ନୂଆଦିଲ୍ଲୀ,୨୪/୦୫: ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ପ୍ରବଳ କୁଆପ‌ଥର ମାଡ଼ ଯୋଗୁଁ ମେ ୨୧ ତାରିଖରେ ଶ୍ରୀନଗରରେ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା। ଯେତେବେଳେ ବିମାନଟି ଅମୃତସର ଉପର ଦେଇ ଯାଉଥିଲା, ସେତେବଳେ କୁଆପ‌ଥର ବର୍ଷା ହେବାରୁ ପାଇଲଟ୍ ଲାହୋର ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ କିଛି ସମୟ ପାଇଁ ପାକିସ୍ତାନୀ ଏୟାରସ୍ପେସ୍ ବ୍ୟବହାର କରିବାକୁ ଅନୁମତି ମାଗିଥିଲେ, କିନ୍ତୁ ଏହାକୁ ପାକିସ୍ତାନ ପ୍ରତ୍ୟାଖ୍ୟାନ କରିଥିଲା। ଏବେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) କହିଛି ଯେ ଏହି ମାମଲାର ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ଉଭୟ ପାଇଲଟ୍ ବିମାନ ଉଡ଼ାଇ ପାରିବେ ନାହିଁ।

କେଉଁ ଦିଗ ଉପରେ ହେବ ତଦନ୍ତ: 

ବର୍ତ୍ତମାନ ଯାଞ୍ଚ କରାଯାଉଛି ଯେ, ପହଲଗାମ ହତ୍ୟାକାଣ୍ଡ ପରେ ପାକିସ୍ତାନ ଭାରତୀୟ ବିମାନ ପାଇଁ ତାର ବାୟୁସୀମା ଅର୍ଥାତ୍‌ ଏୟାରସ୍ପେଶ୍‌କୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିବା ବେଳେ ପାଇଲଟଙ୍କୁ ପାକିସ୍ତାନର ନୋଟାମ ବିଷୟରେ କାହିଁକି ଜଣା ନଥିଲା? ନୋଟାମ ସମୟରେ ଯଦି ପାକିସ୍ତାନ ଏହି ବିମାନକୁ ଆକ୍ରମଣ କରି ଖସାଇ ଦେଇଥାନ୍ତା, ତେବେ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ପାକିସ୍ତାନ ବିରୁଦ୍ଧରେ ମାମଲା ଲଢ଼ିବା ମଧ୍ୟ କଷ୍ଟକର ହୋଇଥାନ୍ତା। ପାଇଲଟ ପଠାନକୋଟର ଅତି ନିକଟରେ ଥିବା ଅମୃତସର ବିମାନବନ୍ଦରରେ ଅବତରଣ କରିବାକୁ କାହିଁକି ଚେଷ୍ଟା କଲେ ନାହିଁ? 

ପଠାନକୋଟ ପାଖରେ ଖରାପ ହୋଇ‌ଥିଲା ପାଣିପାଗ:

ଦିଲ୍ଲୀରୁ ଶ୍ରୀନଗର ଉଡ଼ାଣ ମଧ୍ୟରେ ଇଣ୍ଡିଗୋର ଏହି ବିମାନଟି ପଠାନକୋଟ ପାଖରେ କୁଆପଥର ବର୍ଷା ଏବଂ ପବନର ସାମ୍ନା କରିଥିଲା। ତଥାପି, ସମସ୍ତ ଯାତ୍ରୀଙ୍କ ସହିତ ବିମାନଟି ସୁରକ୍ଷିତ ଭାବରେ ଅବତରଣ କରିଥିଲା। ଡିଜିସିଏ କହିଛି ଯେ ଖରାପ ପାଗ ଯୋଗୁଁ ପାଇଲଟ ବିମାନ ରୁଟରେ ରୁଟ୍ ପରିବର୍ତ୍ତନ କରିବାକୁ ଅନୁମତି ମାଗିଥିଲେ, କିନ୍ତୁ ତାଙ୍କୁ ଲାହୋର ଏୟାରସ୍ପେସରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନଥିଲା। ତେବେ ତମାମ ପ୍ରଶ୍ନକୁ ନେଇ ଏବେ ଯଞ୍ଚ ପରିସରଭୁକ୍ତ ହୋଇଥିବା ବେଳେ ଏହାର ଶେଷ ନହେବା ପର୍ଯ୍ୟନ୍ତ ଉଭୟ ପାଇଲଟଙ୍କୁ ବିମାନ ଉଡ଼ାଇବାକୁ ବାରଣ କରାଯାଇଛି।