ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଢେଙ୍କାନାଳ ବରା ଯିଏ ଖାଇଛି ସେ ଜାଣିଛି, ବରା ପାଇଁ ଦିନଟିଏ....

Published By : Ankita S | April 7, 2025 7:48 AM

ଭୁବନେଶ୍ବର,୦୭/୦୪: ସକାଳ ହେଉ କି ସଞ୍ଜ । ଗରମ ଗରମ ବରା ସହ ଟିକେ ଘୁଗୁନି ନଚେତ୍ ରାଗ ଚଟପଟା ଚଟଣୀ ଟିକେ ମିଳିଗଲେ ଏକଦମ୍ ଜମିଯାଏ । ଆହାଃ କି ସ୍ବାଦ... ଆପେ ଆପେ ମନ କହିଦିଏ । କୁ଼ଡୁକୁଡ଼ିଆ, ମୁସୁମୁସିଆ । ପାାଟିକୁ ଭାରି ସୁଆଦିଆ । ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସଭିଙ୍କ ପ୍ରିୟ ‘ବରା’ । ଯାହା ଢେଙ୍କାନାଳକୁ ଦେଇଛି ସ୍ୱତନ୍ତ୍ର ପରିଚୟ । ଢେଙ୍କାନାଳ  ସହ ବରାର ସମ୍ବନ୍ଧ ଅତୁଟ, ଐତିହାସିକ । ରସଗୋଲା ଦିବସ,ଦହିବରା ଦିବସ,ପଖାଳ ଦିବସ ପାଳନ ଭିତରେ ବରା ଦିବସ ପାଳନ ଆରମ୍ଭ ହୋଇଛି । ୨୦୨୩ ମସିହାରୁ ଏପ୍ରିଲ୍‌ ୭ ତାରିଖକୁ ଢେଙ୍କାନାଳ ସଚେତନ ନାଗରିକ ଫୋରମ୍‌ ପକ୍ଷରୁ ବରା ଦିବସ ରୂପରେ ପାଳନ କରାଯାଇଆସୁଛି । ଏହି ଦିନ ଢେଙ୍କାନାଳବାସୀ ଏକାଠି ହୋଇ ବରା ସମ୍ପର୍କରେ ସ୍ମୃତି, ଅନୁଭୂତି, କଥା, କବିତା ବାଣ୍ଟିବା ସହ ବରା ଖାଇ ଏହି ଦିବସ ପାଳନ କରୁଛନ୍ତି ।

ଓଡ଼ିଶା ସମେତ ବାହାରେ ବି ଭିନ୍ନଭିନ୍ନ ପ୍ରକାରର ବରା ମିଳେ । ତେବେ ଢେଙ୍କାନାଳ ବରା ଅନ୍ୟ ବରାଠାରୁ ସ୍ୱତନ୍ତ୍ର ଓ ଭିନ୍ନ । ଅନ୍ୟ ଆଡ଼େ ବିରି ଅଂଶ କମ୍‌ ରହି ସୁଜି ଅଧିକ ଦିଆଯାଇ ବରା ପ୍ରସ୍ତୁତ ହୁଏ । କିନ୍ତୁ ଢେଙ୍କାନାଳ ବରାରେ ଆଦୌ ସୁଜିର ବ୍ୟବହାର ହୁଏ ନାହିଁ । କଳା ବିରି ଓ ଅରୁଆ ଚାଉଳ ହିଁ ଏହାର ମୁଖ୍ୟ ଉପାଦାନ । ୬୦ ଅନୁପାତ ୪୦ରେ ବିରି ଚାଉଳ ବଟା ଯାଏ । କିଛି ସମୟ ବିରି ଫୁଲିବା ପରେ ସେଥିରେ ଅଦା, ଆମ୍ବକସିଆ ଅଦା,କଞ୍ଚାଲଙ୍କା, ଭୃସଙ୍ଗ ପତ୍ର, ଧନିଆ ପତ୍ର, ଗୋଟା ଜିରା ଓ ପିଆଜ ପକାଯାଇ ବରା ଛଣା ଯାଏ । ଚାଉଳ ପଡ଼ିଥିବା ଏହି ବରାର ଉପର ଅଂଶ କଡ଼କଡ଼ିଆ ମୁସମୁସିଆ ହୋଇଥିବା ସମୟରେ ଭିତର ନରମ ହୋଇଥାଏ ଯାହା ଖାଇବାକୁ ବେଶ୍‌ ସୁଆଦିଆ ଲାଗେ । ସେହିପରି ଅନ୍ୟଠି ବରା ଗୋଲ୍‌ ଆକୃତିର ହୋଇଥିବା ବେଳେ ଢେଙ୍କାନାଳ ବରା ଚେପ୍‌ଟା ।

ସ୍ୱାଦ ବଢ଼ାଏ ବ୍ରାହ୍ମଣୀ ପଠାର ବିରି ଢେଙ୍କାନାଳ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀ । ନଦୀ ପଠାରେ ବିରି ଚାଷ ହୋଇଥାଏ । ବରା ବ୍ୟବସାୟୀମାନେ ଏହି କଳା ବିରି ସଂଗ୍ରହ କରିଥାନ୍ତି । ଏହି ବିରି ହିଁ ଢେଙ୍କାନାଳ ବରାର ବିଶେଷତ୍ୱ । ବିରିକୁ ଚୁରା ଯାଇ ପାଣିରେ ଭିଜାଯାଏ । ଏହାପରେ ବିରିକୁ ଶିଳରେ ବଟାଯାଏ । ଧୁଆଯିବା ପରେ ମଧ୍ୟ ସଂପୂର୍ଣ୍ଣ ଚୋପା ଛାଡି ନଥିବାରୁ ବରା ଉପରେ କଳାକଳା ବିରି ଚୋପା ଦେଖିବାକୁ ମିଳେ । ବିରି ଅମଳ ସମୟରୁ ହିଁ ବରା ଦୋକାନୀମାନେ ବର୍ଷକ ପାଇଁ ବିରି ସଂଗ୍ରହ କରି ରଖିଥାନ୍ତି । ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ହେଉଥିବା ଏହି ବରା ଜି ଆଇ ଟ୍ୟାଗ୍‌ ପାଇବାର ଯୋଗ୍ୟତା ରଖୁଥିବା ଦାବି କରନ୍ତି ଢେଙ୍କାନାଳବାସୀ । ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ବରା ଦିବସ ପାଳନ କରିବାକୁ ପ୍ରସ୍ତୁତି ହୋଇଛି ।

ଦେଢ ଶହ ବର୍ଷର ଇତିହାସ- 

ସଂସ୍କୃତି ଆଲୋଚକ ପ୍ରଦ୍ୟୁମ୍ନ ରଥଙ୍କ ମତରେ ଦେଢ଼ଶହ ବର୍ଷ ଧରି ରାଜା ଭଗିରଥ ମହେନ୍ଦ୍ର ବାହାଦୂରଙ୍କ ଶାସନ ସମୟରୁ ଢେଙ୍କାନାଳରେ ଏହି ବରା ପ୍ରସ୍ତୁତ ହୋଇଆସୁଛି । ସେ ସମୟରେ ବିରି  ଓ ଚାଉଳରେ ଗୁଡ ମିଶାଯାଇ ପୁଳି, ଦୁଦୁର ପିଠା ତିଆରି ହୋଇ ଭୋଗ ଲଗାଯାଉଥିଲା । ସମ୍ଭବତଃ ସେଥିରୁ ବରାର ପରିକଳ୍ପନା ହୋଇଥାଇପାରେ । ରାଜା,ମହାରାଜାଙ୍କ ପାଇଁ ରାଜନଅରରେ ସୁଆରମାନେ ଏହା ପ୍ରସ୍ତୁତ କରୁଥିଲେ । ପରେ ପରିଚ୍ଛା ସାହୁ, କୁଞ୍ଚ ସାହୁ, ସତ୍ୟବାଦୀ ସାହୁ ପ୍ରମୁଖ ସହରରେ ବରା ବିକ୍ରି ଆରମ୍ଭ କଲେ । ୪ ପିଢି ହେଲା ବରା ତିଆରି ହୋଇଆସୁଥିବା କାରିଗରମାନେ କୁହନ୍ତି । ପୁରୁଖା ବରା କାରିଗର ସିଦ୍ଧେଶ୍ୱର ସାହୁ କୁହନ୍ତି, ତାଙ୍କ ଜେଜେବାପା ସତ୍ୟବାଦୀ ସାହୁ ବରା ତିଆରି କରୁଥିଲେ । ପରେ ତାଙ୍କ ବାପା ଭାଗବତ ସାହୁଙ୍କ ପରେ ଏବେ ସେ ଓ ତାଙ୍କ ଭାଇ ବରା କରିଆସୁଛନ୍ତି । ସେହିଭଳି କୁଞ୍ଜ ସାହୁଙ୍କ  ପୁଅ ଗୋବିନ୍ଦ ସାହୁ, ନାତି ପ୍ରସନ୍ନ ସାହୁଙ୍କ ପରେ ଅଣନାତି ପ୍ରସିତ୍‌ ସାହୁ ସମାନ ଗୁଣବତ୍ତାର ବରା ପ୍ରସ୍ତୁତ କରୁଛନ୍ତି । ଦେଶ ବିଦେଶର ବିଶିଷ୍ଟ ବ୍ୟକ୍ତିମାନେ ଓଡ଼ିଶା ଆସିଲେ ସେମାନଙ୍କ ଖାଦ୍ୟ ତାଲିକାରେ ସାମିଲ ଥିବା ବରା ଢେଙ୍କାନାଳରୁ ପ୍ରସ୍ତୁତ ହୋଇ ଯାଇଥାଏ ବୋଲି ସେଠାକାର କିଛି ବ୍ୟକ୍ତି କୁହନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.