ନୂଆଦିଲ୍ଲୀ ୨୯/୧୦: ପାକିସ୍ତାନର ଗୁପ୍ତଚର ଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଜଣେ ବ୍ୟକ୍ତିକୁ ଗିରଫ କରିଛି। ଅଭିଯୁକ୍ତର ନାଁ ୫୯ ବର୍ଷୀୟ ଆଦିଲ ହୁସେନ। ଏହି ଗିରଫଦାରୀ ସହିତ, ଦିଲ୍ଲୀ ପୋଲିସ ଏକ ବଡ଼ ଗୁପ୍ତଚର ନେଟୱାର୍କର ପର୍ଦ୍ଦାଫାସ କରିଥିବା ଦାବି କରିଛି। ପୋଲିସ ଅଧିକାରୀ କହିଛନ୍ତି ଯେ ଉକ୍ତ ବ୍ୟକ୍ତିଙ୍କର ଜଣେ ବିଦେଶୀ ପରମାଣୁ ବୈଜ୍ଞାନିକଙ୍କ ସହ ସମ୍ପର୍କ ଥିଲା । ସେ ଝାଡ଼ଖଣ୍ଡର ଜାମସେଦପୁରରୁ ଚାଲିଥିବା ଏକ ନକଲି ପାସପୋର୍ଟ ରାକେଟ ସହିତ ମଧ୍ୟ ଜଡିତ ଥିଲା।
ଗୁଇନ୍ଦା ବିଭାଗର ସୂଚନା ଅନୁଯାୟୀ, ଦିଲ୍ଲୀର ସୀମାପୁରୀ ଅଞ୍ଚଳରେ ଗିରଫ ହୋଇଥିବା ମହମ୍ମଦ ଆଦିଲ ହୁସେନି, ସୟଦ ଆଦିଲ ହୁସେନ, ନସିମୁଦ୍ଦିନ ଏବଂ ସୟଦ ଆଦିଲ ହୁସେନି ନାମରେ ମଧ୍ୟ ପରିଚିତ। ଜେରା ସମୟରେ ସେ ପ୍ରକାଶ କରିଛି ଯେ ଜଣେ ରୁଷୀୟ ବୈଜ୍ଞାନିକଙ୍କଠାରୁ ସମ୍ବେଦନଶୀଳ ପରମାଣୁ ସମ୍ବନ୍ଧୀୟ ଡିଜାଇନ୍ ପାଇଥିଲା ଏବଂ ପରେ ସେଗୁଡ଼ିକୁ ଅଧିକ ମୂଲ୍ୟରେ ଜଣେ ଇରାନୀ ବୈଜ୍ଞାନିକଙ୍କୁ ବିକ୍ରି କରିଥିଲା। ଏହି ସୂଚନା ପାଇବା ପରେ ଅଧିକ ତଦନ୍ତ ପାଇଁ ଗୁଇନ୍ଦା ସଂସ୍ଥାଗୁଡ଼ିକ ରୁଷୀୟ ଏବଂ ଇରାନୀ ପକ୍ଷ ସହିତ ଯୋଗାଯୋଗରେ ଅଛନ୍ତି ।
ପଚରାଉଚରା ସମୟରେ ଆଦିଲ ପ୍ରକାଶ କରିଛି ଯେ ସେ ଏହି ଡିଲ୍ରୁ ବହୁତ ଟଙ୍କା ପାଇଛି। ସେ ଏହି ଟଙ୍କାରୁ କିଛି ଅଂଶ ଦୁବାଇରେ ଥିବା ପ୍ରପଟିରେ ବିନିଯୋଗ କରିଥିଲା । ଏହି ସୂଚନା ଅଣ୍ଡରୱାର୍ଲ୍ଡ ଏବଂ ଗୁପ୍ତଚର ନେଟୱାର୍କ ସହିତ ଆଦିଲର ସମ୍ପୃକ୍ତି ସନ୍ଦେହକୁ ଆହୁରି ସୁଦୃଢ କରିଛି । ତଦନ୍ତ ଏଜେନ୍ସିଗୁଡ଼ିକ ଏବେ ଦୁବାଇରେ ତାଙ୍କ ନିବେଶ ଉପରେ ଅଧିକ ଯାଞ୍ଚ କରୁଛି । ପଚରାଉଚରା ସମୟରେ, ଆଦିଲ ସ୍ୱୀକାର କରିଛି ଯେ ସେ ପାକିସ୍ତାନର ଗୁପ୍ତଚର ଏଜେନ୍ସି, ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ISI) ର ଏଜେଣ୍ଟଙ୍କ ସହ ଜଡିତ ଅଛି।