ପ୍ରୟାଗରାଜ ୨୫/୦୧: ମହାକୁମ୍ଭ ମେଳାରେ ଶ୍ରୀ ପଞ୍ଚ ଦଶନାମ ଆବାହନ ଆଖଡ଼ାର ପୀଠାଧିଶ୍ୱର ଅବଧୂତ ବାବା ଓରଫ ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଅରୁଣ ଗିରୀଙ୍କୁ ତାଙ୍କର ଜଣେ ଭକ୍ତ ୨୫୧ କିଲୋ ସୁନାର ସିଂହାସନ ଉପହାର ଦେଇଛନ୍ତି । ସିଂହାସନର ମୂଲ୍ୟ ୨୦୦ କୋଟିରୁ ଅଧିକ ହୋଇଥିବା ଚର୍ଚ୍ଚା କରାଯାଉଛି । ତାକୁ ନିର୍ମାଣ ଲାଗି ୪ ମାସରୁ ଊଦ୍ଧ୍ୱର୍ ସମୟ ଲାଗିଛି । ଆବାହନ ଆଖଡ଼ାର ମହାମଣ୍ଡଳେଶ୍ୱର ସ୍ୱାମୀ ପ୍ରକାଶାନନ୍ଦଙ୍କ ଅନୁସାରେ, ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଅରୁଣ ଗିରୀଜୀ ସୁନା ଗହଣା ପିନ୍ଧିଥାନ୍ତି । ସେଥିଯୋଗୁ ତାଙ୍କୁ ଲୋକେ ‘ଗୋଲ୍ଡେନ ବାବା’ ନାମରେ ବି ସମ୍ବୋଧନ କରନ୍ତି । ତାଙ୍କର ଏହି ଖ୍ୟାତିକୁ ଦୃଷ୍ଟିରେ ରଖି ଜଣେ ଶିଷ୍ୟ ତାଙ୍କୁ ଏହି ନିଆରା ଉପହାର ଦେଇଛନ୍ତି । ସିଂହାସନକୁ କୁମ୍ଭ କ୍ଷେତ୍ରର ସେକ୍ଟର-୧୪ରେ ଥିବା ବାବାଙ୍କ ଶିବିରରେ ରଖାଯାଇଛି । ତାକୁ ଦେଖିବାକୁ ଅନେକ ସଂଖ୍ୟାରେ ଶ୍ରଦ୍ଧାଳୁ ଭିଡ଼ ଜମାଉଛନ୍ତି । ତେବେ ଉପହାର ଦେଇଥିବା ଭକ୍ତଙ୍କର ନାମକୁ ସାର୍ବଜନୀନ କରାଯାଇନାହିଁ ।

ଏହି ସ୍ୱର୍ଣ୍ଣ ସିଂହାସନ ଉପରେ ବସି ଅରୁଣ ଗିରୀଜୀ ମହାରାଜ ମୌନି ଅମାବାସ୍ୟାରେ ଅମୃତ ସ୍ନାନ କରିବେ । ସିଂହାସନରେ ପାଦ ରଖିବା ଲାଗି ତିଆରି ହୋଇଥିବା ମଞ୍ଚ ଓ ଆଚାର୍ଯ୍ୟଙ୍କର ଷ୍ଟୁଲ ମଧ୍ୟ ସୁନାରେ ତିଆରି ହୋଇଛି । ପ୍ରକାଶାନନ୍ଦ ଆହୁରି କହିଛନ୍ତି, ସୁନାକୁ ସବୁ ଧାତୁ ମଧ୍ୟରେ ପବିତ୍ର ବୋଲି ମନେ କରାଯାଏ । ସେହି ପବିବ୍ରତା ଦୃଷ୍ଟିରୁ ସିଂହାସନକୁ ସୁନାରେ ତିଆରି କରାଯାଇଛି । ଅରୁଣ ଗିରୀଜୀ ମହାରାଜ ସୁନା ବ୍ରେସଲେଟ୍ ସମେତ ମୋଟ ୬.୭ କିଲୋର ସୁନା ଗହଣା ପିନ୍ଧିଥାନ୍ତି । ସେ ମଧ୍ୟ ‘ପରିବେଶ ବାବା’ ନାମରେ ପରିଚିତ । ଅଦ୍ୟାବଧି ସେ ୧ କୋଟି ଚାରା ଲଗାଇ ସାରିଥିବାବେଳେ ମହାକୁମ୍ଭରେ ୫୧ ହଜାର ଫଳଚାରା ବାଣ୍ଟିବାକୁ ଲକ୍ଷ୍ୟ ରଖିଛନ୍ତି । ତାଙ୍କ ଭଳି ନିରଞ୍ଜନୀ ଆଖଡ଼ାର ଅନ୍ୟ ଜଣେ ସାଧୁ ନାରାୟଣ ଗିରୀ ମଧ୍ୟ ‘ଗୋଲ୍ଡେନ୍ ବାବା’ ନାମରେ ପରିଚିତ । ସେ ପ୍ରାୟ ୬ କୋଟି ଟଙ୍କା ମୂଲ୍ୟର ଗହଣା ପିନ୍ଧିଥାନ୍ତି ।