ନୂଆଦିଲ୍ଲୀ,୨୧/୮ : ୧୯୯୨ବ୍ୟାଚର ଆଇପିଏସ ଅଫିସର ଏବଂ ତିହାଡ଼ ଜେଲର ଡିଜି ସତୀଶ ଗୋଲଚା ହେଲେ ଦିଲ୍ଲୀ କମିଶନର । ଗୋଲଚା ଜଣେ ସକ୍ତ ଏବଂ ବହୁ ଭଲ କାମ କରୁଥିବା ଅଫିସର ଭାବେ ବେଶ ଜଣାଶୁଣା । 

ସତୀଶ ଗୋଲଚାଙ୍କ ନିଯୁକ୍ତି ନେଇ କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତିରେ ତାଙ୍କୁ କାର୍ଯ୍ୟଭାର ଗ୍ରହଣ କରିବାର ତିଥିରୁ ଆଗାମୀ ଆଦେଶ ପର୍ଯ୍ୟନ୍ତ ଦିଲ୍ଲୀ ପୋଲିସ କମିଶନର ଭାବେ ନିଯୁକ୍ତ କରାଯାଇଛି । ସତୀଶ  ଗୋଲଚା ଦିଲ୍ଲୀ ପୋଲିସରେ ଡିସିପି, ଜଏଣ୍ଟ ଏବଂ ସ୍ପେଶାଲ ସିପି ଭଳି ଗୁରୁତ୍ବପୂର୍ଣ୍ଣ ପଦରେ ରହି ସାରିଛନ୍ତି ।

ସେ ସ୍ପେଶାଲ ସିପି ସହ ଉତ୍ତର ପୂର୍ବ ଦିଲ୍ଲୀରେ ଦଙ୍ଗା ସମୟରେ ଲ ଆଣ୍ଡ ଅର୍ଡରର ପ୍ରଭାରୀ ବି ରହି ସାରିଛନ୍ତି । ସତୀଶ ଗୋଲଚା ଅରୁଣାଚଳପ୍ରଦେଶର ଡିଜିପି ବି ରହି ସାରିଛନ୍ତି । ଦିଲ୍ଲୀ ପୋଲିସ ଏବଂ ଆଇନ ବ୍ୟବସ୍ଥାରେ ତାଙ୍କ ଲମ୍ବା ପ୍ରଶାସନିକ ଏବଂ ପୋଲିସିଂ ଅନୁଭବ ରହି ସାରିଛି । ଗୋଲଚା ଆଇପିଏସ ଏସବିକେ ସିଂହଙ୍କ ସ୍ଥାନ ନେବେ । ତାଙ୍କୁ ଚଳିତ ବର୍ଷ ୩୧ଜୁଲାଇରେ ଦିଲ୍ଲୀ ପୋଲିସ କମିଶନରର ଆଡିଶନାଲ ଚାର୍ଜ ଦିଆଯାଇଥିଲା ।