ନୂଆଦିଲ୍ଲୀ, ୨୫।୮: ଦିଲ୍ଲୀ ମେଟ୍ରୋ ରେଳ ନିଗମ (DMRC) ୮ ବର୍ଷ ପରେ ମେଟ୍ରୋର ଭଡ଼ା ବୃଦ୍ଧି କରିଛି । ୨୫ ଅଗଷ୍ଟରୁ ଏହି ନିୟମ ଲାଗୁ ହେବା ନେଇ ଡିଏମ୍‌ଆରସି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛି । ନୂଆ ନିୟମ ଅନୁଯାୟୀ, ଭଡ଼ା ୧ ଟଙ୍କାରୁ ୪ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅନ୍ୟପଟେ ଏୟାରପୋର୍ଟ ଏକ୍ସପ୍ରେସ ଲାଇନରେ ଏହି ବୃଦ୍ଧି ୧ ଟଙ୍କାରୁ ୫ ଟଙ୍କା ମଧ୍ୟରେ ଅଛି । ଭଡ଼ା ପରିବର୍ତ୍ତନ ପରେ, ଦିଲ୍ଲୀ ମେଟ୍ରୋର ସର୍ବନିମ୍ନ ଭଡ଼ା ଏବେ ୧୧ ଟଙ୍କା ହୋଇଥିବା ବେଳେ ସର୍ବାଧିକ ୬୪ ଟଙ୍କା ସ୍ଥିର କରାଯାଇଛି । ନୂଆ ଭଡ଼ା ନିୟମ ଅନୁଯାୟୀ, ସାଧାରଣ ଦିନଗୁଡ଼ିକରେ ୨ କିମି ଯାତ୍ରା ପାଇଁ ୧୦-୧୧ ଟଙ୍କା ଭଡ଼ା, ୨-୫ କିମି ଯାତ୍ରା ପାଇଁ ୨୦-୨୫ ଟଙ୍କା ଭଡ଼ା, ୫ରୁ ୧୨ କିମି ଯାତ୍ରା ପାଇଁ ୩୦-୩୨ ଟଙ୍କା ଭଡ଼ା, ୧୨ରୁ ୨୧ କିମି ଯାତ୍ରା ପାଇଁ ୪୦-୪୩ ଟଙ୍କା, ୨୧ରୁ ୩୨ କିମି ଯାତ୍ରା ପାଇଁ ୫୦-୫୪ ଟଙ୍କା ଭଡ଼ା ଏବଂ ୩୨ରୁ ଅଧିକ କିମି ଯାତ୍ରା ପାଇଁ ଭଡ଼ା ୬୦-୬୪ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଛୁଟି ଦିନର ଭଡ଼ାରେ ବୃଦ୍ଧି: 

ବର୍ଦ୍ଧିତ ଭଡ଼ାର ନୂତନ ସଂଶୋଧିତ ହାର ଜାତୀୟ ଛୁଟିଦିନ ଏବଂ ରବିବାରରେ ମଧ୍ୟ ଲାଗୁ ହେବ । ଯେଉଁଥିରେ ୧-୨ କିମି ଯାତ୍ରା ପାଇଁ ଭଡ଼ା ୧୦ ଟଙ୍କା ପରିବର୍ତ୍ତେ ୧୧ ଟଙ୍କା ହେବ, ୨ରୁ ୫ କିମି ଯାତ୍ରା ପାଇଁ ମଧ୍ୟ ଭଡ଼ା ୧୧ ଟଙ୍କା ହେବ । ସେହପରି ୫-୧୦ କିମି ଯାତ୍ରା ପାଇଁ ଭଡ଼ା ୨୦-୨୧ ଟଙ୍କା, ୧୨ରୁ ୨୧ କିମି ଯାତ୍ରା ପାଇଁ ଭଡ଼ା ୩୦-୩୨ ଟଙ୍କା, ୨୧ରୁ ୩୨ କିମି ଯାତ୍ରା ପାଇଁ ୪୦-୪୩ ଟଙ୍କା ଏବେ ୩୨ କିମିରୁ ଅଧିକ ଦୂରତା ପାଇଁ ଭଡ଼ା ୫୪ ଟଙ୍କା ହେବ । କହିରଖୁ କି, ଭଡ଼ା ବୃଦ୍ଧି ପରେ ମଧ୍ୟ ସ୍ମାର୍ଟ କାର୍ଡ ବ୍ୟବହାର କରୁଥିବା ଯାତ୍ରୀମାନେ ପ୍ରତ୍ୟେକ ଯାତ୍ରାରେ ୧୦ ପ୍ରତିଶତ ରିହାତି ପାଇବେ ଏବଂ ଅଫ-ପିକ୍ ଆୱାରରେ (ସକାଳ ୮ଟା ପୂର୍ବରୁ, ମଧ୍ୟାହ୍ନ ୧୨ଟାରୁ ୫ଟା ମଧ୍ୟରେ ଏବଂ ରାତି ୯ଟା ପରେ) ଅତିରିକ୍ତ ୧୦ ପ୍ରତିଶତ ରିହାତି ପାଇବେ । 

ଦେଶର ସବୁଠାରୁ ଲମ୍ବା ମେଟ୍ରୋ ନେଟୱାର୍କ:

କହିରଖୁ କି, ଦିଲ୍ଲୀ ମେଟ୍ରୋଦେଶର ସବୁଠାରୁ ଲମ୍ବା ମେଟ୍ରୋ ନେଟୱାର୍କ । ମୋଟ୍ ୩୯୪ କିଲୋମିଟର ଲମ୍ବ ସହିତ, ଦିଲ୍ଲୀ ମେଟ୍ରୋ (DMRC) ୧୨ଟି କରିଡରରେ ଅର୍ଥାତ୍ ନୋଏଡା ମେଟ୍ରୋ ଆକ୍ୱା ଲାଇନ୍ ଏବଂ ରାପିଡ୍ ମେଟ୍ରୋ ଗୁରୁଗ୍ରାମ ସମେତ ୨୮୯ଟି ଷ୍ଟେସନକୁ କଭର୍ କରେ ।