ହାଇଦ୍ରାବାଦ: ଦିଲ୍ଲୀ କ୍ୟାପିଟାଲ୍ସ, ସନରାଇଜର୍ସ ହାଇଦ୍ରାବାଦକୁ ୧୩୪ ରନ ଟାର୍ଗେଟ ଦେଇଛି । ହାଇଦ୍ରାବାଦ ପାଇଁ ଅଧିନାୟକ ପାଟ୍ କମିନ୍ସ ଚମତ୍କାର ବୋଲିଂ କରିଛନ୍ତି । ସେ ୪ ଓଭରରେ ୧୯ ରନ ଦେଇ ୩ ୱିକେଟ୍ ନେଇଛନ୍ତି । ଜୟଦେବ ଉନାଦକଟ, ହର୍ଷଲ ପଟେଲ ଏବଂ ଇଶାନ ମାଲିଙ୍ଗା ଗୋଟିଏ ଲେଖାଏଁ ସଫଳତା ପାଇଛନ୍ତି । ଫଳରେ ଦିଲ୍ଲୀ ୨୦ ଓଭରରେ ୭ ୱିକେଟ ହରାଇ ୧୩୩ ରନରେ ସୀମିତ ରହିଛି । ଦିଲ୍ଲୀ ପକ୍ଷରୁ ଆଶୁତୋଷ ଶର୍ମା ଏବଂ ଟ୍ରିଷ୍ଟାନ ଷ୍ଟବସ୍ ୪୧-୪୧ ରନ୍ କରିଛନ୍ତି ।

ଦିଲ୍ଲୀ ଦଳ ଗତ ଚାରିଟି ମ୍ୟାଚରୁ ତିନୋଟିରେ ପରାସ୍ତ ହୋଇଛି । ବର୍ତ୍ତମାନ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ରହିଛି ଡିସି । ପ୍ଲେଅଫରେ ପ୍ରବେଶ କରିବା ପାଇଁ ଦଳକୁ ବାକି ମ୍ୟାଚ୍ ଜିତିବାକୁ ପଡିବ। ସନରାଇଜର୍ସ ହାଇଦ୍ରାବାଦର ଅବସ୍ଥା ଆହୁରି ଖରାପ । ଦଳ ପଏଣ୍ଟ ଟେବୁଲରେ ନବମ ସ୍ଥାନରେ ଅଛି । ଯଦି SRH ଆଜିର ମ୍ୟାଚ୍ ହାରିଯାଏ, ତେବେ ଦଳ IPL 2025ର ପ୍ଲେଅଫ୍ ଦୌଡ଼ରୁ ବାଦ ପଡ଼ିବ ।

ଆଜି ସନରାଇଜର୍ସ ହାଇଦ୍ରାବାଦ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଦିଲ୍ଲୀ ରନ୍‌ ଠାରୁ ଅଧିକ ଓ୍ବିକେଟ ହରାଇଥିଲା । ଖାତା ନଖୋଲି ପାଭିଲିୟନ ଫେରିଥିଲେ କରୁଣ ନାୟର । ତାଙ୍କ ପରେ ଦଳୀୟ ସ୍କୋର ୬ ରନ୍‌ ବେଳକୁ ଆଉଟ୍‌ ହୋଇଥିଲେ ଫଫ୍‌ ଡୁପ୍ଲେସିସ୍‌ । ତାଙ୍କ ପରେ ଅଭିଷେକ ପୋରେଲ୍‌ ମାତ୍ର ୮ ରନ୍‌ କରି ଆଉଟ ହୋଇଥିଲେ । ଏହି ୩ ବ୍ୟାଟରଙ୍କୁ ଓ୍ବିକେଟ କିପର ଇଶାନ କିଶନଙ୍କ ହାତରେ କ୍ୟାଚ୍‌ ଆଉଟ୍‌ କରାଇଥିଲେ ପାଟ କମିନ୍ସ । 

ପରେ ପରେ ଦଳର ଅଧିନାୟକ ଅକ୍ଷର ପଟେଲ ଏବଂ କେଏଲ ରାହୁଲ ଆଉଟ ହୋଇଥିଲେ । ଦଳର ସ୍କୋର ୨୯ ରନ୍‌ ବେଳକୁ ୫ ଓ୍ବିକେଟ ହରାଇ ସାରିଥିଲା ଦିଲ୍ଲୀ । ଏମିତି ଲାଗୁଥିଲା ଦିଲ୍ଲୀ ୧୦୦ ରନ୍‌ କରିବା ମୁସକିଲ ହେବ । ଶେଷ ଆଡ଼କୁ ଟ୍ରିଷ୍ଟାନ ଷ୍ଟବସ୍‌ ଏବଂ ଇମ୍ପାକ୍ଟ ପ୍ଲେୟାର ଆଶୁତୋଷ ଶର୍ମା ମୋର୍ଚ୍ଚା ସମ୍ଭାଳିଥିଲେ ଏବଂ ଦଳର ସ୍କୋରକୁ ୧୩୩  ରନ୍‌ରେ ପହଞ୍ଚାଇଥିଲେ । ୧୯.୪ ଓଭରରେ ଶର୍ମା ଆଉଟ୍‌ ହୋଇଥିଲେ ।  ପରେ ମିଚେଲ ଷ୍ଟାର୍କ ଅପରାଜିତ ୧ ରନ୍‌ କରିଥିଲେ ।