ ଆପତ୍ତିଜନକ ଲିଙ୍କ୍ ହଟାଇ ଦିଆଯାଇଛି । କିନ୍ତୁ ସେ ଗୁଡ଼ିକୁ ବାରମ୍ବାର ସେୟାର କରାଯାଉଛି।