ଭୁବନେଶ୍ୱର,୨୯/୧୧: ସର୍ବଭାରତୀୟ ଡିଜିପି ସମ୍ମିଳନୀ ପାଇଁ ପ୍ରସ୍ତୁତି ଶେଷ । ଶୁକ୍ରବାର ଠାରୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ୩ ଦିନିଆ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌ ମଧ୍ୟ  ସାମିଲ ହେବେ । ତିନି ଦିନ ଧରି ଲୋକସେବା ଭବନରେ ଏହି ସମ୍ମିଳନୀ ଚାଲିବ । ଦେଶର  ଆଭ୍ୟନ୍ତରୀଣ ସୁରକ୍ଷା ସହ ସୀମା ସୁରକ୍ଷା, ସାଇବର  ଅପରାଧ, ଗଞ୍ଜେଇ ଓ ବ୍ରାଉନସୁଗର କାରବାର,  ଏଆଇ ଟେକ୍ନୋଲୋଜି, ଜେଲ୍‌ ସଂସ୍କାର ଭଳି ପ୍ରମୁଖ ପ୍ରସଙ୍ଗରେ ତିନି ଦିନ ଧରି ହେବ ଆଲୋଚନା । ପ୍ରଥମ  ଥର ଲାଗି ଓଡ଼ିଶାରେ ହେଉଥିବା ଏହି ସମ୍ମିଳନୀ  ପାଇଁ ଏବେ ରାଜଧାନୀ କଡ଼ା ସୁରକ୍ଷା ବଳୟରେ । 

ଶୁକ୍ରବାର ଅପରାହ୍ନରେ ଆରମ୍ଭ ହେବ  ଡିଜିପି ସମ୍ମିଳନୀ । ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହ ଏହାକୁ  ଉଦ୍‌ଘାଟନ କରିବେ । ଅପରାହ୍ନ ୧.୨୫ରେ ଶାହ  ଓ ଡୋଭାଲ ବିମାନବନ୍ଦରରେ ପହଞ୍ଚି ସିଧାସଳଖ  ସମ୍ମିଳନୀକୁ ଯିବେ । ଦେଶର ଆଇନ ଶୃଙ୍ଖଳା ନେଇ  ହେବ ମାନସ ମନ୍ଥନ । ପ୍ରଧାନମନ୍ତ୍ରୀ କିନ୍ତୁ ଶନିବାର  ସକାଳେ ଏହି ସମ୍ମିଳନୀରେ ଯୋଗ ଦେବେ । 

କାର୍ଯ୍ୟସୂଚୀ ଅନୁସାରେ, ଅପରାହ୍ଣ ୪ଟା  ୧୫ରେ ପ୍ରଧାନମନ୍ତ୍ରୀ ମୋଦି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବଦ୍ଧର୍ନା ପରେ ବିମାନବନ୍ଦର କ୍ୟାମ୍ପସ୍‌  ପାଖରେ ଏକ ସଭା କରିବେ । ସେଠାରୁ ପ୍ରଧାନମନ୍ତ୍ରୀ  ଯିବେ ରାଜଭବନ । କିଛି ସମୟ ପରେ ସନ୍ଧ୍ୟା  ସାଢ଼େ ୬ଟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ  ଆସିବେ । ଦଳୀୟ କାର୍ଯ୍ୟାଳୟରେ ସାଂସଦ ଓ  ବିଧାୟକଙ୍କଠାରୁ ରିପୋର୍ଟ କାର୍ଡ ନେବେ ମୋଦି ।  

ଗତ ୫ ମାସରେ ସେମାନଙ୍କ ପ୍ରଦର୍ଶନ ସଂପର୍କରେ  ଆଲୋଚନା କରିବେ । ଦଳୀୟ ସାଂସଦ, ମନ୍ତ୍ରୀ,  ବିଧାୟକ ଓ ପଦାଧିକାରୀଙ୍କ ସହ ରାତ୍ରୀଭୋଜନ  ସାରି ସେ ରାଜଭବନ ଯାଇ ରାତ୍ରୀଯାପନ କରିବେ ।  ମୋଦି ୩୦ ତାରିଖ ସକାଳ ସାଢେ ୮ରୁ ସଂଧ୍ୟା ୮ଟା  ଏବଂ ୧ ତାରିଖ ସକାଳ ସାଢେ ୮ରୁ ଅପରାହ୍ଣ ସାଢେ  ୪ଟା ଯଏଁ ସମ୍ମିଳନୀରେ ଉପସ୍ଥିତ ରହିବେ ।  

୨୯ରୁ ଡିସେମ୍ବର ୧ ତାରିଖ ଯାଏଁ ଡିଜିପି  ସମ୍ମିଳନୀ ପାଇଁ ପୂରା ରାଜଧାନୀକୁ ହାଇଆଲର୍ଟରେ  ରଖାଯାଇଛି । ରାସ୍ତାଘାଟ ସବୁଠି ପୁଲିସ ପହରା  ମାରୁଛି । ଲୋକସେବା ଭବନ, ରାଜଭବନ,  ରାଜ୍ୟ ଅତିଥି ଭବନ, ଆଇପିଏସ୍‌ ମେସ୍‌ ସହ  ସହରର ପ୍ରମୁଖ ଅଞ୍ଚଳରେ କେନ୍ଦ୍ରୀୟ ଫୋର୍ସ କଡ଼ା ପହରା ଦେଉଛନ୍ତି । ସବୁଠି ଚାଲିଛି ତନ୍ନ ତନ୍ନ  ଯାଞ୍ଚ । ସହରର ସମସ୍ତ ପ୍ରବେଶ ପଥରେ ଯାଞ୍ଚ  କରୁଛନ୍ତି ପୁଲିସ ଓ ବିଏସଏଫ୍‌। ପ୍ରଧାନମନ୍ତ୍ରୀଙ୍କ  କାର୍ଯ୍ୟକ୍ରମ ଥିବା ସ୍ଥାନରେ "ନୋ ଫ୍ଲାଇଙ୍ଗ  ଜୋନ୍‌' ଘୋଷଣା କରାଯାଇଛି । ଭିଡ଼ ନିୟନ୍ତ୍ରଣ  ଓ ଟ୍ରାଫିକ ପାଇଁ ବି ବ୍ୟାପକ ବ୍ୟବସ୍ଥା କରିଛି  କମିଶନରେଟ୍‌ ପୁଲିସ୍‌ । ରଙ୍ଗୀନ୍‌ ସାଜସଜ୍ଜାରେ  ସାରା ସହର ବେଶ୍‌ ସୁନ୍ଦର ଲାଗୁଛି ।

ଲୋକସେବା ଭବନକୁ ମଧ୍ୟ ଅଧିକ ଆକର୍ଷଣୀୟ ଭାବେ ସଜା  ଯାଇଛି ।  ବୈଠକ ପାଇଁ ୭୦ ପା୍ଲଟୁନ୍‌ ପୁଲିସ୍‌ ଫୋର୍ସ, ୧ ହଜାର ଅଫିସର, ବମ୍‌ ସ୍କ୍ୱାଡ୍‌, ଡଗ୍‌ ସ୍କ୍ୱାଡ୍‌, ୩ କମ୍ପାନୀ କେନ୍ଦ୍ରୀୟ ଫୋର୍ସ, ୧ ହଜାର ଅଫିସରଙ୍କୁ ମୁତୟନ କରାଯାଇଛି । ଗୃହ ବିଭାଗ  ଅଧିନରେ ଥିବା ଦେଶର ସମସ୍ତ ଡିଜିପି ଏ ବୈଠକରେ ଉପସ୍ଥିତ  ରହିବେ । ଏସ୍‌ପିଜି ଓ ଏନ୍‌ଏସ୍‌ଜିର ବରିଷ୍ଠ ଅଧିକାରୀମାନେ  ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ତି । ବୈଠକରେ କେଉଁ ବିଷୟରେ  ଆଲୋଚନା ହେବ ନିଷ୍ପତ୍ତି ନେବ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା । ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ୪୩ ଜଣ ଡିଜି, ଗୁଇନ୍ଦାର ୧୦ ଜଣ ଯୁଗ୍ମ ନିର୍ଦ୍ଦେଶକ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି ।  

ଶୁକ୍ରବାରପୂର୍ବାହ୍ଣ ୧୦ ଟା ସୁଦ୍ଧା ଅନ୍ୟ ଡିଜିମାନେ  ଭୁବନେଶ୍ୱରରେ ପହଞ୍ଚିବେ । ଡିଜିମାନଙ୍କୁ ବିମାନ ବନ୍ଦରରୁ ସ୍ୱାଗତ  କରିବା ଦାୟିତ୍ୱ ଏଏସ୍‌ପି/ଡିସିପିଙ୍କୁ ଦିଆଯାଇଛି । ଅତିଥିଙ୍କୁ ସ୍ୱାଗତ  ଓ ସହାୟତା ପାଇଁ ବିମାନ ବନ୍ଦରରେ କମିଶନରେଟ୍‌ ପୁଲିସ ପକ୍ଷରୁ  କ୍ୟାମ୍ପ ସାଙ୍ଗକୁ ୨ଟି ହେଲ୍‌ପ ଡେସ୍କ ଖୋଲାଯାଇଛି । ରାଜ୍ୟ ଅତିଥି  ଭବନରେ ସବୁ ରାଜ୍ୟର ପୁଲିସ ଡିଜି ରହିବେ । ପ୍ରଧାନମନ୍ତ୍ରୀ  ଓ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଛାଡିଲେ ବାକି ସବୁ ଅଧିକାରୀମାନେ ରାଜ୍ୟ  ଅତିଥି ଭବନରେ ରହିବେ । ପ୍ରଧାନମନ୍ତ୍ରୀ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରାୟ ଦୁଇଘଣ୍ଟା  ରହିବାର କାର୍ଯ୍ୟକ୍ରମ ଥିବାରୁ ଗୁରୁବାର ଏସପିଜି ପକ୍ଷରୁ କାର୍ଯ୍ୟାଳୟ  ପରିସରରେ ଯାଞ୍ଚ କରାଯାଇଛି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ  ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବଦ୍ଧର୍ନା ପାଇଁ ବ୍ୟାପକ  ଆୟୋଜନ କରାଯାଇଛି