ବାଙ୍ଗିରିପୋଷି,୨୧/୦୧: ବାଙ୍ଗିରିପୋଷି ବ୍ଲକ୍‌ ଅନ୍ତର୍ଗତ ଦିଘି ଗ୍ରାମ ପଞ୍ଚାୟତର ଦରକଣ୍ଟିଆ ଗ୍ରାମରେ ଦୁଇ ପକ୍ଷ ମଧ୍ୟରେ ଚାଲିଥିବା ସମସ୍ୟାର  ସମାଧାନ ହୋଇପାରୁନାହିଁ । ଗୋଟେ ପଟେ ପୀଡ଼ିତ ପରିବାର ଜାରିମାନା ଦେବାକୁ ଅରାଜି  ହେଉଥିବା ବେଳେ ଅନ୍ୟପଟେ ଗ୍ରାମବାସୀମାନେ ଜରିମାନା ନଦେଲେ ଶୁଦ୍ଧିକ୍ରିୟା କରାଇ ନଦେବାକୁ ଜିଦ୍‌ ଧରି ବସିଛନ୍ତି । ଫଳରେ ଗ୍ରାମରେ ତିକ୍ତତା ବଢ଼ିବାରେ ଲାଗିଛି । ଜଣେ ମହିଳା ମୃତ୍ୟୁବରଣ କରିବାର ୩ ମାସ ପୂରିବାକୁ ବସିଲାଣି ହେଲେ ତାଙ୍କ ଆତ୍ମୀୟ ଶୁଦ୍ଧି ହୋଇପାରୁନାହାନ୍ତି ।  

ଅନ୍ୟପକ୍ଷେ ସୋମବାର ପୀଡିତ ପରିବାରର  ତିନି ଜଣ ବ୍ୟକ୍ତିଙ୍କୁ ବାଙ୍ଗିରିପୋଷି ପୁଲିସ ଗିରଫ ପରେ କୋର୍ଟ ଚାଲାଣ କରିଛି ।  ଆଦିବାସୀ ସେଙ୍ଗେଲ ଅଭିଯାନ ତରଫରୁ ଏହାକୁ ତୀବ୍ର ନିନ୍ଦା କରାଯାଇଥିଲା। ୧୮ ବର୍ଷ ହେଲା ବାସନ୍ଦ ହୋଇଥିବା ସୁନ୍ଦର ମୋହନ ମାର୍ଣ୍ଡୀଙ୍କ ପରିବାର ପାଇଁ ସାମାଜିକ ନ୍ୟାୟ ଦାବି କରିଛି ।  

ପ୍ରକାଶଯୋଗ୍ୟ, ଦରକଣ୍ଟିଆ ଗ୍ରାମର ସୁନ୍ଦର ମୋହନ ମାଝୀଙ୍କର ସ୍ତ୍ରୀ ସାକ୍ରମଣି ମାର୍ଣ୍ଡି ଗତ  ୨୩/୧୦/୨୦୨୪ରେ ମୃତ୍ୟୁବରଣ କରିଥିଲେ। ତେବେ ପୂର୍ବରୁ ଶ୍ରୀ ମାର୍ଣ୍ଡିଙ୍କୁ ଗ୍ରାମବାସୀଙ୍କ ଦ୍ୱାରା ଆଦିବାସୀ ସମାଜ ଅନୁଯାୟୀ ଜରିମାନା କରିଥିବା  ୨୦ ହଜାର ଟଙ୍କା ଦେଇ ନଥିବାରୁ ଶବ ସତ୍କାର ଲାଗି ଗ୍ରାମବାସୀମାନେ ନଛାଡି ଶବକୁ ଦୁଇ ଦିନ ଧରି ଅଟକ ରଖିଥିଲେ । ପରେ ପ୍ରଶାସନ ଓ ପୁଲିର ହସ୍ତକ୍ଷେପ  ଯୋଗୁଁ ଶବ ସତ୍କାର ହୋଇଥଲା । ତେବେ ଗ୍ରାମବାସୀମାନେ ପୁଣି ଶୁଦ୍ଧିକ୍ରିୟା କାର୍ଯ୍ୟ କରାଇ ନଦେବା ସହ ଚାଷ ଜମିରୁ ଧାନ ଫସଲ କାଟିବାକୁ ଦେଇନଥିଲେ । ଫଳରେ ସମ୍ପୂର୍ଣ୍ଣ ଫସଲ ନଷ୍ଟ  ହୋଇଯାଇଥିବା ନେଇ ପୀଡ଼ିତ ପରିବାର ତରଫରୁ  ଥାନାରେ ଅଭିଯୋଗ ହୋଇଥିଲା ।  

ଏପରିକି ସରକାରୀ କୂଅ, ନଳକୂଅରୁ ପାଣି ପିଇବାକୁ ଦିଆ ଯାଉନାହିଁ ଏବଂ ଗୋରୁ ଗାଈ,  ଛେଳି ଚରାଇବାକୁ ଦିଆଯାଉ ନାହିଁବୋଲି ସେମାନେ  ଅଭିଯୋଗ କରିଥିଲେ । ଏଥିନେଇ ପୀଡ଼ିତଙ୍କ  ପରିବାର ଓ ଆଦିବାସୀ ସେଙ୍ଗେଲ ଅଭିଯାନର  କାର୍ଯ୍ୟକର୍ତ୍ତା ମାନେ ୪୯ ନମ୍ବର ଜାତୀୟ ରାଜପଥ  ଅବରୋଧ ମଧ୍ୟ କରିଥିଲେ । ଅନ୍ୟପକ୍ଷେ  ଆଦିବାସୀ ସେଙ୍ଗେଲ ଅଭିଯାନର କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ ଏବଂ ଜିଲ୍ଲା ପୁଲିସ ପ୍ରଶାସନଙ୍କ  ଉପସ୍ଥିତିରେ ୩୦ ଡିସେମ୍ବରକୁ ଶୁଦ୍ଧିକ୍ରିୟା କାର୍ଯ୍ୟ  ହେବାର ଥିଲା  । କିନ୍ତୁ ବାରିପଦା ଉପଖଣ୍ଡ  ପୁଲିସ ଅଧିକାରୀଙ୍କ ପରାମର୍ଶରେ ୨୦ ଜାନୁଆରୀ  ୨୦୨୫କୁ ଘୁଞ୍ଚିଥିଲା । ତେବେ ସୋମବାର ଶୁଦ୍ଧିକ୍ରିୟା  ହୋଇ ନପାରିଥିବା ବେଳେ ପୀଡ଼ିତଙ୍କ ପରିବାର ମଧ୍ୟରୁ ତିନି ଜଣ ବ୍ୟକ୍ତିଙ୍କୁ ପୁଲିସ କୋର୍ଟ ଚାଲାଣ  କରିଛି । ଅନ୍ୟପକ୍ଷେ ଭାରତ ସମ୍ବିଧାନର ଅନୁଚ୍ଛେଦ  ୧୩(୩) କ ଅନୁସାରେ ଆଦିବାସୀ ସାନ୍ତାଳ  ସମାଜର ମାଝୀ ପାର୍ଗନା ବ୍ୟବସ୍ଥା ସାମ୍ବିଧାନିକ  ଅଟେ ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ ।  

ଆଦିବାସୀ ସମାଜରେ ମାଝୀ ବାବା ବା  ଗ୍ରାମର ମୁଖିଆଙ୍କ ଦ୍ୱାରା ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ  ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥାଏ । ଗ୍ରାମର ସୁନ୍ଦର ମୋହନ ମାଝୀଙ୍କୁ ନେଇ ଆଦିବାସୀ  ପାରମ୍ପରିକ ଗ୍ରାମ ସଭାରେ ବିଶୃଙ୍ଖଳା ହେବା  ସହ ଆଦିବାସୀ ସମାଜର ରୀତିନୀତି, ରୁଢି, ପ୍ରଥା ଉଲ୍ଲଂଘନ ହେବା ସହ ସମ୍ବିଧାନର  ଅନୁଚ୍ଛେଦ ୧୯ ପାରା (୫), ପାରା(୬) କୁ  ଉଲ୍ଲଙ୍ଘନ କରାଯାଉଥିବା ନେଇ ଗ୍ରାମବାସୀମାନେ ଜିଲ୍ଲାପାଳ, ଏସପି ସମେତ ଥାନା ଅଧିକାରୀ,  ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ  କରି କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି ।