ଭୁବନେଶ୍ବର,୩୧।୭ : ପୁରୀ ଶରଧାବାଲି ଦଳାଚକଟା ଘଟଣାର ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଉନ୍ନୟନ କମିଶନର ଅନୁ ଗର୍ଗ ପ୍ରଦାନ କରିଛନ୍ତି। ୬୭ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରି ରିପୋର୍ଟ ଦେଇଛନ୍ତି। ପୁରୀ ଓ ଭୁବନେଶ୍ବରରେ ଏହି ସାକ୍ଷ୍ୟ ଗ୍ରହଣ ହୋଇଥିଲା।
ରଥଯାତ୍ରା ସମୟରେ ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଜୁନ ୨୯ ତାରିଖ ଭୋରୁ ଦଳାଚକଟା ଘଟଣା ଘଟିଥିଲା। ଏଥିରେ ତିନିଜଣଙ୍କ ମୃତ୍ୟୁ ଘଟିଥିଲା ।ଅନେକ ଶ୍ରଦ୍ଧାଳୁ ଆହତ ହୋଇଥିଲେ। ତଦନ୍ତ ପାଇଁ ରାଜ୍ୟ ସରକାର ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲେ। ଉନ୍ନୟନ କମିସନରଙ୍କ ନେତୃତ୍ବରେ ତଦନ୍ତ ପାଇଁ ଗଠନ କରାଯାଇଥିବା ଏହି କମିଟିରେ ୪ ଜଣ ଓଏଏସ୍ ଅଧିକାରୀଙ୍କୁ ସାମିଲ କରାଯାଇଥିଲା। ଜୁଲାଇ ୩୦ ତାରିଖ ତଦନ୍ତର ଶେଷ ତାରିଖ ରହିଥିଲା। ଉନ୍ନୟନ କମିଶନର ଏହାର ତଦନ୍ତ କରିବା ସହ ପୁରୀ ଓ ଭୁବନେଶ୍ବରରେ ଏହି ଘଟଣାର ସାକ୍ଷ୍ୟ ଗ୍ରହଣ କରିଥିଲେ। ଗୁରୁବାର ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି।