ନୂଆଦିଲ୍ଲୀ, ୦୪/୦୩: ସ୍କୁଲକୁ ପିଲାମାନେ ସ୍ମାର୍ଟଫୋନ୍‌ ଧରି ଆସିବା ଉପରେ ସମ୍ପୂର୍ଣ୍ଣ ଭାବେ ରୋକ୍‌ ଲଗାଯାଇପାରିବ ନାହିଁ ।  କାରଣ ପିଲାଙ୍କ ନିରାପତ୍ତା ଓ ଯୋଗାଯୋଗ ପାଇଁ ସ୍ମାର୍ଟଫୋନ୍‌ ମଧ୍ୟ ଅପରିହାର୍ଯ୍ୟ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି । କିନ୍ତୁ ସ୍ମାର୍ଟଫୋନ୍‌  ଉପରେ ସ୍କୁଲ କର୍ତ୍ତୃପକ୍ଷ ଆବଶ୍ୟକ ନୀତି ପ୍ରସ୍ତୁତ କରିବା ଉଚିତ । ଯାହାଫଳରେ ପିଲାଙ୍କ ସୁରକ୍ଷା ରହିବା ସହ ଅନାବଶ୍ୟକ ଦୁଷ୍ପ୍ରଭାବରୁ ରକ୍ଷା ମିଳିପାରିବ । ହାଇକୋର୍ଟ ସ୍କୁଲକୁ ପିଲାଙ୍କ ସ୍ମାର୍ଟଫୋନ୍‌ ଆଣିବା ଉପରେ ମାର୍ଗଦର୍ଶିକା ପ୍ରସ୍ତୁତ କରିଛନ୍ତି ।  

କେନ୍ଦ୍ରୀୟ ବିଦ୍ୟାଳୟର ଜଣେ ଛାତ୍ର ସ୍କୁଲକୁ ସ୍ମାର୍ଟଫୋନ ଆଣିବା ଲାଗି ଅନୁମତି ଦେବାକୁ ହାଇକୋର୍ଟଙ୍କୁ ପ୍ରାର୍ଥନା କରିଥିଲେ । ଏହା  ଉପରେ ବିଚାରପତି ଅନୁପ ଜୟରାମ ଭମ୍ଭାନୀଙ୍କ ଖଣ୍ଡପୀଠରେ ମାମଲାର  ଶୁଣାଣି ହୋଇଥିଲା । ଶୁଣାଣି ବେଳେ ସ୍କୁଲ କର୍ତ୍ତୃପକ୍ଷ ହାଇକୋର୍ଟଙ୍କୁ ସ୍କୁଲରେ ପିଲାଙ୍କ ସ୍ମାର୍ଟଫୋନ୍‌ ବ୍ୟବହର ଲାଗି ମାର୍ଗଦର୍ଶିକା ଜାରି କରିବାକୁ ଅନୁରୋଧ କରିଥିଲେ । କୋର୍ଟ କହିଥିଲେ କି ପିଲାମାନଙ୍କୁ ସ୍କୁଲକୁ ସ୍ମାର୍ଟଫୋନ୍‌ ଧରି ଆସିବା ଉପରେ ରୋକ୍‌ ଲଗାଯିବା ଉଚିତ  ନୁହେଁ । କିନ୍ତୁ ତାର ବ୍ୟବହାରକୁ ନିୟନ୍ତ୍ରଣ ଓ  ପରିଚାଳନା କରାଯିବା ଆବଶ୍ୟକ । ଏଥିପାଇଁ  କୋର୍ଟ କେତେକ ମାର୍ଗଦର୍ଶିକା ଜାରି କରିଛନ୍ତି ।  ସେଥିରେ କୁହାଯାଇଛି କି ପିଲାମାନେ ସ୍କୁଲ  ସମୟ ଭିତରେ ସ୍ମାର୍ଟଫୋନ୍‌ ଜମା ଦେବେ।