କଟକ,୦୯/୦୨: ଇଂରାଜୀ ବିଦ୍ୱାନ ତଥା ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍ ଓ ଭାରତୀୟ ପ୍ରାଚୀନ ଲିପିର ଗବେଷକ ଜେମ୍ସ ପ୍ରିନ୍‌ସେପ୍‌ଙ୍କ ଜର୍ଣ୍ଣାଲ୍ ‘ଏସିଆଟିକ୍ ସୋସାଇଟି ଅଫ୍ ବେଙ୍ଗଲ୍’ ଭାରତୀୟ ପ୍ରାଚୀନ ଲିପି ଉପରେ ଆଧାରିତ ଏକ ଲୋକପ୍ରିୟ ପତ୍ରିକା । ୧୮୩୭ ମସିହାରେ ପତ୍ରିକାର ଷଷ୍ଠ ସଂସ୍କରଣରେ କଟକ ଉପରେ ଏକ ଆଲେଖ୍ୟ ପ୍ରକାଶ ପାଇଛି, ଯାହାର ଶୀର୍ଷକ ରହିଛି ‘କଟକ କେଭ୍‌ସ୍’ ଅର୍ଥାତ୍ କଟକର ଗୁମ୍ଫା । ଗୁରୁତ୍ୱପୂର୍ଣ୍ଣ ହେଉଛି, ଏହି ଆଲେଖ୍ୟରେ ଏହି ପ୍ରସିଦ୍ଧ ଗବେଷକ ‘କୁଟାକ୍’ ନଲେଖି ବାସ୍ତବ ବନାନ ‘କଟକ’ ଲେଖିଛନ୍ତି । କଟକ ନାଁର ବନାନ ସଂଶୋଧନ ଦାବି ଏବେ ତେଜୁଥିବା ବେଳେ ବିଦେଶୀ ପ୍ରତ୍ନତତ୍ତ୍ୱବିତ୍‌ଙ୍କ ଏହି ଆଲେଖ୍ୟକୁ ଏ ଦିଗରେ ବଳିଷ୍ଠ ପ୍ରମାଣ ଭାବେ ଗ୍ରହଣ କରାଯାଇପାରେ ।

ଓଡ଼ିଶାର ୭ ଜିଲ୍ଲାର ନାମର ବନାନ୍ ସଂଶୋଧନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ ପୁରୁଣା ରାଜଧାନୀ କଟକକୁ ଛାଡ଼ିଯାଇଛନ୍ତି । ଏହାକୁ ନେଇ କଟକର ବୁଦ୍ଧିଜୀବୀ, ସାମାଜିକ ସଂଗଠନ ଓ ବିଭିନ୍ନ ବର୍ଗଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ଦୀର୍ଘ ବର୍ଷ ଧରି କଟକର ପ୍ରକୃତ ଇଂରାଜୀ ବନାନ୍ ରହିଛି କୁଟାକ୍ । ଏହାକୁ ନେଇ ରାଜନୈତିକ ମହଲରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଉଛି । ଏଭଳି ସ୍ଥିତିରେ କଟକର ବନାନ୍‌କୁ ନେଇ ଭିନ୍ନ ଭିନ୍ନ ପ୍ରମାଣ ଓ ଦସ୍ତାବିଜ୍ ସାମ୍ନାକୁ ଆସୁଛି । ନିକଟରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଏକ ପରିତ୍ୟକ୍ତ କୋଠାଘରେ ଅଲୋଡ଼ା ହୋଇ ପଡିରହିଥିବା ଟ୍ରେଜେରି (ଆଇରନ୍ ଚେଷ୍ଟ୍)ରେ ଇଂରାଜୀରେ କଟକ ବୋଲି ଉଲ୍ଲେଖ ରହିଛି । ୧୯୨୪ ମସିହାର ଏହି ଐତିହ୍ୟକୁ ନେଇ ଆଲୋଚନା ଜାରି ରହିଥିବା ବେଳେ ଏହାଠାରୁ ପ୍ରାୟ ୮୭ବର୍ଷ ତଳର ଆଉ ଏକ ପ୍ରମାଣ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ କଟକର ଇଂରାଜୀ ବନାନ୍ କୁଟାକ୍ ନୁହେଁ କଟକ ବୋଲି ଉଲ୍ଲେଖ ରହିଛି ।

ଆହୁରି ପଢ଼ନ୍ତୁ :- ଜଳପରୀ ଦେଖିବାକୁ ପିଲାଠୁ ବୁଢ଼ା ଜମାଉଛନ୍ତି ଭିଡ଼, ସନ୍ଧ୍ୟା ହେଲେ ଶିଶିର ମେଳାରେ ଲାଗୁଛି ଲମ୍ବା ଲାଇନ୍

ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍ ଜେମ୍ସ ପ୍ରିନ୍‌ସେପ୍‌ଙ୍କ ପତ୍ରିକାରେ କଟକ ଗୁମ୍ଫା ସଂପର୍କିତ ଲେଖାରେ କଟକ ଉଲ୍ଲେଖ ରହିଛି । ଅର୍ଥାତ୍ ପ୍ରାୟ ଦୁଇଶହ ବର୍ଷ ପୂର୍ବରୁ ବିଦେଶୀମାନେ କଟକ ହିଁ ସମ୍ବୋଧନ କରୁଥିଲେ ଏବଂ ଲେଖୁଥିଲେ । ଏହି ଆଲେଖ୍ୟରେ କେବଳ ଗୋଟିଏ କି ଦୁଇଟି ଜାଗାରେ କଟକ ଲେଖାଯାଇଛି କିମ୍ବା ଏହାକୁ ଭୁଲ୍ବଶତଃ ଲେଖାଯାଇଛି ବୋଲି କୁହାଯାଇ ପାରିବ ନାହିଁ । ବାରମ୍ବାର ଗବେଷକ କୁଟାକ୍ ନୁହେଁ ବରଂ କଟକ ହିଁ ଲେଖିଛନ୍ତି । ଏହାର କପି ମଧ୍ୟ ସଂରକ୍ଷିତ ହୋଇ ରହିଛି । ଗବେଷକ ନିଜ ଆଲେଖ୍ୟ ବାବଦରେ ଅନେକ ଗବେଷଣା ବି କରିଥିବା ଜଣାଯାଏ । ‘କଟକ କେଭ୍‌ସ୍ ’ ଆଲେଖ୍ୟର ଉପକ୍ରମରେ ଗବେଷକ ଜେମ୍ସ ପ୍ରିନ୍ସେପ୍ ଏକ ବାକ୍ୟ ଲେଖିଛନ୍ତି ଯାହା ଗବେଷଣାର ପ୍ରମାଣ ଦେଉଛି । ଯେଉଁଥିରେ ଉଲ୍ଲେଖ ରହିଛି ଯେ, ‘ଏହି ଗୁମ୍ଫାମାନେ ସାଧାରଣ ମାନଚିତ୍ରରେ ଚିହ୍ନଟ ନୁହେଁ । ତଥାପି, ଏହାର ସ୍ଥାନ ସହଜରେ ଜଣାଯାଏ । କଟକର ଦକ୍ଷିଣ-ପୂର୍ବ ଦିଗକୁ ପ୍ରାୟ ୧୭ ମାଇଲ୍ ଦୂରରେ ଗୁମ୍ଫାଗୁଡିକର ଅବସ୍ଥିତି ।’ ଏହି ବାକ୍ୟରେ ଗବେଷକ ଉଦୟଗିରି ଗୁମ୍ଫା ବିଷୟରେ ବିସ୍ତୃତ ଭାବେ ପ୍ରକାଶ କରିଛନ୍ତି । ସେ ସମୟରେ ଇଂରେଜ ଶାସନାଧୀନ ଓଡ଼ିଶାରୁ ଗବେଷକ ତଥ୍ୟ ସଂଗ୍ରହ କରି ଆଲେଖ୍ୟ ପ୍ରସ୍ତୁତ କରିଥିବା ବେଳେ ଆଜିର ଦିନରେ ଏହାର ପ୍ରାସଙ୍ଗିକତା ରହିଛି ବୋଲି କୁହାଯାଇପାରେ ।

ଆହୁରି ପଢ଼ନ୍ତୁ :- ଭୁବନେଶ୍ବର ମର୍ଡର ମିଷ୍ଟ୍ରିରେ ନୂଆ ଟୁଇଷ୍ଟ୍, ଟ୍ୟାକ୍ସି ଡ୍ରାଇଭରଙ୍କ ହତ୍ୟା ପଛରେ ପାର୍ଲର ଗର୍ଲ ପ୍ରେମିକା !