ନୂଆଦିଲ୍ଲୀ,୧୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମା’ ହୀରାବେନଙ୍କୁ ନେଇ ତିଆରି କରାଯାଇଥିବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଭିଡିଓ ବିରୋଧରେ ଦିଲ୍ଲୀ ପୋଲିସ ଏକ ଏଫଆଇଆର ରୁଜୁ କରିଛି। ଦିଲ୍ଲୀ ପୋଲିସ ଶନିବାର ବିହାର କଂଗ୍ରେସର ସରକାରୀ ସୋସିଆଲ ମିଡିଆ ହ୍ୟାଣ୍ଡେଲ X ରେ ବୁଧବାର AI/Deepfake ଭିଡିଓ ସେୟାର କରିବା ଘଟଣାରେ ମାମଲା ରୁଜୁ କରିଛି।

ଏଫଆଇଆରରେ 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ସ୍ୱର୍ଗତ ମା’ଙ୍କ ଛବିକୁ ବଦନାମ ଏବଂ ଅପମାନିତ କରିବା ଆଇନ, ନୈତିକତା ଏବଂ ମହିଳାଙ୍କ ମର୍ଯ୍ୟାଦାର ଘୋର ଉଲ୍ଲଂଘନ' କରିବା ମାମଲାରେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ ର ଧାରା ୧୮(୨), ୩୩୬(୩), ୩୩୬(୪), ୩୪୦(୨), ୩୫୨, ୩୫୬(୨) ଏବଂ ୬୧(୨) ଅନୁଯାୟୀ ଏହି FIR ରୁଜୁ କରାଯାଇଛି।

ପୋଲିସ ଏଫ୍‌ଆଇରରେ ବିଜେପି ଦିଲ୍ଲୀ ୟୁନିଟ୍‌ର ନିର୍ବାଚନ ସେଲ୍ ସଂଯୋଜକ ସଙ୍କେତ ଗୁପ୍ତାଙ୍କ ପକ୍ଷରୁ କଂଗ୍ରେସ ବିରୋଧରେ କରାଯାଇଥିବା ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି। ସଙ୍କେତ ଗୁପ୍ତା ଦିଲ୍ଲୀ ପୋଲିସର ନର୍ଥ ଆଭିନ୍ୟୁ ଥାନାରେ ମାମଲା ରୁଜୁ କରିଛନ୍ତି। ବିଜେପି ନେତା ସଙ୍କେତ ଗୁପ୍ତା କହିଛନ୍ତି, ଏହି ଏଆଇ ଜେନେରେଟେଡ୍ ଭିଡିଓରେ ପିଏମ୍ ମୋଦି ଓ ତାଙ୍କ ସ୍ବଗର୍ତ ମା’ଙ୍କ ଛବିକୁ ଖରାପ ଭାବରେ ଦେଖାଯାଉଛି। ଏହି ଭିଡିଓ ନା କେବଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ଛବିକୁ ଆଘାତ ଦେଇଛି ତାହା ନୁହେଁ ମହିଳାଙ୍କ ଗାରିମା ଓ ମାତୃତ୍ବକୁ ମଧ୍ୟ ଘୋର ଅପମାନ।‘ ବିଜେପି ଏହାକୁ ରାଜନୀତିର ସୀମା ଉଲଂଘନ କରି ବ୍ୟକ୍ତିଗତ ଜୀବନ ଓ ପରିବାର ଉପରେ ଆକ୍ରମଣ ବୋଲି କହିଛି। ​​​​​​​