ଭୁବନେଶ୍ୱର,୦୨/୦୮: ରାଜଧାନୀ ଭୁବନେଶ୍ୱର ଏବେ ଡେଙ୍ଗୁର ହଟ୍‌ସ୍ପଟ୍‌ ପାଲଟିଛି । ଜୁଲାଇରେ ଭୁବନେଶ୍ୱର ରେକର୍ଡ ସଂଖ୍ୟକ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ମାସରେ କେବଳ  ଶହେରୁ ଅଧିକ ରୋଗୀ ଚିହ୍ନଟ ହୋଇଥିବା ବେଳେ  ଆଜି ପର୍ଯ୍ୟନ୍ତ ମୋଟ ୧୯୮ ରୋଗୀଙ୍କୁ ସ୍ୱାସ୍ଥ୍ୟ ବିଭାଗ  ଠାବ କରିସାରିଲାଣି । ତେଣୁ ମଶା ବଂଶ ନିପାତ  କରିବାକୁ ସ୍ୱାସ୍ଥ୍ୟ ବିଭାଗ ସାଙ୍ଗରେ କାନ୍ଧ ମିଳାଇ  ଭୁବନେଶ୍ୱର ମହାନଗର ନିଗମ ଲାଗିପଡ଼ିଛି । 

ଏ ତ’ ଗଲା ଭୁବନେଶ୍ୱର ସହରାଞ୍ଚଳ  ସ୍ଥିତି । ଯଦି ଖୋର୍ଦ୍ଧା ଜିଲ୍ଲା ଉପରେ ନଜର ଦେବା  ତେବେ ସେଠାରେ ମଧ୍ୟ ସ୍ଥିତି ସଙ୍ଗୀନ । ଜିଲ୍ଲାର ୧୦ଟି ବ୍ଲକରେ ଏଯାବତ୍‌ ୬୬ ରୋଗୀଙ୍କୁ ଚିହ୍ନଟ  କରାଯାଇଛି । ଭୁବନେଶ୍ୱର ଓ ଖୋର୍ଦ୍ଧାକୁ ମିଶାଇ  ମୋଟ ୨୬୪ ରୋଗୀ ଠାବ ହୋଇସାରିଛନ୍ତି ।  ପ୍ରତିଦିନ ପାଖାପାଖି ଦଶ ରୋଗୀ ବାହାରୁଛନ୍ତି ।  ତେଣୁ ସତର୍କତା ଜରୁରି ହୋଇପଡ଼ିଛି ବୋଲି  ସ୍ୱାସ୍ଥ୍ୟ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ।  

ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ,  ଜିଲ୍ଲାରେ ମୋଟ ୨୨ହଜାର୮୫୨ଟି ମଶାବଂଶ  (ହଟ୍‌ସ୍ପଟ୍‌) ମିଳିଛି । ସେଥିମଧ୍ୟରୁ ୨୨ହଜାର୮୨୨  ସ୍ଥାନକୁ ନଷ୍ଟ କରାଯାଇଛି । ସେହିପରି ୨ ଲକ୍ଷ  ୪୯ହଜାର ୪୬୨ଟି ଜଳାଶୟ, କେନାଲ ଆଦିରେ  ଆଣ୍ଟିଲାର୍ଭିସିଡ୍‌ ସିଞ୍ଚନ ହୋଇଛି । ଯେପରିକି  ସେଠାରେ ମଶାବଂଶ ବୃଦ୍ଧି ନହେବ । ୧୧୩ଟି  ସ୍କୁଲ ପରିସରରେ ମଧ୍ୟ ବିଶୋଧନ କରାଯାଇଥିବା  ସୂଚନା ମିଳିଛି ।

 ଅପରପକ୍ଷେ, ସ୍ୱଚ୍ଛ ଭାରତ  ମିଶନ-ଅର୍ବାନ ୨.୦ ଅନ୍ତର୍ଗତ କାର୍ଯ୍ୟକ୍ରମ ‘ସଫାଇ  ଅପ୍‌ନାଓ, ବିମାରୀ ଭଗାଓ’ ଭୁବନେଶ୍ୱରରେ  ଜୋରସୋର୍‌ରେ ଚାଲିଛି । ଏହି କାର୍ଯ୍ୟକ୍ରମରେ  ଡେଙ୍ଗୁ ନ ବ୍ୟାପିବା ଲାଗି ସହରରେ ସଫେଇ  ତ୍ୱରାନ୍ୱିତ ହୋଇଛି । ସ୍ୱଚ୍ଛ କର୍ମୀମାନେ ଘରକୁ  ଘର ବୁଲି ଲୋକଙ୍କୁ ଡେଙ୍ଗୁ ବିଷୟରେ ସଚେତନ  କରୁଛନ୍ତି । ସେହିପରି ବିଭିନ୍ନ ଘର, ରାସ୍ତା, ମନ୍ଦିର  ପାଖରେ ଥିବା ଫୁଲ କୁଣ୍ଡରୁ ଆବର୍ଜନା ପାଣି  ନିଷ୍କାସନ କରାଯାଉଛି । ଏତେସବୁ ପରେ ବି ଡେଙ୍ଗୁ  ବ୍ୟାପିବା ଚିନ୍ତାର କାରଣ ପାଲଟିଛି । 

ଉଲ୍ଲେଖଯୋଗ୍ୟ ଯେ ଡେଙ୍ଗୁ ରୋକିବାକୁ  ସକ୍ରିୟ ଭାବେ କାମ କରୁଛି ସ୍ୱାସ୍ଥ୍ୟ ବିଭାଗ ।  ଏଥରକ ଭୁବନେଶ୍ୱରରେ ଥିବା ୪ଟି ସହରାଞ୍ଚଳ  ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ୨୨ଟି ସହରାଞ୍ଚଳ ପ୍ରାଥମିକ  ସ୍ୱାସ୍ଥ୍ୟକେନ୍ଦ୍ରରେ ନମୁନା ସଂଗ୍ରହ କରାଯାଉଛି ।  ସେହିପରି କ୍ୟାପିଟାଲ ହସ୍ପିଟାଲ୍‌, ଆର୍‌ଏମ୍‌ଆର୍‌ସି,  ପଟିଆ ଓ ଆଇଆରସି ଭିଲେଜ୍‌ ସ୍ୱାସ୍ଥ୍ୟକେନ୍ଦ୍ରରେ  ମଧ୍ୟ ନମୁନା ସଂଗ୍ରହ ହେଉଛି । ସବୁଠି ଏଲିସା  କିଟ୍‌ରେ ଡେଙ୍ଗୁ ପରୀକ୍ଷଣ କରାଯାଉଥିବା ବିଭାଗ  ପକ୍ଷରୁ ସୂତନା ମିଳିଛି ।