ଭୁବନେଶ୍ୱର,୧୨।୭(ବ୍ୟୁରୋ): ବିଦେଶରେ ଇସ୍କନର ଅଦିନିଆ ରଥଯାତ୍ରାକୁ ଆଦୌ ବରଦାସ୍ତ କରାଯିବନି । ଇସ୍କନର ଏଭଳି ମନମାନିକୁ ବିରୋଧରେ ଚାରିଆଡ଼େ ବିଦ୍ରୋହର ନିଆଁ ତେଜିଛି । ଜଗନ୍ନାଥପ୍ରେମୀମାନେ ରବିବାର ଭୁବନେଶ୍ଵର ଇସ୍କନ ମନ୍ଦିର ସମ୍ମୁଖରେ ଶାନ୍ତିପୂର୍ଣ ଧାରଣା ଦେଇଛନ୍ତି ।

ସେମାନେ ଦାବି ଉଠାଇଛନ୍ତି, ବିଦେଶରେ ଅଦିନିଆ ରଥ ଯାତ୍ରା ଓ ସ୍ନାନ ଯାତ୍ରା ତୁରନ୍ତ ବନ୍ଦ କରାଯାଉ । ଆଉ ଚେତାଇଛନ୍ତି, ଏଥର ଶାନ୍ତିପୂର୍ଣ ଭାବେ ବିରୋଧ କଲୁ । ଆଗକୁ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରତି ଅପମାନକୁ ଆଦୌ ସହ୍ୟ କରାଯିବନି । ଆଗକୁ ଜୋରଦାର ଆନ୍ଦୋଳନ କରାଯିବ।

" ଓ୍ବି ଫର ଭୁବନେଶ୍ଵର' ନାମକ ସ୍ୱେଚ୍ଛାସେବୀ ସଂଗଠନ ଏହି ଆନ୍ଦୋଳନର ମଙ୍ଗ ସମ୍ଭାଳିଥିଲା I ଆବାହକ ତଥା ରାଜନେତା ଅମରେଶ ଜେନାଙ୍କ ନେତୃତ୍ବରେ ଶତାଧିକ ଜଗନ୍ନାଥ ପ୍ରେମୀ ଇସ୍କନ ବିରୋଧୀ ନାରା ଲଗାଇଥିଲେ I ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ଧଜିଆ ଉଡାଉଥିବା ଇସ୍କନ ବିରୋଧରେ ଢ଼େର୍ ଗର୍ଜିଥିଲେ । ସେମାନେ ଦାବି କରିଥିଲେ, ସଂଗଠନ ପକ୍ଷରୁ ଶାସ୍ତ୍ରୀୟ ଓ ପରମ୍ପରା ଅନୁଯାୟୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଉତ୍ସବ ହେଉ । ଦେଶ ବିଦେଶରେ ଅଦିନିଆ ରଥଯାତ୍ରା ଓ ସ୍ନାନ ଯାତ୍ରା ବନ୍ଦ କରୁ । ସରକାର ଓ ମନ୍ଦିର ପ୍ରଶାସନ ଦୃଢ଼ ପଦକ୍ଷେପ ନିଅନ୍ତୁ ।

ଶ୍ରୀ ଜେନା କହିଛନ୍ତି, କୋଟି କୋଟି ଓଡ଼ିଆଙ୍କ ମଉଡ଼ମଣି ଶ୍ରୀଜଗନ୍ନାଥଙ୍କ ସଂସ୍କୃତିର ସୁରକ୍ଷା ଓ ସଂରକ୍ଷଣର ଦାୟିତ୍ବ ଆମ ସମସ୍ତଙ୍କର । ଅଦିନିଆ ରଥଯାତ୍ରା ଆଦୌ ଗ୍ରହଣୀୟ ନୁହେଁ I ପୂଜ୍ୟ ଗଜପତି ମହାରାଜଙ୍କ ଅବମାନନା ଆମେ ସହ୍ୟ କରିବୁ ନାହିଁ I ଧର୍ମ ନାମରେ ବିଭେଦ ନୁହେଁ, ସନାତନ ମର୍ଯ୍ୟାଦା ରକ୍ଷା ପାଇଁ ସମସ୍ତେ ଆଗେଇ ଆସିବାକୁ ଶ୍ରୀ ଜେନା ସମସ୍ତଙ୍କୁ ଆହ୍ବାନ ଦେଇଥିଲେ । ଗଜପତିଙ୍କ ଚିଠିରେ ଇସ୍କନ ମନ୍ତ୍ରବ୍ୟକୁ ମଧ୍ୟ " ଓ୍ବି ଫର ଭୁବନେଶ୍ଵର ବିରୋଧ କରିଛି । ସମ୍ପାଦକ ନରେନ ସାହୁ, ଯୁଗ୍ମ ସମ୍ପାଦକ ରମାନାଥ ମିଶ୍ର, ଉପଦେଷ୍ଟା ଡକ୍ଟର ନାରାୟଣ ମହାପାତ୍ର ଏହି ଆନ୍ଦୋଳନର ପରିଚାଳନା କରିଥିଲେ ।

କ୍ଷମା ମାଗିଲା ଓଡ଼ିଶା ଇସ୍କନ ଶାଖା

ଗଜପତି ମହାରାଜଙ୍କ ଚିଠିକୁ ଭାରତ ଇସ୍କନର ପ୍ରତ୍ୟାଖାନ ଘଟଣାକୁ ନେଇ ଓଡ଼ିଶା ଇସ୍କନ ଶାଖା କ୍ଷମା ପ୍ରାର୍ଥନା କରିଛି । ରାଜ୍ୟ ଶାଖା ଆଞ୍ଚଳିକ ସମ୍ପାଦକ ବନମାଳି ଦାସ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଯଦି ମହାରାଜଙ୍କ ଭାବନାକୁ କୁଠାରଘାତ ହୋଇଛି, ଆମେ ହୃଦୟରୁ କ୍ଷମା ମାଗୁଛୁ I ଗତ ୬୦ ବର୍ଷ ଧରି ଏଭଳି ରଥଯାତ୍ରା ଚାଲି ଆସୁଛି । ୨୦୧୯ ମସିହାରେ ଗଜପତି ମହାରାଜ ଏନେଇ ଉଲ୍ଲେଖ କରିଥିଲେ । ଅନେକ ପ୍ରୟାସ ଓ ଆଲୋଚନା ପରେ ଭାରତରେ ନିର୍ଦିଷ୍ଟ ଦିନରେ ହିଁ ରଥ ଯାତ୍ରା ଓ ସ୍ନାନ ଯାତ୍ରା ହେଉଛି । କିନ୍ତୁ ବିଦେଶରେ ରଥଯାତ୍ରା ବନ୍ଦ କରିବାକୁ ଆମର କୌଣସି କ୍ଷମତା ନାହିଁ I ତଥାପି ୟୁଏଇ ସହ ଆମେରିକାର ୯ଟି ରଥଯାତ୍ରାକୁ ଆସନ୍ତା ୧୬ ତାରିଖକୁ ବଦଳାଇ ଦିଆଯାଇଛି।

ଇସ୍କନ ସଭାପତିଙ୍କ ଦୁଃଖ ପ୍ରକାଶ

ତୀବ୍ର ବିଦ୍ରୋହ ପରେ ଭୁବନେଶ୍ଵର ଇସ୍କନ ଶାଖା ସଭାପତି ଶାଶ୍ୱତ ଦାସ ଅଦିନିଆ ରଥଯାତ୍ରାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଗଜପତି ମହାରାଜ ହେଉଛନ୍ତି ଜଗନ୍ନାଥଙ୍କ ଚଳତି ପ୍ରତିମା। ସେ ସର୍ବୋଚ୍ଚ ସମ୍ମାନର ଅଧିକାରୀ । ଇସ୍କନ ଯେମିତି ବ୍ୟବହାର କଲା, କରିବା କଥା ନୁହେଁ । ଇସ୍କନ୍ ଗଭର୍ଣ୍ଣିଂ ବଡି କମିଶନ୍ ପୁଣି ଥରେ ବିଚାର କରୁ। ଖାଲି ସେତିକି ନୁହେଁ, ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ମଧ୍ୟ ବୁଝିବାକୁ ପଡ଼ିବ । କେନ୍ଦ୍ର ସରକାର ଚାହିଁଲେ ହିଁ ଏସବୁ ବନ୍ଦ ହୋଇପାରିବ। କାରଣ ଭାରତୀୟ ଇସ୍କନର ଏତେ କ୍ଷମତା ନାହିଁ ଯେ ବିଦେଶରେ ହେଉଥୁବା ଇସ୍କନର ରଥଯାତ୍ରାକୁ ଅଟକାଇ ପାରିବେ। ଆମେ ବି ଚାହୁଁଛୁ ଗୋଟିଏ ଦିନରେ ରଥଯାତ୍ରା ହେଉ।