ନୂଆଦିଲ୍ଲୀ: ଭାରତର ବେସାମରିକ ବିମାନ ଚାଳନା ନିୟାମକ ସଂସ୍ଥା ଡିଜିସିଏ (DGCA) ଏୟାର ଇଣ୍ଡିଆକୁ ପାଇଲଟମାନଙ୍କ ଫ୍ଲାଇଟ ଡ୍ୟୁଟି ଟାଇମ ଲିମିଟେସନ (FDTL) ନିୟମର ଗୁରୁତର ଏବଂ ବାରମ୍ବାର ଉଲ୍ଲଂଘନ ପାଇଁ ଚେତାବନୀ ଜାରି କରିଛି। ଏହି ଚେତାବନୀ ମାର୍ଚ୍ଚ ୨୦୨୫ରେ ଏୟାର ଇଣ୍ଡିଆର ବେଙ୍ଗାଲୁରୁ-ଲଣ୍ଡନ ଉଡ଼ାଣରେ ଅଧିକ ଡ୍ୟୁଟି ସମୟ ଉଲ୍ଲଂଘନ ଧରାପଡ଼ିବା ପରେ ଦିଆଯାଇଛି। ଯାହା ଫଳରେ ଏୟାରଲାଇନର ତିନି ଜଣ ବରିଷ୍ଠ କ୍ରୁ ସିଡ୍ୟୁଲିଂ ଅଧିକାରୀଙ୍କୁ ହଟାଯାଇଛି।
ଡିଜିସିଏ ଜୁନ ୨୨ ତାରିଖରେ ଏୟାର ଇଣ୍ଡିଆକୁ ଏକ ଶୋ-କଜ୍ ନୋଟିସ ଜାରି କରିଥିଲା। ଯେଉଁଥିରେ ଏୟାରଲାଇନର ଅନୁପାଳନ ଅଭାବ ଏବଂ ଅପାରେସନାଲ ତ୍ରୁଟି ସମ୍ୱଦ୍ଧରେ ଉଲ୍ଲେଖ କରାଯାଇଥିଲା। ଏହା ପୂର୍ବରୁ ମାର୍ଚ୍ଚ ୨୦୨୪ରେ ଏୟାର ଇଣ୍ଡିଆକୁ ଡ୍ୟୁଟି ସମୟ ନିୟମ ଉଲ୍ଲଂଘନ ଏବଂ ଅଲଟ୍ରା-ଲଙ୍ଗ-ହଲ ଉଡ଼ାଣ ମଧ୍ୟରେ ପର୍ଯ୍ୟାପ୍ତ ବିଶ୍ରାମ ନଦେବା ପାଇଁ ୮୦ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା।
ଏହି ଘଟଣା ପାଇଲଟଙ୍କ ଅବସାଦ ଏବଂ ସୁରକ୍ଷା ସମସ୍ୟା ଉପରେ ଗୁରୁତ୍ୱ ଦେଇଛି। ୨୦୨୪ରେ ସେଫ୍ଟି ମ୍ୟାଟର୍ସ ଫାଉଣ୍ଡେସନ ଦ୍ୱାରା କରାଯାଇଥିବା ଏକ ସର୍ଭେରେ ୫୩୦ ଜଣ ଭାରତୀୟ ପାଇଲଟଙ୍କ ମଧ୍ୟରୁ ୭୦% କହିଛନ୍ତି ଯେ ୧୦ ଘଣ୍ଟାରୁ ଅଧିକ ଡ୍ୟୁଟି ପରେ ସେମାନେ ଅବସାଦ ଅନୁଭବ କରନ୍ତି। ଏୟାରଲାଇନ ପାଇଲଟସ୍ ଆସୋସିଏସନ ଅଫ ଇଣ୍ଡିଆ (ALPA) ମଧ୍ୟ ଅନିୟମିତ ସିଡ୍ୟୁଲ ଏବଂ ଅପର୍ଯ୍ୟାପ୍ତ ବିଶ୍ରାମ ଅବଧି ନେଇ ଚିନ୍ତା ପ୍ରକାଶ କରିଛି।
ଡିଜିସିଏ ପାଇଲଟ ଅବସାଦ ହ୍ରାସ କରିବା ପାଇଁ ନିୟମ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଥିଲା। ଯେଉଁଥିରେ ସାପ୍ତାହିକ ବିଶ୍ରାମକୁ ୩୬ ଘଣ୍ଟାରୁ ୪୮ ଘଣ୍ଟାକୁ ବୃଦ୍ଧି କରିବା ଏବଂ ରାତ୍ରି ଡ୍ୟୁଟିକୁ ୧୩ ଘଣ୍ଟାରୁ ୧୦ ଘଣ୍ଟାକୁ ହ୍ରାସ କରିବା ଆଦି ଅନ୍ତର୍ଭୁକ୍ତ ରହିଥିଲା। ତେବେ, ଏହି ସଂଶୋଧନଗୁଡ଼ିକର କାର୍ଯ୍ୟକାରୀତା ବିଳମ୍ବ ହେଉଛି। କାରଣ ଏୟାରଲାଇନଗୁଡ଼ିକ ଅଧିକ ପାଇଲଟ ନିଯୁକ୍ତି ପାଇଁ ଅଧିକ ସମୟ ମାଗୁଛନ୍ତି।
ଏୟାର ଇଣ୍ଡିଆ ଉପରେ ଚଳିତବର୍ଷ ଜୁନ ୧୨ ତାରିଖରେ ଅହମଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ଫ୍ଲାଇଟ AI171 ଦୁର୍ଘଟଣା ପରେ ଅଧିକ ନିରିକ୍ଷଣ କରାଯାଉଛି, ଯେଉଁଥିରେ ୨୬୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ପରେ ଡିଜିସିଏ ଏୟାର ଇଣ୍ଡିଆର ଅପରେସନାଲ ଏବଂ ସୁରକ୍ଷା ଅଭ୍ୟାସକୁ ନେଇ ଅଧିକ ତଦନ୍ତ ଜାରି ରହିଛି।
ଏୟାର ଇଣ୍ଡିଆ କହିଛି ଯେ ସେମାନେ ଡିଜିସିଏ ସହ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଏବଂ ସୁରକ୍ଷା ତାଙ୍କ ପାଇଁ ସର୍ବାଧିକ ପ୍ରାଥମିକତା। ତେବେ, ଏହି ଚେତାବନୀ ଏବଂ ପୂର୍ବରୁ ଭାରତୀୟ ବିମାନ ଚାଳନା କ୍ଷେତ୍ରରେ ସୁରକ୍ଷା ଏବଂ ଅନୁପାଳନ ସମ୍ପର୍କରେ ଗୁରୁତର ଚିନ୍ତା ଉପୁଜାଇଛି।