ମାଲକାନଗିରି, ୧୧/୧୨ : ଥମିଛି ଉତ୍ତେଜନା । ଏମ୍ଭି-୨୬ ଗାଁକୁ ଫେରୁଛି ଶାନ୍ତି। ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ। ଉପମୁଖ୍ୟମନ୍ତ୍ରୀଙ୍କ ସହ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଅତିରିକ୍ତ ପୁଲିସ ମହା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ମାଲକାନଗିରି ଗସ୍ତ କରିଛନ୍ତି। ଏକ ସ୍ଵତନ୍ତ୍ର ବିମାନ ଯୋଗେ ମାଲକାନଗିରି ଏୟାରପୋର୍ଟରେ ପହଞ୍ଚିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ସମୀକ୍ଷା ବୈଠକ କରିଛନ୍ତି । ଏମଭି-୨୬ ଗ୍ରାମର ପରିସ୍ଥିତି ନେଇ ଓ ଶାନ୍ତି ପ୍ରତିଷ୍ଠା ନେଇ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଉଭୟ ଗୋଷ୍ଠୀଙ୍କ ସହ ଆଲୋଚନା କରୁଛନ୍ତି। ରାଜ୍ୟ ସରକାର ଘଟଣାକୁ ଗୁରୁତର ଭାବେ ନେଇ ଶାନ୍ତି ପ୍ରତିଷ୍ଠା ଲାଗି ଅଧିକ ପୋଲିସ ମୁତୟନ କରିଥିବା କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି।
ସୂଚନା ଥାଉକି, ହତ୍ୟାକାଣ୍ଡର ୫ ଦିନ ପରେ କାଲିମେଳା ଥାନା ନାମକୋଣ୍ଡା ପୋଟେରୁ ନଦୀର ଏକ ଗାଧୁଆ ତୁଠରୁ ମହିଳାଙ୍କ କଟାମୁଣ୍ଡ ମିଳିଛି। ସ୍ଥିତି ଉପରେ ନଜର ଲାଗି ବଙ୍ଗୀୟ ଗାଁଗୁଡିକରେ ସିସି କ୍ୟାମେରା ଲଗାଯାଇଥିବା ବେଳେ ଆଉ ୧୨ ଘଣ୍ଟା ପାଇଁ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ଗୁରୁବାର ମଧ୍ୟରାତ୍ର ୧୨ଟା ଯାଏଁ କଟକଣା ବଳବତ୍ତର ରହିବ।
ପରିସ୍ଥିତି ନିୟନ୍ତ୍ରଣକୁ ଆସୁଥିବାରୁ ଏମ୍ଭି ୨୬ ଗାଁର କେତେକ ଲୋକ ଘରକୁ ଫେରି ଉଜୁଡ଼ା ଘରକୁ ପୁଣି ସଜାଡ଼ିବାରେ ଲାଗିପଡ଼ିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ କହିଛନ୍ତି, ପ୍ରଶାସନ ପକ୍ଷରୁ ଏମଭି-୨୬ ଗାଁର କ୍ଷତିଗସ୍ତ ୨୨୦ ପରିବାରକୁ ତିନିଦିନ ହେଲା ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ହ୍ରାସ ପାଇବା ସହ ପରିସ୍ଥିତି ସୁଧୁରିବାରେ ଲାଗିଛି । ତଥାପି ଗାଁରେ ବିଏସ୍ଏଫ୍ ଯବାନ, ପୁଲିସ ଏବଂ ଅଗ୍ନିଶମ କର୍ମଚାରୀ ମୁତୟନ ଅଛନ୍ତି । ଏମଭି-୨୬ ଗାଁରେ ପୋଡ଼ାଜଳା ଏବଂ ଭଙ୍ଗାରୁଜା କ୍ଷୟକ୍ଷତିର ଆକଳନ କରାଯାଉଛି । ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ କ୍ଷୟକ୍ଷତି ଆକଳନ କରି ଗ୍ରାମବାସୀଙ୍କୁ ସହାୟତା ଯୋଗାଇ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୃତ ଲାକେଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୩୦ ହଜାର ଟଙ୍କା ଦିଆଯାଇଛି ।
ସୂଚନାଥାଉକି, ରାଖେଲଗୁଡ଼ା ଗାଁର ଲାକେଙ୍କୁ ମୁଣ୍ଡକାଟି ହତ୍ୟା କରାଯାଇଥିଲା । ମୁଣ୍ଡବିହୀନ ଶବ ଏମ୍ଭି-୨୬ ନିକଟ ନଦୀରୁ ମିଳିବା ପରେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। କଟାମୁଣ୍ଡ ଖୋଜି ବାହାର କରିବା ଦାବିରେ ଗାଁ ଲୋକେ ଅଡ଼ି ବସିଥିଲେ। ପରେ ପରେ ବିଭିନ୍ନ ଆଦିବାସୀ ସଂଗଠନ ତୁରନ୍ତ ଅଭିଯୁକ୍ତକୁ ଗିରଫ ଦାବିରେ ଏମ୍ଭି-୨୬ ଗାଁରେ ଗୃହଦାହ ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଫଳରେ ପୂରା ଗାଁ ଛାରଖାର ହୋଇଯାଇଥିଲା ।