ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସ ୫୦୦ କୋଟି ଟଙ୍କାର ଠକେଇ ହୋଇଥିବା ଆପ୍‌-ଆଧାରିତ ଘୋଟାଲାରେ ୟୁଟ୍ୟୁବର ଏଲଭିସ୍‌ ଯାଦବ ଓ କମେଡିଆନ ଭାରତୀ ସିଂହ ଓ ଆଉ ୩ଜଣଙ୍କୁ ସମନ ପଠାଇଛି। ପୁଲିସକୁ ୫୦୦ରୁ ଅଧିକ ଅଭିଯୋଗ ମିଳିଥିଲା, ଯେଉଁଥିରେ ଦର୍ଶାଯାଇଥିଲା, ଅନେକ ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର୍ସ ଓ ୟୁଟ୍ୟୁବର , ନିଜ ନିଜର ପେଜ୍‌ରେ HIBOX ମୋବାଇଲ ଆପ୍ଲିକେସନର ପ୍ରଚାର କରିଛନ୍ତି ଏବଂ ଲୋକଙ୍କୁ ଆପ୍‌ ମାଧ୍ୟମରେ ନିବେଶ କରିବାକୁ ପ୍ରଲୋଭନ ଦେଖାଇଛନ୍ତି। 

ପୁଲିସ କହିଛି କି , ଘୋଟାଲାର ମୁଖ୍ୟ ଅଭିଯୁକ୍ତ ଚେନ୍ନାଇ ନିବାସୀ ଶିବରାମ ( ୩୦ )ଙ୍କୁ ଗିରଫ କରାଯାଇଛି । ଅଭିଯୋଗ ମୁତାବକ, ସୌରଭ ଜୋଶୀ, ଅଭିଷେକ ମଲହାନ , ପୁରଭ ଝା , ଏଲଭିସ ଯାଦବ , ଭାରତୀ ସିଂହ , ହର୍ଷ ଲିମ୍ୱାଚିୟା , ଲକ୍ଷ୍ୟ ଚୌଧୁରୀ , ଆଦର୍ଶ ସିଂହ, ଅମିତ ଓ ଦିଲରାଜ ସିଂହ ରାୱତଙ୍କ ସହ ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସସର୍ସ ଓ ୟୁଟ୍ୟୁବର୍ସ ଆପ୍ଲିକେସନର ପ୍ରଚାର କରିଛନ୍ତି  ଏବଂ ଲୋକଙ୍କୁ ଆପ୍‌ ମାଧ୍ୟମରେ ନିବେଶ କରିବା ପାଇଁ ପ୍ରଲୋଭିତ କରିଛନ୍ତି। 

ପୁଲିସ ଉପାୟୁକ୍ତ (ଆଇଏଫଏସଓ ସ୍ପେଶାଲ ସେଲ) ହେମନ୍ତ ତିୱାରୀ କହିଛନ୍ତି , HIBOX  ଏକ ମୋବାଇଲ ଆପ୍ଲିକେସନ , ଯାହା ଏକ ସୁନିୟୋଜିତ ଘୋଟାଲର ଅଂଶ ଥିଲା। ଡିସିପି କହିଛନ୍ତି କି , ଏହି ଆପ୍ଲିକେସନ ମାଧ୍ୟମରେ ଅଭିଯୁକ୍ତ ପ୍ରତିଦିନ ୧ରୁ ୫ ପ୍ରତିଶତ ଗ୍ୟାରେଣ୍ଟି ରିଟର୍ଣ୍ଣର ଦାବି କରିଥିଲେ, ଯାହା ମାସକରେ ୩୦ରୁ ୯୦ ପ୍ରତିଶତର ବରାବର। ଏହି ଆପ୍‌କୁ ଫେବ୍ରୁଆରୀ ୨୦୨୪ରେ ଲଞ୍ଚ କରାଯାଇ ଥିଲା। ଏହି ଆପ୍‌ରେ ୩୦,୦୦୦ରୁ ଅଧିକ ଲୋକେ ନିବେଶ କରି ଥିଲେ। ପ୍ରାରମ୍ଭିକ ୫ ମାସରେ ନିବେଶକଙ୍କୁ ଭଲ ରିଟର୍ଣ୍ଣ ମିଳିଲା। 

ହେଲେ, ଜୁଲାଇରୁ ଆପ୍‌ରେ ଟେକ୍ନିକାଲ ଖରାପ, ଆଇନଗତ ଓ ଜିଏସଟି ମାମଲା ଆଦି ଦର୍ଶାଇ ପେମେଣ୍ଟ ରୋକି ଦିଆଯାଇଥିଲା। ଡିସିପି ତିୱାରୀ କହିଛନ୍ତି , କଥିତ କମ୍ପାନୀମାନେ ଉତ୍ତର ପ୍ରଦେଶର ନୋଏଡାରେ ନିଜର ଅଫିସ୍‌ ବନ୍ଦ କରିବା ପରେ ଗାଏବ ହୋଇଗଲେ। ପୁଲିସ କହିଛି କି, ମାଷ୍ଟରମାଇଣ୍ଡ ଶିବରାମଙ୍କୁ ଗିରଫ କରି ନିଆ ଯାଇଛି ଏବଂ ଏହାର ୪ଟି ଅଲଗା ଅଲଗା ବ୍ୟାଙ୍କ ଆକାଉଣ୍ଟରୁ ୧୮ କୋଟି ଟଙ୍କା ଜବତ କରାଯାଇଛି।

୧୬ ଅଗଷ୍ଟରେ ଇଣ୍ଟେଲିଜେନ୍ସ ଫ୍ୟୁଜନ ଆଣ୍ଡ ଷ୍ଟ୍ରାଟେଜିକ୍‌ ଅପରେସନ୍ସ (ଆଇଏଫଏସଓ)ରେ HIBOX  ଆପ୍ଲିକେସନ ବିରୋଧରେ ପୁଲିସକୁ ୨୯ ଜଣ ପୀଡ଼ିତଙ୍କ ଅଭିଯୋଗ ମିଳିଥିଲା। ଅଭିଯୋଗକାରୀ ଅଭିଯୋଗ ଲଗାଇଥିଲେ ଯେ, ତାଙ୍କୁ ତାଙ୍କର ନିବେଶ ଉପରେ ହାଇ ରିଟର୍ଣ୍ଣର ଦାବି କରାଯାଇ ଥିଲା। ୨୦ ଅଗଷ୍ଟରେ ସ୍ପେଶାଲ ସେଲ୍‌ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଓ ଆଇଟି ଆକ୍ଟ ସମ୍ୱନ୍ଧିତ ପ୍ରାବଧାନ ଅନୁସାରେ ଏଫଆଇଆର ରୁଜୁ କରିଥିଲା। 

ଯାଞ୍ଚ ବେଳେ ସାଇବର ନର୍ଥଇଷ୍ଟ ଜିଲ୍ଲାରୁ ମଧ୍ୟ ୯ ଜଣ ଲୋକଙ୍କ ଦ୍ୱାରା HIBOX  ଆପ୍ଲିକେସନ ବିରୋଧରେ ଅନେକ ଅଭିଯୋଗ ରୁଜୁ କରାଯାଇ ଥିଲା ,ଯାହାଙ୍କ ସହ ଏହି ପ୍ରକାରର ଠକେଇ ହୋଇଛି।