ଦାରିଙ୍ଗବାଡି,୧୯/୨(ଆପ୍ର): ପଞ୍ଚାୟତସ୍ତରୀୟ ମହାସଂଘର କାର୍ଯ୍ୟକାରୀ କମିଟି(ଇସି) ସଦସ୍ୟା ଦାରିଙ୍ଗବାଡି ବିଡ଼ିଓ ପ୍ରୀତି ରଞ୍ଜନ ରଥଙ୍କୁ ବିଭିନ୍ନ ଦାବି ପୂରଣ ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ମିଶନ ଶକ୍ତି ପୁନର୍ଗଠନ ବନ୍ଦ ଓ ଇସିମାନଙ୍କ ବ୍ଲେଜର ବାବଦ ଟଙ୍କା ଦେବାକୁ ଦାବିପତ୍ରରେ ଦର୍ଶାଇଛନ୍ତି।

 ସଂଘର ଦାବି ମୁତାବକ ଇସି ସଦସ୍ୟାଙ୍କୁ ବ୍ଲେଜର ପ୍ରଦାନ ନିମନ୍ତେ ପୂର୍ବ ସରକାର ୨୦୨୩ ମସିହାରେ ୨୦୦୦ ଟଙ୍କା ଲେଖାଁଏ ଘୋଷଣା କରିଥିଲେ । ଏଥି ନିମନ୍ତେ ଓଡ଼ିଶା ଜୀବିକା ମିଶନକୁ ଟଙ୍କା ମଧ୍ୟ ପ୍ରଦାନ କରିଥିଲେ ।  ଦାରିଙ୍ଗବାଡି,ଗ୍ରେନବାଡ଼ି ଓ ଭ୍ରମରବାଡି ପଞ୍ଚାୟତର ୫୪ ଜଣ ଇସି ସଦସ୍ୟାଙ୍କୁ ବ୍ଲେଜର ପାଇଁ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା ।  ବଳକା ୨୨ ପଞ୍ଚାୟତର ୩୯୬ ଜଣ ଇସିଙ୍କୁ ବ୍ଲେଜର ପାଇଁ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଟଙ୍କା ପ୍ରଦାନ କରାଯାଇନାହିଁ । 

ଜିଲ୍ଲାର ଅନ୍ୟ ବ୍ଲକ ଗୁଡ଼ିକରେ ସମସ୍ତ ଇସି ସଦସ୍ୟା ମାନଙ୍କୁ ବ୍ଲେଜର ବାବଦ ଟଙ୍କା ଦିଆଯାଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଓଡ଼ିଶା ଜୀବିକା ମିଶନର ବେପରୁଆ ମନୋଭାବ ଯୋଗୁଁ  ଇସି ସଦସ୍ୟା ବ୍ଲେଜର ପାଇପାରିନଥିବା ସଂଘ ଅଭିଯୋଗ କରିଛି । ଏଥି ସହିତ ୬ ମାସର ବର୍ଦ୍ଧିତ ଦରମା ପ୍ରଦାନ, ୨୦୨୨ ଓ ୨୦୨୩ ବର୍ଷର ଗସ୍ତ ଓ ମିଟିଂ ଖର୍ଚ୍ଚ ପ୍ରଦାନ ଓ  ମିଶନ ଶକ୍ତିର ପୁନର୍ଗଠନ ନେଇ ସରକାର ଯେଉଁ ନିଷ୍ପତ୍ତି ନେଇ ଛନ୍ତି ତାହାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ସଂଘ ଦାବି କରିଛି । ଏହି ସବୁ ଦାବି ପୁରଣ କରିବା ପାଇଁ ବିଡ଼ିଓ ଙ୍କ ଠାରେ ଇସି ସଦସ୍ୟାମାନେ ଦାବିପତ୍ର ପ୍ରଦାନ କରିଛନ୍ତି । ବ୍ଲେଜର ବାବଦକୁ ଆସିଥିବା ଟଙ୍କା ଓ ବର୍ଦ୍ଧିତ ଦରମା ଖୁବ୍ ଶୀଘ୍ର ପ୍ରଦାନ କରାଯିବ ବୋଲି ବିଡ଼ିଓ ପ୍ରତିଶ୍ରୁତି ଦେଇଥିଲେ।  ତେବେ  ମିଶନ ଶକ୍ତି ପୁନର୍ଗଠନ ବନ୍ଦ ନେଇ ଯେଉଁ ଦାବି ରହିଛି  ସେଥିପାଇଁ ସରକାରଙ୍କ ପାଖକୁ ଦାବିପତ୍ର ପଠାଇ ଦିଆଯିବ ବୋଲି ସେ କହିଥିଲେ।