ଟ୍ରମ୍ପଙ୍କ ଭିସା ଫି ବୃଦ୍ଧି ପରେ ଭାରତୀୟଙ୍କ ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ପାଲଟିଛି । H-1B ଭିସାକୁ ନେଇ ଦେଖାଦେଇଛି ବିବାଦ । ଆମେରିକା ସରକାରଙ୍କ, ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ ଏହି ନୀତିରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଏହି ପରିବର୍ତ୍ତନର ଏକ ଅଂଶ ଭାବରେ, H-1B ଭିସା ଫି ଅନେକ ଥର ବୃଦ୍ଧି କରାଯାଇଛି । ପୂର୍ବରୁ H-1B ଭିସାର ମୂଲ୍ୟ ପ୍ରାୟ ୫ଲକ୍ଷ ଥିଲା, ନୂତନ ଫି ବର୍ତ୍ତମାନ ୯୦ ଲକ୍ଷକୁ ବୃଦ୍ଧି କରାଯାଇଛି । ଏହି ନୂତନ ଫି ସେପ୍ଟେମ୍ବର ୨୧ ତାରିଖରୁ କାର୍ଯ୍ୟକାରୀ ହୋଇଛି । H-1B ଭିସା ପାଇବା ଏବେ ୫୦ ଗୁଣ ମହଙ୍ଗା ହୋଇଯାଇଛି ।
H-1B ଭିସା କ’ଣ ? ଭାରତୀୟଙ୍କ ଉପରେ ଏହାର କ’ଣ ପ୍ରଭାବ ପଡ଼ିବ ?
ପ୍ରତିବର୍ଷ, ଲକ୍ଷ ଲକ୍ଷ ଭାରତୀୟ ବଡ଼ ଟେକ୍ କମ୍ପାନୀରେ କାମ କରିବା, ଭଲ ଦରମା ପାଇବା ଏବଂ ସେମାନଙ୍କ କ୍ୟାରିୟରକୁ ଆଗକୁ ବଢ଼ାଇବା ପାଇଁ ଆମେରିକା ଯିବାର ସ୍ୱପ୍ନ ଦେଖନ୍ତି । ବିଶେଷକରି ଇଞ୍ଜିନିୟର, ସଫ୍ଟୱେର୍ ଡେଭଲପର, ବୈଜ୍ଞାନିକ ଏବଂ ଡାକ୍ତରୀ ବୃତ୍ତିଗତଙ୍କ ପାଇଁ H-1B ଜରୁରୀ । ଆମେରିକାରେ ଚାକିରି ପାଇବା ପାଇଁ କେବଳ ଡିଗ୍ରୀ କିମ୍ବା ଅଭିଜ୍ଞତା ଯଥେଷ୍ଟ ନୁହେଁ, ସ୍ୱତନ୍ତ୍ର ଭିସା H-1B ଭିସା ଆବଶ୍ୟକ । ଏହି ଭିସା ବିଶେଷ ଭାବରେ ଆଇଟି, ଇଞ୍ଜିନିୟରିଂ, ସ୍ୱାସ୍ଥ୍ୟସେବା ଏବଂ ବିଜ୍ଞାନ ଭଳି ଉଚ୍ଚ କୁଶଳୀ କର୍ମଚାରୀଙ୍କ ପାଇଁ ଡିଜାଇନ୍ କରାଯାଇଛି ।
କିପରି ପାଇବେ ଏହି ସ୍ୱତନ୍ତ୍ର ଭିସା H-1B ?
H-1B ଏକ ଅଣ-ପ୍ରବାସୀ ଭିସା, ଅର୍ଥାତ୍ ଏହା ଆପଣଙ୍କୁ ଆମେରିକୀୟ ନାଗରିକତା ପ୍ରଦାନ କରେ ନାହିଁ କିନ୍ତୁ ଆପଣଙ୍କୁ ସେଠାରେ କିଛି ବର୍ଷ ପାଇଁ କାମ କରିବାକୁ ଅନୁମତି ଦିଏ । ଏହି ଭିସା ଆମେରିକୀୟ କମ୍ପାନୀଗୁଡ଼ିକୁ ଅନ୍ୟ ଦେଶରୁ ଦକ୍ଷ ଶ୍ରମିକଙ୍କୁ ନିଯୁକ୍ତି ଦେବାକୁ ଅନୁମତି ଦିଏ । ଏହି ସ୍ୱତନ୍ତ୍ର ଭିସା ପ୍ରାରମ୍ଭିକ ଭାବରେ ତିନି ବର୍ଷ ପାଇଁ ବୈଧ ଏବଂ ଏହାକୁ ଆହୁରି ତିନି ବର୍ଷ ପାଇଁ ବୃଦ୍ଧି କରାଯାଇପାରିବ । ପ୍ରତିବର୍ଷ ୮୫ ହଜାର H-1B ଭିସା ପ୍ରଦାନ କରାଯାଏ । ଏଥିମଧ୍ୟରୁ ୬୫ହଜାର ସାଧାରଣ ବର୍ଗ ପାଇଁ ଆଉ ବାକି ୨୦ହଜାର ସେମାନଙ୍କ ପାଇଁ ଯେଉଁମାନେ ଆମେରିକାରୁ ମାଷ୍ଟର କିମ୍ବା ଉଚ୍ଚତର ଡିଗ୍ରୀ ହାସଲ କରିଛନ୍ତି । H-1B ଭିସା ପ୍ରକ୍ରିୟାରେ ଅନେକ ଆବେଦନ ଗ୍ରହଣ କରାଯାଏ, କିନ୍ତୁ କେବଳ ସୀମିତ ସଂଖ୍ୟକ ଆବେଦନକାରୀ ଏହାକୁ ଗ୍ରହଣ କରନ୍ତି । ଏହି ଭିସା ଏକ ଆମେରିକୀୟ କମ୍ପାନୀ ଆପଣଙ୍କ ପକ୍ଷରୁ ଆବେଦନ କରିବ । ଏହା ସହିତ, ଆପଣଙ୍କର ନିର୍ଦ୍ଦିଷ୍ଟ ବୃତ୍ତିଗତ ଦକ୍ଷତା ରହିବା ଆବଶ୍ୟକ । ସମସ୍ତ ଆବେଦନକାରୀଙ୍କୁ ଏକ କମ୍ପ୍ୟୁଟର ମାଧ୍ୟମରେ ଚୟନ କରାଯାଏ, ପରେ ସାକ୍ଷାତକାର ଏବଂ ଭିସା ପ୍ରକ୍ରିୟାକରଣ କରାଯାଏ ।
କହିରଖୁଛୁ ଯେ, ପ୍ରତିବର୍ଷ H-1B ଭିସା ପାଉଥିବା ଲୋକଙ୍କ ମଧ୍ୟରୁ ୭୦%ରୁ ଅଧିକ ଭାରତୀୟ । ୨୦୨୩ ମସିହାରେ, ୧ ଲକ୍ଷ ୯୧ ହଜାର ଭାରତୀୟ ଏହି ଭିସା ପାଇଥିଲେ । ୨୦୨୪ ମସିହାରେ ଏହି ସଂଖ୍ୟା ୨ ଲକ୍ଷ ୭ ହଜାରକୁ ବୃଦ୍ଧି ପାଇବାର ଆକଳନ କରାଯାଇଛି । ଆମେରିକାରେ ସଫ୍ଟୱେର୍ ଇଞ୍ଜିନିୟର ଏବଂ ଟେକ୍ କର୍ମଚାରୀଙ୍କ ଦରମା ଭାରତ ତୁଳନାରେ ଅନେକ ଗୁଣ ଅଧିକ । ଆମେରିକାରେ କାମ କରୁଥିବା ଲୋକମାନେ ଉତ୍ତମ ସୁବିଧା ଏବଂ ଉଚ୍ଚ ଜୀବନଧାରଣ ମାନ ଉପଭୋଗ କରନ୍ତି । ସେଠାରେ କାମ କରିବା ଦ୍ୱାରା ଅନ୍ତର୍ଜାତୀୟ ଅଭିଜ୍ଞତା ମିଳିଥାଏ, ଯାହା ଭବିଷ୍ୟତର ଚାକିରିରେ ଲାଭଦାୟକ । H-1B ଭିସା ସହିତ, ଅଣ-ପ୍ରବାସୀମାନେ ପରେ ସ୍ଥାୟୀ ନାଗରିକତା ପାଇଁ ଆବେଦନ କରିପାରିବେ । ଏସବୁ ସୁବିଧା ପାଇଁ ଭାରତୀୟମାନେ ଅଧିକାଂଶ H-1B ଭିସା ଆବେଦନ କରନ୍ତି । ଏହା ମହଙ୍ଗା ହେବା ପରେ H-1B ଭିସାଧାରୀଙ୍କ ଉପରେ ଚଡ଼କ ପଡ଼ିଛି ।