ଢେଙ୍କାନାଳ,୦୬/୧୦:  କଳା, ସଂସ୍କୃତି ଓ  ପରମ୍ପରାର ମାଟି ଢେଙ୍କାନାଳ । ଏଠାରେ ପ୍ରତ୍ୟେକ ପର୍ବପର୍ବାଣି ସଂସ୍କୃତି ଓ ଭାଇଚାରା ମଧ୍ୟରେ ପାଳନ  କରାଯାଏ । ଆଜିଠୁ  ଢେଙ୍କାନାଳର ଗଣପର୍ବ ମା’ ଲକ୍ଷ୍ମୀଙ୍କ  ପୂଜା ଆରମ୍ଭ ହେବ । ଏହାକୁ  ନେଇ ଚଳଚଞ୍ଚଳ ପୂଜା ମଣ୍ଡପ । ମା'ଙ୍କ ଭବ୍ୟ  ଆଗମନ ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି  ପ୍ରସ୍ତୁତି ।

ସୋମବାର କଳସ ଯାତ୍ରା, ଆବାହନ  ଆଦି ପୂଜା କରାଯାଇ ସଂଧ୍ୟାରୁ ମା'ଙ୍କୁ ଚକ୍ଷୁଦାନ କରାଯିବା ପରେ ବିଧିବଦ୍ଧ ଭାବେ ପୂଜା ଚାଲିବ ।  ଏଥର ୯ ଦିନ ବ୍ୟାପୀ ମା'ଙ୍କର ମୃଣ୍ମୟୀ ମୂର୍ତ୍ତିକୁ  ପୂଜାର୍ଚ୍ଚନା କରାଯିବ । ୧୪ ତାରିଖ ଯାଏଁ ପୂଜା  ଚାଲିବ । ୧୫ ତାରିଖ ବୁଧବାର ଭସାଣି ଉତ୍ସବ  ଅନୁଷ୍ଠିତ ହେବ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ  ସମସ୍ତ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ଏକାଠି  ହୋଇ ଜୋରଦାର୍‌ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ।  ପ୍ରଶାସନ ଓ ପୁଲିସ୍‌ ପକ୍ଷରୁ ପୂଜାକୁ ଶାନ୍ତିଶୃଙ୍ଖଳାର  ସହ ସାରିବାକୁ ସମସ୍ତ ପ୍ରସ୍ତୁତି କରାଯାଇଛି । ମା'ଙ୍କର ମୃଣ୍ମୟୀ ମୂର୍ତ୍ତିରେ କାରିଗର ଶେଷସ୍ପର୍ଶ  ଦେଇ ସାରିଛନ୍ତି । ସୁଦୃଶ ତୋରଣ ଓ ରଙ୍ଗିନ୍‌  ଆଲୋକମାଳାରେ ସହର ସଜେଇ ହୋଇଛି ।

ସହରର ପ୍ରବେଶ ପଥ କଲେଜ୍‌ ବାଇପାସ୍‌ରୁ  ଆରମ୍ଭ କରି କୋରିଆଁ, ଭଗବାନପୁରଠାରୁ  ବନମାଳିପ୍ରସାଦ ପର୍ଯ୍ୟନ୍ତ ୩୮ ଗୋଟି ପୂଜାମଣ୍ଡପରେ  ଆବିର୍ଭାବ ହେବେ ମା' ପଦ୍ମାଳୟା । ସବୁଠି ଉତ୍ସାହ  ଓ ଉଦ୍ଦୀପନା ଦେଖାଦେଲାଣି । ପାର୍ବଣରେ ସମଗ୍ର  ସହର ଉତ୍ସବମୁଖର ହୋଇଉଠିଲାଣି । ରବିବାର  ଛୁଟି ଦିନ ଥିବାରୁ ସଂଧ୍ୟାରୁ ପୂଜା ବଜାରକୁ ବେଶ୍‌  ସରଗରମ କରିଦେଲାଣି । ମା’ଙ୍କୁ ସ୍ୱାଗତ ପାଇଁ  ରଙ୍ଗୀନ ଆଲୋକମାଳାରେ ନବବଧୂ ପରି ସଜେଇ  ହୋଇଛି ସମଗ୍ର ସହର । ଐତିହ୍ୟ, ପୌରାଣିକ ଏବଂ  ସାଂପ୍ରତିକ ବିଷୟବସ୍ତୁକୁ ଆଧାର କରି ଅଧିକାଂଶ  ପୂଜା ମଣ୍ଡପରେ ସାଜସଜ୍ଜା ହୋଇଛି । ଆଖି ଝଲସାଇ  ଦେବା ଭଳି ବିଜୁଳି ଆଲୋକ ଖଚିତ ହୋଇଛି ।  ମୀନା ବଜାର, କୈବଲ୍ୟ ବଜାର, ଗଣେଶ ବଜାର,  ଗୁଡି଼ଆନାଳୀ, ଲକ୍ଷ୍ମୀ ବଜାର, ଦେଉଳସାହି ପ୍ରମୁଖ  ପୂଜା ଅନୁଷ୍ଠାନଗୁଡ଼ିକ ପକ୍ଷରୁ ଚାନ୍ଦିମେଢ଼ କରାଯାଇଛି ।  ସେହିପରି ପ୍ରଥମଥର ପାଇଁ କାଞ୍ଚନ ବଜାର ପୂଜା  ମଣ୍ଡପରେ ଚଳିତବର୍ଷ ଚାନ୍ଦିମେଢ଼ ଶୋଭା ପାଇବ ।  ଏହା ବ୍ୟତିତ ଅଧିକାଂଶ ପ୍ରତିଷ୍ଠାନରେ ମହାଲକ୍ଷ୍ମୀଙ୍କ  ସୁନା, ରୁପାର ମୁକୁଟ ତିଆରି ହୋଇଛି ।

ଗଣେଶ  ବଜାର, ବସ୍‌ଷ୍ଟାଣ୍ଡ, ଲକ୍ଷ୍ମୀ ବଜାର ପ୍ରଭୃତି ପୂଜା  ପ୍ରତିଷ୍ଠାନ ପକ୍ଷରୁ ବିଶାଳ ତୋରଣ ନିର୍ମାଣ  କରାଯାଇଛି । ପୂଜା ପାଇଁ ବିଭିନ୍ନ ସ୍ଥାନରୁ ଆସିଥିବା  ଅସ୍ଥାୟୀ ଦୋକାନୀମାନେ ସେମାନଙ୍କ ପସରା  ମେଲାଇଲେଣି । ମନୋରଞ୍ଜନ ପାଇଁ ରଥଗଡ଼ା,  ମିନି ଷ୍ଟାଡିୟମ୍‌, ବି.ବି ହାଇସ୍କୁଲ୍‌, ଜୁବୁଲି ଟାଉନ୍‌  ଆଦି ପଡି଼ଆରେ ଭଳିକି ଭଳି ଦୋଳି ପଡ଼ିବା ପାଇଁ  ପ୍ରସ୍ତୁତି ଚାଲିଲାଣି । ବିଭିନ୍ନ ପ୍ରକାର ଖାଦ୍ୟର ପସରା,  ଢେଙ୍କାନାଳ ବରା, ହସ୍ତଶିଳ୍ପର ବିପଣନ ମୁଖ୍ୟ  ଆକର୍ଷଣ ପାଲଟିବ । ଚଳିତବର୍ଷ ପାଗ ଅନୁକୂଳ  ଦେଲେ ପୂଜା ବଜାରକୁ ସରଗରମ କରିବ ବୋଲି  ପୂଜା କମିଟି ତଥା ସହରବାସୀ ଆଶା ବାନ୍ଧିଛନ୍ତି । ସେହିପରି ୮ ତାରିଖ ବୁଧବାରଠାରୁ  ମହିଷାପାଟ ବାଇପାସ୍‌ ଛକ ନିକଟସ୍ଥ ପଡ଼ିଆଠାରେ  ପଲ୍ଲିଶ୍ରୀ ମେଳା ଆରମ୍ଭ ହେବ । ଏହା ୧୪  ତାରିଖ ପର୍ଯ୍ୟନ୍ତ ଚାଲିବ । ମେଳାରେ ଗ୍ରାମାଞ୍ଚଳ  କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପ,  ଘରୋଇ ଉପକରଣ ସାମଗ୍ରୀର ପ୍ରଦର୍ଶନୀ ସହିତ  ସ୍ୱାଦିଷ୍ଟ ଖାଦ୍ୟ ପ୍ରଦର୍ଶିତ ହେବ । ଏଥିଲାଗି ପ୍ରସ୍ତୁତି  ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପୂଜା ସମୟରେ  ଆଇନ୍‌ଶୃଙ୍ଖଳା ଓ ଟ୍ରାଫିକ୍‌ ପରିଚାଳନା ପାଇଁ ଜିଲ୍ଲା  ପୁଲିସ୍‌ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।  ସହରରେ ଘେରାଏ ବୁଲି ଆସିଲେ ପୂଜାର ମାହୋଲ  କିଭଳି ଅଛି ତାହା ବେଶ୍‌ ଅନୁଭବ କରି ହେଉଛି ।

ଚଳିତବର୍ଷ କାଞ୍ଚନ ବଜାର ପୂଜା ପ୍ରତିଷ୍ଠାନ  ୭୫ ବର୍ଷ ପୂର୍ତ୍ତି ଅବସରରେ ହୀରକ ଜୟନ୍ତୀ  ଉତ୍ସବ ପାଳନ କରିବାକୁ ଯାଉଛି । ଏଥିପାଇଁ ପୂଜା  ପ୍ରତିଷ୍ଠାନର କର୍ମକର୍ତ୍ତାମାନଙ୍କ ମଧ୍ୟରେ ବେଶ୍‌  ଉତ୍ସାହ ପ୍ରକାଶ ପାଇଛି । ପୂଜା କମିଟି ପକ୍ଷରୁ ଦୁର୍ଗ  ଶୈଳୀ ସଦୃଶ ତୋରଣ ନିର୍ମାଣ କରାଯାଇଛି ।  ପୂଜା ମଣ୍ଡପରେ ପୌରାଣିକ କଥାବସ୍ତୁକୁ ନେଇ  ଦୃଶ୍ୟ ପ୍ରଦର୍ଶିତ ହେବ । ଏହି ଅବସରରେ  ପୂଜା ପ୍ରତିଷ୍ଠାନ ପକ୍ଷରୁ ଆକର୍ଷଣୀୟ ସାଂସ୍କୃତିକ  କାର୍ଯ୍ୟକ୍ରମ ପରିବେଷଣ କରାଯିବାର ଯୋଜନା  ରହିଛି । ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ବିଭିନ୍ନ  ସଂଧ୍ୟାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏକତା, ସଂହତି  ଓ ଭାଇଚାରାର ନିଦର୍ଶନ ଢେଙ୍କାନାଳ ଲକ୍ଷ୍ମୀପୂଜା  ୮୩ ବର୍ଷରେ ପଦାର୍ପଣ କରିଛି । ପ୍ରଥମେ ଚାଳ  ଛପର ଘରେ ମାତ୍ର ୫ ଶହରୁ ୧ ହଜାରେ ଟଙ୍କାରେ  ପୂଜା ହେଉଥିବାବେଳେ ଏବେ ପ୍ରତିଯୋଗିତାମୂଳକ  ସାଜସଜ୍ଜାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି । ହିନ୍ଦୁମୁସଲମାନ, ଶିଖ୍‌ ସମସ୍ତ ସଂପ୍ରଦାୟର ବ୍ୟକ୍ତିବିଶେଷ  ଏକାଠି ହୋଇ ପୂଜାକୁ ଧୂମ୍‌ଧାମ୍‌ରେ ପାଳନ କରିବାକୁ  ଲାଗି ପଡ଼ିଛନ୍ତି । ଅଧିକାଂଶ ପୂଜା ମଣ୍ଡପରେ  ମୁସଲମାନର ସଂପ୍ରଦାୟର ନେତୃତ୍ୱ ନେଇ ସବୁ  କାର୍ଯ୍ୟ ପରିଚାଳନା କରୁଛନ୍ତି । ଚଳିତବର୍ଷ ଢେଙ୍କାନାଳ  ଲକ୍ଷ୍ମୀପୂଜାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ମାନ୍ୟତା ସ୍ୱରୂପ  ୩୮ଟି ପୂଜା ମଣ୍ଡପକୁ ୫୦ ହଜାର ଟଙ୍କା ଲେଖାଏଁ  କରି ୧୯ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଛି ।