ନୂଆଦିଲ୍ଲୀ : ଶନିବାର ଦିନ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଇଣ୍ଡିଗୋ ଏୟାର ଲାଇନ୍ସ ଉପରେ ୨୨.୨ କୋଟି ଟଙ୍କାର ଜରିମାନା ଲଗାଇଛି। ଗତ ମାସରେ ବହୁ ସଂଖ୍ୟକ ଉଡ଼ାଣ ବାତିଲ କରିବା ଯୋଗୁଁ DGCA ବିମାନ କମ୍ପାନୀ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ଯାହା ଦେଶବ୍ୟାପୀ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରିଛି। ଏଠାରେ ସୂଚନାଥାଉକି, ଇଣ୍ଡିଗୋ ଗତ ଡିସେମ୍ବର ୨ ରୁ ୧୦ ତାରିଖ ମଧ୍ୟରେ ୫ ହଜାରରୁ ଅଧିକ ଉଡ଼ାଣ ବାତିଲ କରିଛି। ଏହା ସହିତ, ଶହ ଶହ ଇଣ୍ଡିଗୋ ବିମାନ ବହୁତ ବିଳମ୍ବରେ ପରିଚାଳିତ ହୋଇଥିଲା ।
DGCA ବିବୃତ୍ତିରେ କଣ କହିଛି...
ଶନିବାର ଜାରି ଏକ ବିବୃତ୍ତିରେ, DGCA କହିଛି ଯେ ଇଣ୍ଡିଗୋ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ଏୟାରଲାଇନ୍ସର ପରିଚାଳନା ବିଫଳତାର ସମୀକ୍ଷା ପରେ କରାଯାଇଛି, ଯାହା ଯାତ୍ରୀ ମାନଙ୍କୁ ବ୍ୟାପକ ଅସୁବିଧାର ସମ୍ମୁଖୀନ କରିଥିଲା। DGCA ଦେଶର ସର୍ବବୃହତ ବିମାନ କମ୍ପାନୀ ଉପରେ ୬୮ ଦିନ ପାଇଁ ପ୍ରତିଦିନ ୩ ଲକ୍ଷ ଲେଖାଏ ଜରିମାନା ଲଗାଇଛି, ଏବଂ ଏହା ସହ ଇଣ୍ଡିଗୋ ଉପରେ ୧.୮୦ କୋଟି ଟଙ୍କାର ଜରିମାନା ମଧ୍ୟ କରିଛି। ଏହା କମ୍ପାନୀ ଉପରେ ଲାଗୁ ହୋଇଥିବା ମୋଟ ଜରିମାନା ୨୨.୨ କୋଟିକୁ ପହଞ୍ଚାଇଛି।
ଡିସେମ୍ବରରେ, DGCA ଇଣ୍ଡିଗୋ ବିରୁଦ୍ଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କମ୍ପାନୀକୁ ଏହାର ମୋଟ ଉଡ଼ାଣ ୧୦ ପ୍ରତିଶତ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଡିସେମ୍ବର ୮ ତାରିଖରେ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ରାଜ୍ୟସଭାକୁ ସୂଚନା ଦେଇଥିଲେ ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରସ୍ତୁତ ନୂତନ ଉଡ଼ାଣ ଡ୍ୟୁଟି ସମୟ ସୀମା (FDTL) ମାନଦଣ୍ଡରେ ମୋଟ ୨୨ ଟି FDTL ନିର୍ଦ୍ଦେଶାବଳୀ ରହିଛି, ଯାହା ମଧ୍ୟରୁ ୧୫ ଟି ଜୁଲାଇ ୧, ୨୦୨୫ ରୁ ଏବଂ ବାକି ୭ଟି ନଭେମ୍ବର ୧, ୨୦୨୫ ରୁ କାର୍ଯ୍ୟକାରୀ ହୋଇଥିଲା।
DGCA ଇଣ୍ଡିଗୋର ଶୀର୍ଷ ଅଧିକାରୀ ମାନଙ୍କୁ ଏକ ନୋଟିସ ଜାରି କରିଥିଲା...
ରାମମୋହନ ନାଇଡୁ ରାଜ୍ୟସଭାରେ କହିଥିଲେ ଯେ FDTL କାର୍ଯ୍ୟକାରୀ କରିବା ସମ୍ପର୍କରେ ଇଣ୍ଡିଗୋ ସମେତ ଅନେକ ଅଂଶୀଦାରଙ୍କ ସହ ପରାମର୍ଶ କରାଯାଇଥିଲା, ଏବଂ ସରକାର ସ୍ପଷ୍ଟ ଭାବରେ କହିଥିଲେ ଯେ ସମସ୍ତ ଏୟାରଲାଇନ୍ସ ସୁରକ୍ଷା ସହିତ ସାଲିସ ନକରି ନିୟମାବଳୀ ପାଳନ କରିବାକୁ ପଡିବ। ତଥାପି, ଇଣ୍ଡିଗୋ ନୂତନ ନିର୍ଦ୍ଦେଶାବଳୀ ପାଳନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା। ଏହି ମାମଲାରେ DGCA ଇଣ୍ଡିଗୋର ସିଇଓ ପିଟର ଆଲବର୍ସ ଏବଂ ସିଓଓ ଇସିଡ୍ରେ ପୋରକେରାସଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି।