ଭୁବନେଶ୍ୱର, ୨୦।୧୨ : ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମଏଫ୍) ପାଣ୍ଠିର ଉପଯୋଗିତା ନେଇ ଏକ ବୈଠକ ବୁଧବାର ଲୋକସେବା ଭବନସ୍ଥିତ ରାଜ୍ୟ କନଭେନସନ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଅଧ୍ୟକ୍ଷତା କରିଥିଲେ । ୧୧ ଟି ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲାରେ ଡିଏମଫ୍ ପାଣ୍ଠି ଉପଯୋଗ ନେଇ ରାଜ୍ୟରୁ ଦିଆଯାଉଥିବା ପ୍ରକଳ୍ପ ସଂପର୍କିତ ସଂପୃକ୍ତ ବିଭିନ୍ନ ବିଭାଗର ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

୨୦୨୫ ଅକ୍ଟୋବର ୩୧ ତାରିଖ ସୁଦ୍ଧା ଏହି ଜିଲ୍ଲାଗୁଡିକରେ ଡିଏମ୍ଏଫ୍ ପାଣ୍ଠି ସଂଗ୍ରହ ସ୍ଥିତି ଓ ପ୍ରକଳ୍ପ କାର୍ୟ୍ୟକାରିତା ଅନୁସାରେ ଖର୍ଚ୍ଚ ବିନିଯୋଗ, ବିଭିନ୍ନ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଅନୁସାରେ ପ୍ରକଳ୍ପ କାର୍ୟ୍ୟକାରିତା ଓ ଖର୍ଚ୍ଚ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ବିଭିନ୍ନ ଜିଲ୍ଲାରେ ପୁନର୍ଗଠିତ ଡିଏମଏଫ ଟ୍ରଷ୍ଟ ବୋର୍ଡ ବୈଠକ ଅନୁଷ୍ଠିତ ହେବା, ଜିଲ୍ଲା ଖଣିଜ ପାଣ୍ଠିର ବାର୍ଷିକ ବିବରଣୀ ଓ ଅଡିଟି ରିପୋର୍ଟ -୨୦୨୪-୨୫ ପ୍ରସ୍ତୁତି ପାଇଁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି ।

ଡିଏମଏଫ ପାଣ୍ଠି ଉପଯୋଗ ନେଇ ରାଜ୍ୟସ୍ତରୀୟ କମିଟିର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ସଂପର୍କରେ ସମୀକ୍ଷା କରାଯାଇଥିଲା । ଉନ୍ନୟନ କମିଶନର ଜିଳ୍ଲାପାଳମାନଙ୍କୁ ଦାୟିତ୍ୱର ସହ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ କହିଥିଲେ। ପ୍ରକଳ୍ପ କାର୍ଯ୍ୟକାରିତା ଓ ପାଣ୍ଠି ଉପଯୋଗିତା ସଂପର୍କିତ ସୂଚନା ଅପଡେଟ୍ କରାଯିବା, ଡିଏମଏଫ ପାଣ୍ଠି ଉପଯୋଗରେ ଖଣି ଠାରୁ ୫ କିମି ପରିଧି ମଧ୍ୟରେ ଥିବା ଖଣି ପ୍ରଭାବିତ ଅଂଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ସଡ଼କ ନିର୍ମାଣ ଆଦି ଅତ୍ୟାବଶ୍ୟକ ମୌଳିକ ସୁବିଧା ଉପଲବ୍ଧତା ସୁନିଶ୍ଚିତ କରାଯିବା ଉପରେ ଗୁରୁତ୍ୱ ଦେଇଥିଲେ ।