ନୂଆଦିଲ୍ଲୀ,୧୧/୧୧; ଆଉ ନାହାନ୍ତି ବଲିଉଡ଼ ଅଭିନେତା ଧର୍ମେନ୍ଦ୍ର । ଗୋଟିଏ ଯୁଗର ଅବସାନ । ସକାଳୁ ସକାଳୁ ହଠାତ୍‌ ଜାତୀୟ ଗଣମାଧ୍ୟମରେ ଏହି ଖବର ଛାଇଯାଇଥିଲା । ଫ୍ୟାନ୍ସଙ୍କୁ ସ୍ତବ୍ଧ କରିଦେଇଥିଲା ଖବରଟି । କେହି ବିଶ୍ୱାସ କରିନଥିଲେ । ହେଲେ ଧର୍ମେନ୍ଦ୍ର ବଞ୍ଚିଛନ୍ତି । ତାଙ୍କର କିଛି ହୋଇନାହିଁ । ଧର୍ମେନ୍ଦ୍ରଙ୍କ ପରଲୋକ ଖବରକୁ ଖଣ୍ଡନ କରିଛନ୍ତି ଝିଅ ଇଶା ଦେଓଲ । ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଟ୍ବିଟ୍ କରି ସ୍ପଷ୍ଟ କରିଛନ୍ତି ଇଶା । ସ୍ୱାସ୍ଥ୍ୟାବସ୍ଥା ସ୍ଥିର ସହ ଧୀରେ ଧୀରେ ସୁସ୍ଥ ହେଉଥିବା କହିଛନ୍ତି । ପରିବାରର ଗୋପନୀୟତା ବଜାୟ ରଖିବାକୁ ଅପିଲ୍ କରିଛନ୍ତି ଧର୍ମେନ୍ଦ୍ରଙ୍କ ଝିଅ ଇଶା ।

ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ୮୯ବର୍ଷୀୟ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର । ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଗଣମାଧ୍ୟମରେ ତାଙ୍କର ମୃତ୍ୟୁ ଖବରକୁ  ଖଣ୍ଡନ କରିଛନ୍ତି ତାଙ୍କ ଝିଅ ଇଶା ଦେଓଲ । ଧର୍ମେନ୍ଦ୍ରଙ୍କ ଝିଅ ଇଶା ସୋସିଆଲ ମିଡିଆ ଇନ୍‌ଷ୍ଟାରେ ଲେଖିଛନ୍ତି, ''ଲୋକ ତରବରିଆ ହୋଇ ମିଛ ଖବର ପ୍ରକାଶ କରୁଛନ୍ତି । ମୋ ବାପା ଠିକ୍ ଅଛନ୍ତି ଏବଂ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ସମସ୍ତଙ୍କୁ ଅନୁରୋଧ କରୁଛି ଆମ ପରିବାର ଗୋପନୀୟତା ବଜାୟ ରଖନ୍ତୁ । ବାପାଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିବାରୁ ଧନ୍ୟବାଦ ।''

ରାଗିଗଲେ ପତ୍ନୀ ହେମାମାଳିନୀ- ସ୍ୱାମୀଙ୍କ ମିଛ ମୃତ୍ୟୁ ଖବରକୁ ନେଇ ରାଗି ଯାଇଛନ୍ତି ପତ୍ନୀ ହେମାମାଳିନୀ । ସେ କହିଛନ୍ତି, ''ଯାହା ହୋଇଛି ତାହା କେବେ କ୍ଷମାଯୋଗ୍ୟ ନୁହେଁ । ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ ମିଛ ଖବର ପ୍ରଚାର କରିବା ଯାହାଙ୍କର ଚିକିତ୍ସା ଚାଲିଛି ଏବଂ ସେ ସୁସ୍ଥ ହେଉଛନ୍ତି । ଏହା ଅତ୍ୟନ୍ତ ଅପମାନଜନକ ଏବଂ ଦାୟିତ୍ୱହୀନତା । ଦୟାକରି ଆମ ପରିବାର ଏବଂ ବ୍ୟକ୍ତିଗତ ମାମଲାର ସମ୍ମାନ କରନ୍ତୁ ।''

ଦୀର୍ଘ ୬ ଦଶନ୍ଧିର ଧରି ସିନେମା ସଫଳତା ସାଉଁଟିଛନ୍ତି । ଦ ହି-ମ୍ୟାନ୍ ଅଫ୍ ବଲିଉଡ଼ । ଓଜି ଅକ୍ସନ ଷ୍ଟାର ଧର୍ମେନ୍ଦ୍ର ୧୯୩୫ ମସିହା ଡିସେମ୍ବର ୮ରେ ପଞ୍ଜାବରେ ଜନ୍ମଗ୍ରହଣ କରିଥିଲେ ୧୯୬୦ରେ 'ଦିଲ୍ ଭି ତେରା ହମ୍ ଭି ତେରା' ଫିଲ୍ମରେ ଡେବ୍ୟୁ କରିଥିଲେ । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବାରୁ ସେ ଚିକିତ୍ସାଧୀନ ଅଛନ୍ତି । ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି । ଆଗାମୀ ୭୨ ଘଣ୍ଟା ବେଶ୍ ଗୁରୁତ୍ୱପୂର୍ଣ୍ଣ । ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ଙ୍କ ନୀରିକ୍ଷଣରେ ଅଛନ୍ତି ଧର୍ମେନ୍ଦ୍ର । ପୁରା ଦେଓଲ ପରିବାର ହସ୍ପିଟାଲରେ ଉପସ୍ଥିତ ଅଛନ୍ତି । ଧର୍ମେନ୍ଦ୍ରଙ୍କୁ ଭେଟିବାକୁ ଗତ କିଛି ଦିନ ହେବ ସାଥୀ କଳାକାର ହସ୍ପିଟାଲ ଗସ୍ତ କରିଛନ୍ତି । ସଲମାନ ଖାନ, ଶାହାରୁଖ ଖାନ, ଗୋବିନ୍ଦାଙ୍କ ସମେତ ଅନେକ କଳାକାର ଲେଜେଣ୍ଡ୍ରୀ ଅଭିନେତା ଧର୍ମେନ୍ଦ୍ରଙ୍କୁ ଭେଟିଛନ୍ତି ।