ଭୁବନେଶ୍ୱର,୦୮/୦୮: ପାଞ୍ଚ ଦିନରେ ପାଞ୍ଚ ଜିଲ୍ଲା ବୁଲିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ ଶୁକ୍ରବାରଠାରୁ ଆରମ୍ଭ କରି ଆଗାମୀ ପାଞ୍ଚ ଦିନ ଯାଏ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର ଓ ସୋନପୁର ଜିଲ୍ଲା ଗସ୍ତ କରିବେ । ଏହି ଗସ୍ତ ଅବସରରେ ସେ କୋରାପୁଟ ଜିଲ୍ଲାର ସୀମାନ୍ତ କୋଟିଆ ମଧ୍ୟ ଯିବେ । କୋଟିଆରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସହିତ ସୁଭଦ୍ରା ଯୋଜନାର ସମୀକ୍ଷା କରିବେ ।
ଅଗଷ୍ଟ ୯ ତାରିଖ ରାଖୀ ପୂର୍ଣ୍ଣିମା ଅବସରରେ କୋରାପୁଟରେ ଆୟୋଜିତ ସୁଭଦ୍ରା ତୃତୀୟ କିସ୍ତି ପ୍ରଦାନ ସମାରୋହରେ ମଧ୍ୟ ଯୋଗଦେବେ । ଏହି ପାଞ୍ଚ ଦିନିଆ ଗସ୍ତରେ ଶ୍ରୀମତୀ ପରିଡ଼ା ୫ଟି ଜିଲ୍ଲାରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାଗୁଡ଼ିକର ସମୀକ୍ଷା କରିବା ସହ ଆଗାମୀ କାର୍ଯ୍ୟକ୍ରମ ଓ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ସମୀକ୍ଷା କରିବେ।