ଭୁବନେଶ୍ୱର, ୦୩/୦୨: ଆସନ୍ତା ୫ ତାରିଖରେ  ଶୁଭାରମ୍ଭ ହେବ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’  ଯୋଜନା । ଖୋର୍ଦ୍ଧାର ଜଙ୍କିଆ ମିନି ଷ୍ଟାଡିୟମରେ  ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀ ଏହାର ଶୁଭାରମ୍ଭ କରିବେ । ମୁଖ୍ୟ  କାର୍ଯ୍ୟକ୍ରମ ଢାଞ୍ଚାରେ ପ୍ରତି ଜିଲ୍ଲା ଓ ବ୍ଲକ୍‌ ସ୍ତରରେ  ମଧ୍ୟ ଏହି କାର୍ଯ୍ୟକ୍ରମ ହେବ ବୋଲି ଜଣାପଡିଛି ।   

ଜିଲ୍ଲା ମୁଖ୍ୟାଳୟରେ ମଧ୍ୟ ‘ବିକଶିତ ଗାଁ, ବିକଶିତ  ଓଡ଼ିଶା’ ଶୁଭାରମ୍ଭ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବ ।  ଏଠାରେ ଏଲ୍‌ଇଡି ଯୋଗେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମର  ସିଧା ପ୍ରସାରଣ ହେବ । ଜିଲ୍ଲାପାଳଙ୍କ ସମେତ ଜିଲ୍ଲା  ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଏଥିରେ ଉପସ୍ଥିତ ରହିବେ । ସେହିଭଳି ୩୧୪ ବ୍ଲକ୍‌ରେ ମଧ୍ୟ ମୁଖ୍ୟ  କାର୍ଯ୍ୟକ୍ରମର ସିଧା ପ୍ରସାରଣ ହେବ । ଏଥିପାଇଁ ସ୍ୱତନ୍ତ୍ର  ବ୍ୟବସ୍ଥା କରିବାକୁ ଓକାକ୍‌କୁ ଦାୟିତ୍ୱ ଦିଆଯାଇଛି । 

ଏହି ଯୋଜନାର ଶୁଭାରମ୍ଭର ବ୍ୟାପକ ପ୍ରଚାରପ୍ରସାର  କରାଯିବ । ଏଥିପାଇଁ ହାତଖୋଲା ଖର୍ଚ୍ଚ କରିବାକୁ  ସରକାର ଯୋଜନା କରିଛନ୍ତି । ଯୋଜନାର ପ୍ରଚାର ପାଇଁ  ପ୍ରତି ବ୍ଲକ୍‌କୁ ୧ଲକ୍ଷ ଟଙ୍କାର ପାଣ୍ଠି ଦିଆଯିବ । ସେହିଭଳି  ଯୋଜନା ଶୁଭାରମ୍ଭ ଦିନ କାର୍ଯ୍ୟକ୍ରମ ଆୟୋଜନ ପାଇଁ  ୩୧୪ଟି ବ୍ଲକ୍‌କୁ ୨ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ ।  ଜିଲ୍ଲା ସ୍ତରର କାର୍ଯ୍ୟକ୍ରମ ପାଇଁ ପ୍ରତି ଜିଲ୍ଲାକୁ ୩ ଲକ୍ଷ ଟଙ୍କା ଲେଖାଏଁ ମିଳିବ । ଆୟୋଜନ ଓ ପ୍ରଚାରପ୍ରସାର  ବାବଦରେ ପଞ୍ଚାୟତିରାଜ ବିଭାଗ ମୋଟ ୯ କୋଟି ୭୨  ଲକ୍ଷ ଟଙ୍କା ଖର୍ଚ୍ଚ କରିବ । ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି  କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ବିଭାଗ । 

ପୂର୍ବ ସରକାର ସମୟରେ ଆମ ଓଡ଼ିଶା, ନବୀନ  ଓଡ଼ିଶା ନାଁରେ ଏହା କାର୍ଯ୍ୟକାରୀ ହେଉଥିଲା । ପ୍ରତି  ପଞ୍ଚାୟତକୁ ୫୦ଲକ୍ଷ ଟଙ୍କାର ପାଣ୍ଠି ମିଳୁଥିଲା । ନୂଆ ସରକାର ଏହି ଯୋଜନାର ନାଁ ବଦଳାଇବା  ସହିତ ଏହାକୁ ନୂଆ ଢଙ୍ଗରେ କାର୍ଯ୍ୟକାରୀ କରିବେ ।  ଏଥିପାଇଁ ବିସ୍ତୃତ ଗାଇଡ୍‌ଲାଇନ୍‌ ଜାରି ହୋଇଛି । ଗ୍ରାମସଭା ଜରିଆରେ ଫେବ୍ରୁଆରୀ ୧୪ତାରିଖ  ସୁଦ୍ଧା ଯୋଜନାର ପ୍ରକଳ୍ପ ତାଲିକା ତିଆରି ପାଇଁ  ସବୁ ପଞ୍ଚାୟତକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକେ  ଗ୍ରାମସଭାରେ ରହି ଗାଁ ଓ ପଞ୍ଚାୟତ ପାଇଁ ପ୍ରକଳ୍ପ  ଚୂଡ଼ାନ୍ତ କରିବେ । ଲୋକଙ୍କ ମତ ଓ ଆବଶ୍ୟକ  ଆଧାରରେ ୫ ବର୍ଷିଆ ପ୍ରକଳ୍ପ ତାଲିକା ତିଆରି ହେବ ।  

୫ ତାରିଖ ସୁଦ୍ଧା ବ୍ଲକ୍‌ରେ ଏହି ତାଲିକା ଦାଖଲ  ହେବ । ଏହି ଯୋଜନାରେ ପ୍ରତି ପଞ୍ଚାୟତକୁ ନିର୍ଦ୍ଦିଷ୍ଟ  ଭାବେ କେବେ ଟଙ୍କାର ପାଣ୍ଠି ଦିଆଯିବ ତାହା ଚୂଡ଼ାନ୍ତ  ହୋଇନି । ଜନସଂଖ୍ୟା ଓ ପ୍ରକଳ୍ପ ଆବଶ୍ୟକ ଦେଖି  ଜିଲ୍ଲା ପରିଷଦ ମାଧ୍ୟମରେ ପାଣ୍ଠି ବଣ୍ଟାଯିବ । ସମନ୍ୱିତ  ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ବ୍ଲକ୍‌କୁ  ଯୋଜନାର ସିଂହ ଭାଗ ପାଣ୍ଠି ଦେବାକୁ ପଞ୍ଚାୟତିରାଜ  ବିଭାଗ ଯୋଜନା କରିଛି ।