ଭୁବନେଶ୍ବର,୨୦/୩ : ବିଜେଡି ପକ୍ଷରୁ ଦିଆଯାଇଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଲେ ଦେବୀ ରଞ୍ଜନ ତ୍ରିପାଠୀ । କହିଲେ କାରଣ ଦର୍ଶାଆ ନୋଟିସ ସମ୍ପୂର୍ଣ୍ଣ ଭିତ୍ତିହିନ, ବେଇଆନ ଏବଂ ସ୍ବେଚ୍ଛାଚାରୀ । ଦଣ୍ଡନିୟ କାର୍ଯ୍ୟାନୁଷ୍ଠାନର ଧମକ ଦେଇ ଆପଣ ଆପଣଙ୍କର ସୀମା ଅତିକ୍ରମ କରିଛନ୍ତି । କାରଣ ଦର୍ଶାଆ ନୋଟିସରେ ଆପଣ ଭାରତୀୟ ନ୍ୟାୟ ସଂହିତାର ଧାରା ଭାଙ୍ଗି ଦଣ୍ଡନୀୟ ଅପରାଧ କରିଛନ୍ତି । ମୁଁ କେବେ ବି ଦଳର ସଦସ୍ୟତା ପରିତ୍ୟାଗ କରି ନାହିଁ । ରାଜ୍ୟସଭା ନିର୍ବାଚନରେ ମୋର ସ୍ୱାଧୀନ ମତଦାନ କରି କୌଣସି ଆଇନ ଉଲଘଂନ କରି ନାହିଁ । ମୁଁ ଦଳର ନିର୍ଦ୍ଦେଶରେ ୧୫ତାରିଖରେ ହୋଇଥିବା ବିଜେଡି ବିଧାୟକ ଦଳ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଉଲଂଘନ କରିଛି ବୋଲି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ।

କାରଣ ଦର୍ଶାଅ ନୋଟିସରେ ଏପରି କିଛି ଉଲ୍ଲେଖ ନାହିଁ । ମୁଁ କେବେ ବି ଦଳର ନିଷ୍ପତ୍ତି କି ନିର୍ଦ୍ଦେଶ ଉଲଘଂନ କରି ନାହିଁ । ରାଜ୍ୟସଭା ନିର୍ବାଚନରେ ଭୋଟ ଦେବା ପାଇଁ ଜଣେ ଭୋଟରଙ୍କୁ ଦଶମ ଅନୁସୂଚୀର ଦଣ୍ଡ ବ୍ୟବସ୍ଥା ଲାଗୁ ହେବ ନାହିଁ । କାରଣ ଦର୍ଶାଅ ନୋଟିସ୍ କେବଳ ବେଆଇନ, ମନମୁଖୀ ନୁହେଁ, ବରଂ ଏହା ଆଇନ ପ୍ରକ୍ରିୟା ଏବଂ ଭାରତର ସମ୍ବିଧାନର ଅପବ୍ୟବହାର ମଧ୍ୟ । ତେଣୁ, ମୁଁ ଅନୁରୋଧ କରୁଛି ଯେ ନୋଟିସ୍ ପ୍ରତ୍ୟାହାର କରନ୍ତୁ । ନଚେତ୍ ମୁଁ ପରାମର୍ଶ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ/ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ବାଧ୍ୟ ହେବି ।

ସୂଚନା ଅନୁସାରେ, ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂକୁ ନେଇ ବିଜେଡି ଦଳର ୬ ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ତରଫରୁ ଜାରି ହୋଇଥିବା ନୋଟିସ୍ରେ ୨୦ତାରିଖ ଅପରାହ୍ନ ୫ଟା ସୁଦ୍ଧା କାରଣ ଦର୍ଶାଇବା ପାଇଁ ଉଲ୍ଲେଖ ରହିଥିଲା । ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜୟଦେବ (ଭୁବନେଶ୍ବର) ବିଧାୟକ ନବ କିଶେର ମଲ୍ଲିକ, କଟକ-ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ, ବସ୍ତା ବିଧାୟକ ସୁବାସିନୀ ଜେନା, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ, ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀଙ୍କୁ ନୋଟିସ୍ ଜାରି ହୋଇଥିଲା।