ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ସୁଧୁରିଲା ବାୟୁ ଗୁଣବତ୍ତାର ମାନ । ସାମାନ୍ୟ ଉନ୍ନତି ପରେ, GRAP ୪ ପ୍ରତିବନ୍ଧକକୁ ଏବେ ପ୍ରତ୍ୟାହାର କରିନିଆଯାଇଛି। ହେଲେ GRAP ୩ ପ୍ରତିବନ୍ଧକ ବଳବତ୍ତର ରହିବ। ମଙ୍ଗଳବାର ଦିନ AQI ୩୭୮ ରେ ପହଞ୍ଚିବା ପରେ GRAP ୪ ପ୍ରତିବନ୍ଧକକୁ ପ୍ରତ୍ୟାହାର କରିବାର ନିଷ୍ପତ୍ତି ନିଆଯାଇଥିଲା।
CAQM ଏକ ଆଦେଶରେ କହିଛି ଯେ, ଲେବଲ ୧, ୨, ଏବଂ ୩ ଅନ୍ତର୍ଗତ ପ୍ରତିବନ୍ଧକ ପ୍ରଭାବଶାଳୀ ରହିବ, କିନ୍ତୁ GRAP ୪ ପ୍ରତିବନ୍ଧକକୁ ପ୍ରତ୍ୟାହାର କରାଯାଇଛି। AQI ର ଆହୁରି ଅବନତିକୁ ରୋକିବା ପାଇଁ ଲୋକଙ୍କୁ ଅନୁରୋଧ କରାଯାଇଛି ଯେ,GRAP ୧, ୨, ଏବଂ ୪ ପର୍ଯ୍ୟାୟ ଅଧୀନରେ ଲାଗୁ ହୋଇଥିବା ପ୍ରତିବନ୍ଧକକୁ କଡ଼ାକଡ଼ି ପାଳନ କରନ୍ତୁ।
ପ୍ରକୃତରେ, ବାୟୁ ଗୁଣବତ୍ତା ପରିଚାଳନା କମିଶନ (CAQM) ର ଗ୍ରେଡେଡ୍ ରେସପନ୍ସ ଆକ୍ସନ୍ ପ୍ଲାନ୍ (GRAP) ଜାନୁଆରୀ ୧୭ ତାରିଖରେ NCR ଏବଂ ଆଖପାଖ ଅଞ୍ଚଳରେ GRAP ୪ କାର୍ଯ୍ୟକାରୀ କରିଥିଲା, ଯେତେବେଳେ କି ଦିଲ୍ଲୀର ହାରାହାରି AQI ଦ୍ରୁତ ଗତିରେ ବୃଦ୍ଧି ପାଇବା ଆରମ୍ଭ କରିଥିଲା।
ସେବେଠାରୁ ଦିଲ୍ଲୀର ଦୈନିକ ହାରାହାରି AQIରେ ଯଥେଷ୍ଟ ଉନ୍ନତି ହୋଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ଦ୍ୱାରା ପ୍ରକାଶିତ ଦୈନିକ AQI ବୁଲେଟିନ୍ ଅନୁଯାୟୀ, ଜାନୁଆରୀ ୧୮ ତାରିଖରେ AQI ୪୪୦ ରେକର୍ଡ କରାଯାଇଥିଲା, ଯାହା ଗତକାଲି (ଜାନୁଆରୀ ୧୯ ) ୪୧୦ ଏବଂ ମଙ୍ଗଳବାର (ଜାନୁଆରୀ ୨୦) ୩୭୮ ରେ ଆହୁରି ଉନ୍ନତି ହୋଇଥିଲା।