ଭୁବନେଶ୍ବର, ୧୪/୧୧ : ନୂଆପଡ଼ାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ବିଜୟ ପରେ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ନୂଆପଡ଼ା ଉପନିର୍ବାଚନରେ ନୂଆପଡ଼ାବାସୀଙ୍କ ସହ ଗଣତନ୍ତ୍ରର ବିଜୟ ହୋଇଛି ବୋଲି ଉଲ୍ଲେଖ କରିଛନ୍ତି ।

ସେ ଲେଖିଛନ୍ତି, ନୂଆପଡ଼ା ଉପନିର୍ବାଚନରେ ନୂଆପଡ଼ାବାସୀଙ୍କ ସହ ଗଣତନ୍ତ୍ରର ବିଜୟ ହୋଇଛି । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ଶ୍ରୀ ମନମୋହନ ସାମଲ ତଥା ଆମ ଆମ ଦଳ ଉପରେ ବିଶ୍ୱାସ କରି ଭୋଟ ଦେଇଥିବାରୁ ନୂଆପଡ଼ାର ଜନସାଧାରଣ ଏବଂ କଠିନ ପରିଶ୍ରମ କରିଥିବା କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଉଛି ।

ଆମର ଡବଲ ଇଞ୍ଜିନ ସରକାର ନୂଆପଡ଼ାର ବିକାଶକୁ ତ୍ୱରାନ୍ୱିତ କରିବା ସହ ଲୋକଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବ ବୋଲି ମୋର ବିଶ୍ୱାସ । ଏହି ଉପନିର୍ବାଚନରେ ବିଜୟୀ ହୋଇଥିବା ଆମ ଦଳର ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କୁ ଶୁଭେଚ୍ଛା ।

​​​​​​​

ସୂଚନା ଅନୁସାରେ, ନୂଆପଡ଼ାରେ ୮୪ ହଜାରରୁ ଅଧିକ ଭୋଟରେ ଜିତିଲେ ଜୟ । ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଜୟଙ୍କଠାରୁ ଭୋଟ ବ୍ୟବଧାନରେ ବହୁ ପଛରେ ରହିଛନ୍ତି । ୧,୨୩,୨୪୩ରୁ ଅଧିକ ଭୋଟ ପାଇ ଜୟ ବିଜୟୀ ହୋଇଛନ୍ତି। ଏଥିସହ ବିଜେପି ନୂଆପଡା ଆସନ ଦଖଲ କରିଛି। ବିଜେଡି ହାତରୁ ଖସିଯାଇଛି ନୂଆପଡା। ସ୍ନେହାଙ୍ଗିନୀ ୩୮,୨୫୬ ଭୋଟ ପାଇ ୩ୟ ସ୍ଥାନରେ ଥିବାବେଳେ ଘାସିରାମ ୪୦,୦୩୯ ଭୋଟ ପାଇ ୨ୟ ସ୍ଥାନରେ ରହିଛନ୍ତି।