ନୂଆଦିଲ୍ଲୀ,୧।୧୨: ଇଣ୍ଡୋନେସିଆର ସୁମାତ୍ରାରେ ପ୍ରବଳ ବର୍ଷା ପରେ ଜଳ ପ୍ରଳୟ। କିଛି ଘଣ୍ଟା ଧରି ଲଗାତାର ବର୍ଷା ଯୋଗୁଁ ନଦୀଗୁଡିକରେ ବିପଦ ସଙ୍କେତ ଉପର ଦେଇ ଗତି କରୁଛି। ଏହା ସହ ପାର୍ବତ୍ୟ ଅଞ୍ଚଳରେ ବଡ଼ ଧରଣର ଭୂସ୍ଖଳନ ହେଉଛି। ଏହି ବିପର୍ଯ୍ୟୟ ତିନୋଟି ରାଜ୍ୟକୁ ସର୍ବାଧିକ ପ୍ରଭାବିତ କରିଛି। ତାହା ହେଲା ଉତ୍ତର ସୁମାତ୍ରା, ପଶ୍ଚିମ ସୁମାତ୍ରା ଏବଂ ଆଚେ। ଏହି ସହର ସମ୍ପୂର୍ଣ୍ଣ ଭାବରେ ବାହ୍ୟଜଗତଠାରୁ ବିଚ୍ଛିନ୍ନ ହୋଇଯାଇଛି।
ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା (BNPB)ର ମୁଖ୍ୟ ସୁହାର୍ୟନ୍ତୋ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏପର୍ଯ୍ୟନ୍ତ ୫୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ନିଖୋଜ ଅଛନ୍ତି। ହଜାର ହଜାର ଲୋକ ବାସହୀନ ହୋଇଛନ୍ତି । ରିପୋର୍ଟ ଅନୁଯାୟୀ, ଉତ୍ତର ସୁମାତ୍ରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି, ଯେଉଁଥିରେ ୧୬୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୪୩ ଜଣ ନିଖୋଜ ଅଛନ୍ତି। ପଶ୍ଚିମ ସୁମାତ୍ରାରେ ୯୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୮୫ ଜଣ ନିଖୋଜ ଅଛନ୍ତି। ଆଚେରେ ୪୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫୧ ଜଣ ନିଖୋଜ ଅଛନ୍ତି।
ଅଧିକାରୀଙ୍କ କହିବା ଅନୁସାରେ, ପ୍ରବଳ ବର୍ଷା ପରେ ନଦୀ ଗୁଡିକ ବିପଦ ସଙ୍କେତ ଦେଇ ଗତି କୁଛନ୍ତି। ଯାହାଫଳରେ ବହୁ ଗାଁ ସମ୍ପୂର୍ଣ୍ଣ ବୁଡି ଯାଇଛି। ଲାଗୁଛି ଯେପରି ପୁରା ନକ୍ସାରୁ ଗାଏବ ହୋଇଯାଇଛି। ମୁଖ୍ୟ ରାସ୍ତା ଓ ବ୍ରିଜ୍ ଭାଙ୍ଗିବା କାରଣରୁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଛି। ରାଷ୍ଟ୍ରପତି ପ୍ରବୋଓ ସୁବିଆଣ୍ଟୋ ପ୍ରଭାବିତ ଅଞ୍ଚଳର ଆକାଶ ମାର୍ଗରେ ସର୍ଭେ କରିଥିଲେ। ଏହାପରେ ଅଧିକାରୀମାନଙ୍କୁ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ସରକାର ଅନ୍ତର୍ଜାତୀୟ ସହାୟତା ଗ୍ରହଣ କରିଛନ୍ତି। ଅନେକ ଦେଶ ତୁରନ୍ତ ରିଲିଫ୍ ସାମଗ୍ରୀ ଏବଂ ଉଦ୍ଧାର ଦଳ ପଠାଇବାକୁ ପ୍ରସ୍ତାବ ଦେଇଛନ୍ତି।