ହରଭଙ୍ଗା,୨୨।୫ : ବୌଦ୍ଧ ପରମ୍ପରା ସଂସ୍କୃତିକୁ ଯୁଗ ଯୁଗ ଧରି ନିଆରା ଢଙ୍ଗରେ ପୂଜାର୍ଚ୍ଚନା କରି ଜୀବିତ ରଖିଛନ୍ତି ଜାତି ସମାଜ ଓ ଗ୍ରାମବାସୀ l ମୁଖ୍ୟତଃ ଆଦିମ ଅଧିବାସୀ କନ୍ଧ ସମାଜର "ଢେଲ ପୂଜା "କୁ ସମାଜ ଓ ଗ୍ରାମବାସୀଙ୍କ ସହଯୋଗରେ ଦୁଇଦିନ ଧରି ବୌଦ୍ଧ ହରଭଙ୍ଗା ବ୍ଲକ ରାମ୍ଭିକଟା ଠାରେ ମହା ଆଡମ୍ବରରେ ପାଳିତ ହୋଇଛି l
କୃଷି ଭିତ୍ତିକ ପର୍ବ ଢେଲ ପୂଜାରେ ବର୍ଷା ପୂର୍ବରୁ ଚାଷକୁ ନେଇ ଗ୍ରାମ୍ୟ ମା’ ପିତାବଳୀ ପୀଠରେ ପୂଜା କରାଯାଇଥାଏ। ୩ ବର୍ଷରେ ଥରେ ରୀତିନୀତିରେ କନ୍ଧ ସମାଜ ମାଟି ମା’ ଙ୍କୁ ୨ଦିନ ଧରି ପୂଜା କରିଛନ୍ତି l ପ୍ରଥମ ଦିନ ମା’ ଙ୍କ "ବାର" କୁହାଯାଉଥାଏ। ’ବାର’ ରେ ଗ୍ରାମର ଅନ୍ୟ ଦେବା ଦେବୀଙ୍କୁ ମା’ଙ୍କ ପୀଠକୁ ନିମନ୍ତ୍ରଣ ବା ବରଣ କରାଯାଇଥାଏ। ଗୁରୁବାର ମା’ ପିତାବଳୀ ପୀଠରେ କନ୍ଧ ସମାଜ ର ରୀତିନୀତିରେ ଦେହୁରୀ ଘରୁ ଯାଇଥିବା କ୍ଷୀର, ଦହି, ଝୁଣା ମୁଁହା, ଉଖୁଡା, ଡୁମୁଣୀ (ଶାଳପତ୍ରରେ ତିଆରି ଠୁଙ୍କା )ରେ ମହୁଲ ରସ ଢାଳି ଭୋଗ ଲାଗି ହୋଇଥାଏ l ପରେ ଗ୍ରାମର ପୁରୁଷ ମହିଳା, ଗ୍ରାମବାସୀ, ମାନସିକ ଧାରୀ ମିଶି ମା’ଙ୍କ ଭୋଗ ଖାଇଥାନ୍ତି। କାନ୍ଧରେ କାନ୍ଧ ମିଶାଇ ପୀଠରୁ ଗାଁ ର ଦେହୁରୀ ଘର ଅଭିମୁଖେ ଢୋଲ, ମହୁରୀ ଗୀତ ତାଳେ ତାଳେ ନାଚି ଆସିଥାନ୍ତି l
ଆବାହନ କାଳରୁ ବିଶ୍ୱାସ ରହିଛି ଯେ, ତିନି ବର୍ଷ ରେ ଥରେ ମା’ଙ୍କ ପୀଠରେ ଢେଲ ପୂଜା ନ ହେଲେ ଗାଁ ରେ ବିଘ୍ନ ଓ ଅନାବୃଷ୍ଟି ହୁଏ l ଏହି ଢେଲ ପୂଜାରେ ଗ୍ରାମର ସଭାପତି ଦୁର୍ଯ୍ୟୋଧନ ମଲ୍ଲିକ, ସମ୍ପାଦକ ପ୍ରଦୀପ ବେହେରା, ଗ୍ରାମ୍ୟ ପରିଚାଳନା କମିଟିଙ୍କ ତତ୍ଵାବଧାନରେ ଦେହୁରୀ ଅଖିଳ କହଁର, ବହୁକ ଭ୍ରମର କହଁର, ଯାନୀ ଶ୍ରୀବନ୍ତ ମଲ୍ଲିକ,ଝାଙ୍କର ଗୋକୁଳ ପ୍ରଧାନ,ପାଣିବୁହା ଅନିରୁଦ୍ଧ ବାଘ,ପୂଜକ ଅଗାଧୁ ଛତ୍ର ନିଜ ଦାୟିତ୍ୱ ଦୁଇଦିନ ଧରି ସୁଚାରୁରୂପେ ତୁଲାଇଥିଲେ l ହରଭଙ୍ଗା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଅକ୍ଷୟ କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଢେଲ ପୂଜାରେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ l