ନୂଆଦିଲ୍ଲୀ,୩୦/୦୧: ''ଏ କଲ୍କୁ ରେକର୍ଡିଂରେ ରଖ, ପୁଲିସକୁ ପ୍ରମାଣ ଦେବାରେ କାମରେ ଆସିବ...ମୁଁ ତୋର ଭଉଣୀଙ୍କୁ ମାରୁଛି...ପୁଲିସ୍ ମୋର କିଛି କରିପାରିବ ନାହିଁ । ତୋ ଭଉଣୀର ଚିତ୍କାର ଶୁଣ...'' । ଜଣେ ଭାଇ ଉପରେ କଣ ବିତୁଥିବ, ଯେବେ ତାର ଭିଣୋଇ ଫୋନ୍ କରି ଏହା କହିବ... ଭାଇ ଉପାୟ ଶୂନ୍ୟ ହୋଇ ଭଉଣୀର ଚିତ୍କାର ଶୁଣୁଥିବ । ଗର୍ଭବତୀ ଥିବା ଭଉଣୀ ମୁଣ୍ଡରେ ଯେବେ ଲୁହା ଛଡରେ ତାର ସ୍ୱାମୀ ମାରୁଥିବ । ସେ ଯନ୍ତ୍ରଣାରେ ଛଟପଟ ହେଉଥିବ । ଜଣେ ଭାଇ ପାଇଁ ଏହାଠୁ ବଡ଼ ଦୁଃଖ ଆଉ କ'ଣ ବା ହୋଇପାରେ । ଚାହିଁଲେ ବି ସେ ତାର ଭଉଣୀ ପାଇଁ କିଛି କରିପାରିଲା ନାହିଁ । ୨୭ ବର୍ଷୀୟ ଦିଲ୍ଲୀ ପୁଲିସ୍ ମହିଳା ସ୍ୱାତ୍ କମାଣ୍ଡୋ କାଜଲ ଚୌଧୁରୀଙ୍କୁ ତାଙ୍କ ସ୍ୱାମୀ ଅଙ୍କୁର ନିର୍ମମ ଭାବେ ହତ୍ୟା କରିଛନ୍ତି ।
୫ଦିନ ତଳେ ଆଖି ବୁଜିଲେ କାଜଲ- ଯୌତୁକ ଓ ଘରୋଇ କଳହ କାରଣରୁ ଦିଲ୍ଲୀ ପୁଲିସର ଜଣେ ଗର୍ଭବତୀ ମହିଳା କନେଷ୍ଟବଳ ତଥା ସ୍ୱାତ୍ କମାଣ୍ଡୋଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ଜଣାପଡିଛି । ସ୍ୱାମୀଙ୍କ ମରଣାନ୍ତକ ଆକ୍ରମଣରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଦିଲ୍ଲୀ ପୁଲିସର ମହିଳା କନେଷ୍ଟବଳ କାଜଲଙ୍କର ମଙ୍ଗଳବାର ମୃତ୍ୟୁ ହୋଇଛି । ୨୭ ବର୍ଷୀୟ କାଜଲ ସ୍ୱାତ୍ ଟିମର କମାଣ୍ଡୋ ଭାବେ ଫୋଷ୍ଟିଂ ପାଇଥିଲେ । ସ୍ୱାମୀଙ୍କ ନୃଶଂସ ଆକ୍ରମଣ ପରେ ଉତ୍ତରପ୍ରଦେଶର ଗାଜିଆବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଦୁଇଦିନ ତଳେ ତାଙ୍କର ମୃତ୍ୟୁ ହୋଇଛି ।
ଏହା ବି ପଢନ୍ତୁ...ଛତିଶଗଡ଼ ବିଜାପୁରରେ ଏନକାଉଣ୍ଟର,ଟଳିଲେ ଦୁଇ ମାଓବାଦୀ
କାଜଲ ଓ ତାଙ୍କ ସ୍ୱାମୀ ଅଙ୍କୁର ଚୌଧୁରୀ ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଦ୍ୱାରକା ମୋରରେ ରହୁଥିଲେ । ଜାନୁାଆରୀ ୨୨ ତାରିଖରେ ଯୌତୁକ ତଥା ଘରୋଇ ପ୍ରସଙ୍ଗକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଜୋରଦାର ପାଟିତୁଣ୍ଡ ହୋଇଥିଲା । ଅଙ୍କୁର କାଜଲଙ୍କୁ ଡମ୍ବଲରେ ଆକ୍ରମଣ କରିଥିଲେ । ତାଙ୍କ ମୁଣ୍ଡ ଫାଟି ଯାଇଥିଲା । ଏପରିକି କାନ୍ଥରେ ତାଙ୍କ ମୁଣ୍ଡ ପିଟି ଦେଇଥିଲେ । କାଜଲ ଗୁରୁତର ହୋଇପଡିଥିଲେ । ଅଙ୍କୁର କାଜଲଙ୍କ ଭାଇ ନିଖିଲଙ୍କୁ ଫୋନ କରି ସେ ତାଙ୍କ ଉଭଣୀକୁ ମାରି ଦେଇଥିବା କହିଥିଲେ । ନିଖିଲ ସେଠାରେ ପହଞ୍ଚିବା ବେଳେକୁ ଅଙ୍କୁରଙ୍କ ପରିବାର କାଜଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଜାନୁଆରୀ ୨୭ରେ କାଜଲଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣା ଦିନ କାଜଲ ନିଖିଲଙ୍କୁ ଫୋନ୍ କରିଥିଲେ ହେଲେ ସେମାନଙ୍କୁ ଅଙ୍କୁର ବେଶୀ ସମୟ କଥା କରାଇ ଦେଇନଥିଲେ । ପୁଲିସ୍ ଅଙ୍କୁରଙ୍କୁ ଗିରଫ କରି ତାଙ୍କ ନାମରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କାଜଲ ଏବଂ ଆଙ୍କୁର ନଭେମ୍ବର ୨୩ରେ ପ୍ରେମ ବିବାହ କରିଥିଲେ ।