ପାରାଦୀପ,୧୪/୦୧: କୋକେନ୍‌ କାରବାର ଘଟଣାରେ ଭିଏତନାମର ଦେବୀ ଜାହାଜ ଗିରଫ ହେବା ଘଟଣାକୁ ୧୩ ମାସ  ପୂରିଲାଣି । ଜାହାଜରେ ୨୧ ଜଣ କର୍ମଚାରୀ (କ୍ର‌୍ୟୁ ସଦସ୍ୟ) ଥିଲେ ।  ଗତ ଡିସେମ୍ବର ୨୨ ତାରିଖରେ ୬ ଜଣ ଜାହାଜ କର୍ମଚାରୀଙ୍କୁ  ବଦଳ କରାଯାଇଥିଲା । ଜାହାଜର ପୁରୁଣା ୬ ଜଣ କର୍ମଚାରୀ  ବାହାରିଥିଲେ ଓ ବଦଳରେ ନୂଆ ୬ ଜଣ କର୍ମଚାରୀ ଜାହାଜରେ  ପଶିଥିଲେ । ଅନ୍ୟ ପୁରୁଣା୧୫ ଜଣ କର୍ମଚାରୀ (କ୍ର‌୍ୟୁ ସଦସ୍ୟ) ଙ୍କୁ ସୋମବାର ବଦଳ କରାଯାଇଛି । ଅର୍ଥାତ ଜାହାଜର ମୂଳ ୨୧ ଜଣ  କର୍ମଚାରୀ ୧୩ ମାସ ଜାହାଜରେ ରହିବା ପରେ ସ୍ୱଦେଶ ଫେରିବେ । ବର୍ତ୍ତମାନ ନୂଆ କର୍ମଚାରୀ ବୁଇ ହାଆଙ୍ଗ ଥାଇ, ହାଆଙ୍ଗ ଭାନ, ଡାଙ୍ଗ ଥାନ ଫୁ, ଲାଇସେଟ୍ଟି ନଭିନଙ୍କ ସମେତ ମୋଟ ୧୭ ଜଣ ଜାହାଜରେ ପଶିଛନ୍ତି । ବାହାରିଥିବା ୧୫ କର୍ମଚାରୀଙ୍କୁ ରବିବାର ପାରାଦୀପର  ଏକ ହୋଟେଲ୍‌ରେ ରଖାଯାଇଥିଲା । 

ସୋମବାର ସେମାନେ ପାରାଦୀପରୁ ଭୁବନେଶ୍ୱର ଯାଇଥିବା ବେଳେ ସେଠାରୁ  ମୁମ୍ବାଇ, ହଂକଂ ଦେଇ ଭିଏତନାମ୍‌କୁ ଯିବେ ବୋଲି ସୂଚନା ମିଳିଛି ।  ଦୀର୍ଘ ୧୩ ମାସ ହେବ ଉକ୍ତ ଦେବୀ ଜାହାଜ ଗିରଫ ହୋଇ  ସମୁଦ୍ର ଆଙ୍କରେଜ ଅଞ୍ଚଳରେ ରହିଛି । ଜାହାଜକୁ ଭିଏତନାମ୍‌ର  ୨୧ ଜଣ ସଦସ୍ୟ ଜଗିଥିଲେ । ଏହି କର୍ମଚାରୀମାନେ ପାରାଦୀପରେ  ଗିରଫ ହୋଇ ୧୩ ମାସ ରହିବା ପୂର୍ବରୁ ୧୦ ମାସ ଜାହାଜରେ କଟାଇଥିଲେ । ମୋଟାମୋଟି ଭାବେ ୨୩ ମାସ ନିଜ ପରିବାରଠାରୁ  ସେମାନେ ଦୂରେଇ ରହିଥିଲେ । ଆଜି ମୁକ୍ତ ହୋଇ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଏହି ଜାହାଜ ୨୦୨୩ ନଭେମ୍ବର ୩୦  ତାରିଖରେ ୫ ନମ୍ବର ଗେଟ୍‌ରେ ଥିବା ବର୍ଥରେ ଲାଗିଥିଲା ।  କଷ୍ଟମ୍‌ସ୍‌ ବିଭାଗ ଜାହାଜରୁ ୨୨୦ କୋଟି ଟଙ୍କା ମୂଲ୍ୟର କୋକେନ୍‌  ଜବତ କରି ଜାହାଜକୁ ଗିରଫ କରିଥିଲା । ଗିରଫ ଓ ଅଟକ  ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ପ୍ରଶାସନ ଏବଂ ଭିଏତନାମ୍‌  ସରକାରଙ୍କ କିଛି ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା କରାଯିବାର  ଫଳ ସ୍ୱରୂପ ଜାହାଜରେ ଥିବା ସମସ୍ତ ୨୧ ଜଣ କର୍ମଚାରୀ ସ୍ୱଦେଶ  ଫେରିଛନ୍ତି । ପ୍ରତିବଦଳରେ ମୋଟ ୧୭ ଜଣ ନୂଆ କର୍ମଚାରୀ  ଜାହାଜରେ ପଶିଛନ୍ତି।