ଭୁବନେଶ୍ୱର,୦୮/୦୮: ପାଞ୍ଚ ଦିନରେ ପାଞ୍ଚ ଜିଲ୍ଲା ବୁଲିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ ଶୁକ୍ରବାରଠାରୁ ଆରମ୍ଭ କରି ଆଗାମୀ ପାଞ୍ଚ  ଦିନ ଯାଏ କୋରାପୁଟ, ନବରଙ୍ଗପୁର,  କଳାହାଣ୍ଡି, ବଲାଙ୍ଗିର ଓ ସୋନପୁର ଜିଲ୍ଲା  ଗସ୍ତ କରିବେ । ଏହି ଗସ୍ତ ଅବସରରେ  ସେ କୋରାପୁଟ ଜିଲ୍ଲାର ସୀମାନ୍ତ କୋଟିଆ  ମଧ୍ୟ ଯିବେ । କୋଟିଆରେ ବିଭିନ୍ନ  ବିକାଶମୂଳକ କାର୍ଯ୍ୟକ୍ରମ ସହିତ ସୁଭଦ୍ରା  ଯୋଜନାର ସମୀକ୍ଷା କରିବେ । 

ଅଗଷ୍ଟ  ୯ ତାରିଖ ରାଖୀ ପୂର୍ଣ୍ଣିମା ଅବସରରେ  କୋରାପୁଟରେ ଆୟୋଜିତ ସୁଭଦ୍ରା ତୃତୀୟ କିସ୍ତି ପ୍ରଦାନ ସମାରୋହରେ  ମଧ୍ୟ ଯୋଗଦେବେ । ଏହି ପାଞ୍ଚ ଦିନିଆ ଗସ୍ତରେ ଶ୍ରୀମତୀ ପରିଡ଼ା ୫ଟି ଜିଲ୍ଲାରେ  ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ  ପର୍ଯ୍ୟଟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ  ଯୋଜନାଗୁଡ଼ିକର ସମୀକ୍ଷା କରିବା ସହ  ଆଗାମୀ କାର୍ଯ୍ୟକ୍ରମ ଓ ପ୍ରକଳ୍ପଗୁଡ଼ିକର  କାର୍ଯ୍ୟାନ୍ୱୟନ ସମୀକ୍ଷା କରିବେ।