ପାଟଣାଗଡ, ୧|୮(ଆପ୍ର): ପାଟଣାଗଡ଼ ଏନ୍ଏସିରେ ବସବାସ କରୁଥିବା ବାସହୀନ ପରିବାରଙ୍କୁ ମିଳିଥିବା  ଘରଡିହ ଉପରେ   ହେଲିପ୍ୟାଡ ନିର୍ମାଣକୁ ବିରୋଧ ।  ରଦ୍ଦ   ପଟ୍ଟାକୁ କାର୍ଯ୍ୟକ୍ଷମ କରି ନୂତନ ଘରଡିହ ପ୍ରଦାନ ଦାବୀରେ  ଭୂମିହୀନ ପରିବାର ବର୍ଗ  ଉପଜିଲ୍ଲାପାଳଙ୍କ ଜରିଆରେ ମୂଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରିଛନ୍ତି। 

ସ୍ଥାନୀୟ ବ୍ରହ୍ମପୁରା ରଥଭଟା ଠାରେ ସମସ୍ତ ପଟ୍ଟାଧାରୀମାନେ ଏକତ୍ରିତ ହୋଇଥିଲେ। ପରେ ପୂର୍ବତନ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ସରୋଜ କୁମାର ମେହେରଙ୍କ ନେତୃତ୍ବରେ  ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ  କାର୍ଯ୍ୟାଳୟ ସମ୍ମୁଖରେ  ପହଞ୍ଚିଥିଲେ । ସେଠାରେ  ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା । ଏଥିରେ ଶ୍ରୀ ମେହେର କହିଥିଲେ   ପାଟଣାଗଡ ଏନ୍ଏସିର ୬୨ ରୁ  ଉର୍ଦ୍ଧ୍ବ ଭୂମିହୀନ ପରିବାରଙ୍କୁ ୨୦୨୪ ମସିହାରେ ଘରଡିହ ପଟ୍ଟା ପ୍ରଦାନ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଉକ୍ତ ଭୂମିହୀନ ପରିବାରଙ୍କୁ   ମିଳିଥିବା  ପଟ୍ଟାକୁ ରଦ୍ଦ କରି  ଏନ୍ଏସିର ବେହେରାବନ୍ଧ ପାଟଣାଗଡ଼ ଥାନା ଖାତା ନଂ ୧୨୦ କୁ ଫେରାଇ  ନେଇଛନ୍ତି ।  ଏପରିକି ଘରଡିହ ପଟ୍ଟାଧାରୀ ମାନେ ପୂର୍ବରୁ ମାଲଗୁଜାରୀ ମଧ୍ୟ ପୈଠ କରି ଆସୁଥିବାବେଳେ ବର୍ତ୍ତମାନ ତାଙ୍କ ପଟ୍ଟାକୁ ରଦ୍ଦ କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।  ବାସହୀନ ପରିବାରଙ୍କୁ ମିଳିଥିବା ଘରଡିହ ଉପରେ ବର୍ତ୍ତମାନ ସେଠାରେ  ହେଲିପ୍ୟାଡ ନିର୍ମାଣ କରାଯାଉଛି।  ଏନେଇ କୌଣସି ଅବଗତ କିମ୍ବା ଜନଶୁଣାଣୀ ହୋଇନଥିବା ବେଳେ ତହସିଲଦାର ମଧ୍ୟ ଅଜ୍ଞ  ଥିବା ଶ୍ରୀ ମେହେର ତାଙ୍କ ଅଭିଭାଷଣରେ କହିଥିଲେ ।

ଉପଜିଲ୍ଲାପାଳଙ୍କ ଅନୁପସ୍ଥିତ ଯୋଗୁଁ ସହକାରୀ ଜିଲ୍ଲାପାଳ ମାନ୍ ସଫିଲ କେରକେଟା  ଆନ୍ଦୋଳନ ସ୍ଥଳକୁ ଆସି ଦାବୀପତ୍ର ଗ୍ରହଣ କରିଥିଲେ।  ୭ ଦିନ ଭିତରେ ଦାବୀ ପୂରଣ ନ ହେଲେ ବାସହୀନ ପରିବାରଙ୍କ ସହ ବିଜୁପରିବାର   ରାଜରାସ୍ତାକୁ ଓହ୍ଲାଇବେ ବୋଲି ପୂର୍ବତନ ବିଧାୟକ ଶ୍ରୀ ମେହେର ଚେତାବନୀ ଦେଇଛନ୍ତି। ଏଥିରେ ଆଇନଜୀବୀ ଇନ୍ଦୁ ଭୂଷଣ ଠାକୁର, ଜିଲ୍ଲାପରିଷଦ ସଦସ୍ୟା କସ୍ତୁରୀ ସେଠ,ଏନ୍ଏସି ଅଧ୍ୟାକ୍ଷା ମାନସୀ ବିଶ୍ଵାଳ, ବ୍ଳକ ଉପାଧ୍ୟକ୍ଷା ଲକ୍ଷ୍ମୀ ମାଝୀ, ସମିତି ସଭ୍ୟ ସଂଘ ସଭାପତି ଗୋବିନ୍ଦ ମେହେର, ସୁଜିତ ମେହେର,ପ୍ରଦିପ ପୁରୋହିତ,  ମନବୋଧ ବରିହା , ପ୍ରକାଶ ସିଂ ,ସୁକୁମାର ବାରିକଙ୍କ ସହ ଶତାଧିକ  ଭୂମିହୀନ ହିତାଧିକାରୀମାନେ ଉପସ୍ଥିତ ଥିଲେ।