ନୂଆଦିଲ୍ଲୀ,୧୭/୦୧: ସାଉଥ୍ ସୁପରଷ୍ଟାର ଧନୁଷ ଓ ଅଭିନେତ୍ରୀ ମୃଣାଳ ଠାକୁର ପୁଣି ଥରେ ନିଜ ସମ୍ପର୍କକୁ ନେଇ ଚର୍ଚ୍ଚାରେ । ସଦ୍ୟ ରିପୋର୍ଟ ଅନୁସାରେ, ଉଭୟ ଆସନ୍ତା ଫେବ୍ରୁଆରୀ ୧୪ ତାରିଖ ଅର୍ଥାତ୍ ଭାଲେନ୍ଟାଇନ୍ସ ଡେ’ ଅବସରରେ ବିବାହ କରିବେ । କେବଳ ପରିବାର ଓ ଘନିଷ୍ଠ ବ୍ୟକ୍ତିଙ୍କ ଗହଣରେ ବିବାହ ଅନୁଷ୍ଠିତ ହେବ । ତେବେ ଧନୁଷ କିମ୍ବା ମୃଣାଳ ଏ ନେଇ କୌଣସି ସୂଚନା ଦେଇନାହାନ୍ତି ।
ଗତ ବର୍ଷ ଅଗଷ୍ଟରେ ମୃଣାଳଙ୍କ ଫିଲ୍ମ ‘ସନ୍ ଅଫ୍ ସରଦାର୨’ର ପ୍ରିମିୟର୍ରେ ଧନୁଷଙ୍କୁ ଦେଖିବାକୁ ମିଳିଥିଲା । ଉଭୟଙ୍କୁ ଏକାଠି ଦେଖିବା ପରେ ଡେଟିଂ ଗୁଜବ ପ୍ରଚାର ହେଲା । ତା’ପରେ ଧନୁଷଙ୍କ ‘ତେରେ ଇଶ୍କ ମେଁ’ର ରାପ୍-ଅପ୍ ପାର୍ଟିରେ ମୃଣାଳଙ୍କୁ ଦେଖିବା ପରେ ଚର୍ଚ୍ଚା ଆହୁରି ବଢ଼ିଲା । ମୃଣାଳ ସୋସିଆଲ ମିଡିଆରେ ଧନୁଷଙ୍କ ସମେତ ତାଙ୍କ ଦୁଇ ଭଉଣୀଙ୍କୁ ଫଲୋ କରୁଛନ୍ତି, ଏହା ମଧ୍ୟ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି । ଡେଟିଂ ଗୁଜବ ବଢ଼ିବାରୁ ଏକ କାର୍ଯ୍ୟକ୍ରମରେ ମୃଣାଳକୁ ସଫେଇ ଦେବାକୁ ପଡ଼ିଥିଲା । ଉଭୟ ଭଲ ବନ୍ଧୁ ବୋଲି ମୃଣାଳ କହିଥିଲେ । ଧନୁଷ ୨୦୦୪ରେ ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କୁ ବିବାହ କରିଥିଲେ । ଉଭୟଙ୍କର ଦୁଇ ପୁଅ ଯାତ୍ରା ଓ ଲିଙ୍ଗା ଅଛନ୍ତି । ୨୦୨୨ରେ ଉଭୟ ବିବାହ ବିଚ୍ଛେଦ ଘୋଷଣା କରିଥିଲେ ଏବଂ ୨୦୨୪ରେ ଔପଚାରିକ ରୂପେ ସେମାନଙ୍କର ଛାଡ଼ପତ୍ର ହେଲା । ଧନୁଷ ଗତ ବର୍ଷ ‘ଇଡ୍ଲୀ କଢ଼ାଈ’ ଓ ‘ତେରେ ଇଶ୍କ ମେଁ’ ଫିଲ୍ମରେ ଥିଏଟରକୁ ଆସିଥିଲେ । ମୃଣାଳ ଶେଷ ଥର ‘ସନ୍ ଅଫ୍ ସରଦାର-୨’ରେ ପରଦାକୁ ଆସିଥିଲେ । ଏ ବର୍ଷ ତାଙ୍କର ‘ଦୋ ଦିୱାନେ ସେହେର ମେଁ’ ଓ ‘ଡକୈତ୍: ଏ ଲଭ୍ ଷ୍ଟୋରୀ’ ମୁକ୍ତିଲାଭ କରିବ ।
ସତ ନା ଗୁଜବ ? ସେଲିବ୍ରିଟିଙ୍କ ବିବାହକୁ ନେଇ ଅନେକ ସମୟରେ ଗୁଜବ ସତଠୁ ଦ୍ରୁତ ଗତିରେ ବ୍ୟାପିଯାଏ । ଏଥର ଅଭିନେତ୍ରୀ ମୃଣାଳ ଠାକୁର ଏବଂ ଧନୁଷଙ୍କୁ ନେଇ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି । ଜାନୁଆରୀ ୧୬ରେ ଇଣ୍ଟରନେଟରେ ଚର୍ଚ୍ଚା ଆରମ୍ଭ ହୋଇଛି କି ଫେବୃଆରୀ ୧୪ରେ ଧନୁଷ ଏବଂ ମୃଣାଳ ବିବାହ କରିବେ । ଏହାକୁ ମୃଣାଳଙ୍କ ଜଣେ ଘନିଷ୍ଠ ଖାରଜ କରିଛନ୍ତି । ଏହି ବାହାଘର ହେବ ନାହିଁ ବୋଲି କହିଛନ୍ତି ମୃଣାଳଙ୍କ ସମ୍ପର୍କୀୟ । ମୃଣାଳ ଆସନ୍ତାମାସରେ ବିବାହ କରୁନାହାନ୍ତି । ଏହା ଏକ ଅର୍ଥହୀନ ଗୁଜବ ଯାହା ପ୍ରସାରିତ ହୋଉଛି ।