କେନ୍ଦୁଝର,୨୨/୦୭: ଆୟ ବହିର୍ଭୂତ  ସଂପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝରର କେନ୍ଦ୍ରପତ୍ର ଡିଭିଜନର ଡିଏଫ୍‌ଓ ନିତ୍ୟାନନ୍ଦ ନାୟକଙ୍କୁ ଗିରଫ । ସୋମବାର ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ରବିବାର ଏବଂ ସୋମବାର ଚଢ଼ଉ ବେଳେ ତାଙ୍କ ଘରୁ ନଗଦ ସାଢ଼େ ୧୦ ଲକ୍ଷ ଟଙ୍କା, ରିଭଲଭର୍‌, ବିଭିନ୍ନ ବ୍ୟାଙ୍କ୍‌ ଖାତା  ଏବଂ ଜମିଜମା କାଗଜପତ୍ର ଜବତ ହୋଇଛି ।  ଏକାଧିକ  ବ୍ୟାଙ୍କ୍‌ରେ ୫୦ ଲକ୍ଷରୁ ଅଧିକ ଟଙ୍କା ଜମା ଥିବା ନେଇ ଭିଜିଲାନ୍ସ ଟିମ୍ ଜାଣିବାକୁ ପାଇଛି । ସୋମବାର ଡିଏଫ୍‌ଓଙ୍କୁ ଭିଜିଲାନ୍ସ ଅଟକ ରଖିଥିବା ବେଳେ ଆଜି ତାଙ୍କୁ ଗିରଫ କରାଯାଇଛି । ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ରବିବାର ଏବଂ ସୋମବାର ଡିଏଫଓ ନିତ୍ୟାନନ୍ଦ ଘରେ ଭିଜିଲାନ୍ସ ଚଢ଼ଉ କରିଥିଲା । ଏହି ସମୟରେ କୋଟି କୋଟି ଟଙ୍କା ମୂଲ୍ୟର ସ୍ଥାବର ଅସ୍ଥାବର  ସମ୍ପତ୍ତି ଜବତ ହୋଇଥିଲା । ୧.୫୦ ଡିସିମିଲର ଏକ ଫାର୍ମ ହାଉସ୍, ୧୪୩୨ ବର୍ଗଫୁଟ ଏକ ଘର। ଏତିକି ନୁହେଁ, କେନ୍ଦୁପତ୍ର ବାବୁଙ୍କ ଜମି ଜାମିଦାରୀ ନିଶା ଥିବାରୁ ନିଜ ନାଁ ଏବଂ ପରିବାର ଲୋକଙ୍କ ନାଁରେ ୧୧୫ଟି ପ୍ଲଟ୍ ରଖିଛନ୍ତି । ନିତ୍ୟାନନ୍ଦଙ୍କ ନାଁରେ  ୫୩ଟି ପ୍ଲଟ, ପତ୍ନୀଙ୍କ ନାମରେ ୪୨ଟି ପ୍ଲଟ୍‌, ୨ ପୁଅ ନାମରେ ୧୬ ଏବଂ ଝିଅ ନାମରେ ୪ଟି  ପ୍ଲଟ୍‌ ଥିବା ଭିଜିଲାନ୍ସ କହିଛି । ତା’ଛଡା ଅନୁଗୁଳ  ତୁରଙ୍ଗରେ ୪ ମହଲା କୋଠା, ୧.୫୫ ଲକ୍ଷ  ଟଙ୍କା ନଗଦ ସହ ୨ ଶହ ଗ୍ରାମ ସୁନା ଅଳଙ୍କାର  ଓ ୨ଟି ଚାରିଚକିଆ ଯାନ ଏବଂ ୪ଟି ଦୁଇଚକିଆ  ଯାନ ଠାବ ହୋଇଥିଲା । ଚଳିତବର୍ଷ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ  ଚଢ଼ାଉରେ ସର୍ବାଧିକ ପ୍ଲଟ୍‌ ଡିଏଫ୍‌ଓ ନିତ୍ୟାନନ୍ଦ  ନାୟକଙ୍କ ନାଁରେ ଠାବ ଏକ ରେକର୍ଡ ସୃଷ୍ଟି କରିଛି ।

ସୋମବାର ଡିଏଫଓଙ୍କୁ ନେଇ ଭିଜିଲାନ୍ସ  ଅଧିକାରୀମାନେ ପହଞ୍ଚିବା ପରେ ସରକାରୀ  ବାସଭବନ ଖୋଲା ଯାଇଥିଲା । ଏକ ଦାମୀ  ଖଟ ତଳେ ଏକ ବକ୍ସ ସ୍ୱତନ୍ତ୍ର ଭାବେ ନିର୍ମାଣ  କରାଯାଇଥିବା ବେଳେ ଏକ ବକ୍ସରୁ ସାଢ଼େ ୮  ଲକ୍ଷ ଟଙ୍କାର ୫୦୦ ଟଙ୍କିଆ ବିଡ଼ା ମିଳିଥିଲା । ଉକ୍ତ  ଘରୁ ଏକ ରିଭଲଭର୍‌ ସହ ଏକାଧିକ ବ୍ୟାଙ୍କର  ଜମାଖାତା ଏବଂ ୫୦ରୁ ଉଦ୍ଧ୍ୱର୍ ଜମି କାଗଜପତ୍ର  ମିଳିଥିଲା । ୧୧୫ ପ୍ଲଟ୍‌ରୁ ଆହୁରି ଢେର ଅଧିକ ଜମି ରହିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ୧.୫୦ ଡିସିମିଲର ଏକ ଫାର୍ମ ହାଉସ୍, ୧୪୩୨ ବର୍ଗଫୁଟ ପରିମିତ ଏକ ବାହାର ଘର, ପ୍ରାୟ ୩୧୪ ବର୍ଗଫୁଟ ପରିମିତ ଅନ୍ୟ ଏକ ଘର ରହିଛି । ଏହାଛଡା ୦.୪୦ ଡେସିମିଲ ଜମି ଉପରେ ଏକ ପୋଖରୀ ଖୋଳାଯାଇଛି । ଯାହାର ଅନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ । ସେହିପରି ଦୁଇଟି ବୋରୱେଲ, ଗୋଟିଏ କୂଅ ଏବଂ ଶହ ଶହ ନଡ଼ିଆ, କଦଳୀ ଏବଂ ଆମ୍ବ ଗଛ ଲଗାଯାଇଛି ।