ମୁମ୍ବାଇ ୧୯/୧୧: ଆସନ୍ତା ମାସ ସିନେମାଘରକୁ ଆସିବ ରଣବୀର ସିଂହଙ୍କ ‘ଧୁରନ୍ଧର୍’ । ଫିଲ୍ମର ଏକ ଦମଦାର ଟ୍ରେଲର୍ ଗତକାଲି (ନଭେମ୍ବର ୧୮) ସୋସିଆଲ ମିଡିଆରେ ରିଲିଜ୍ ହୋଇଛି । ମୁଖ୍ୟ ଭୂମିକାରେ ଅଛନ୍ତି ଅର୍ଜୁନ ରାମପାଲ, ଆର୍ ମାଧବନ, ସଞ୍ଜୟ ଦତ୍ତ ଓ ଅକ୍ଷୟ ଖନ୍ନା । ଏ ସମସ୍ତ ଷ୍ଟାର୍ ଫ୍ୟାନଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି, କିନ୍ତୁ ଫିଲ୍ମର ଲିଡ୍ ଲେଡି ସାରା ଅର୍ଜୁନଙ୍କ ବିଷୟରେ ଜାଣିବାକୁ ସମସ୍ତେ ଉତ୍ସାହିତ ।

୨୦୦୫ରେ ଜନ୍ମିତ ସାରା ଅର୍ଜୁନ ଲୋକପ୍ରିୟ ଅଭିନେତା ରାଜ୍ ଅର୍ଜୁନଙ୍କ ଝିଅ । ମାତ୍ର ୧୮ ମାସ ବୟସରେ ଏକ ଟିଭି ବିଜ୍ଞାପନ ଜରିଆରେ ସେ ପରଦାକୁ ଆସିଥିଲେ । ପରେ ୧୦୦ରୁ ଅଧିକ ବିଜ୍ଞାପନରେ କାମ କରି ସେ ଜଣେ ଚର୍ଚ୍ଚିତ ଶିଶୁ କଳାକାର ହୋଇଗଲେ । ମାତ୍ର ୬ ବର୍ଷ ବୟସରେ ତାମିଲ ଫିଲ୍ମ ‘ଦେବା ଥିରୁମଗଲ’ରେ ତାମିଲ ସୁପରଷ୍ଟାର ବିକ୍ରମଙ୍କ ଝିଅ ନୀଲା ଭୂମିକାରେ ଅଭିନୟ କରି ସେ ଖୁବ୍ ଖ୍ୟାତି ଅର୍ଜନ କଲେ । ୨୦୧୩ରେ ମୁକ୍ତିପ୍ରାପ୍ତ ‘ଏକ୍ ଥୀ ଡାୟନ୍’ ଜରିଆରେ ସାରା ବଲିଉଡରେ ଏଣ୍ଟ୍ରି କରିଥିଲେ ।

ତାଙ୍କର କିଛି ଉଲ୍ଲେଖନୀୟ ଫିଲ୍ମ ମଧ୍ୟରେ ‘ଶୈବମ୍’, ‘ସାଣ୍ଡ୍ କି ଆଁଖ୍’ ଓ ‘ପୋନିୟିନ ସେଲଭମ୍’ ସିରିଜ୍ ଆଦି ଅନ୍ୟତମ । ‘ଧୁରନ୍ଧର୍’ର ଟ୍ରେଲର୍ ଲଞ୍ଚ୍ ଅବସରରେ ସାରା ଫିଲ୍ମରେ କାମ କରିବାର ନିଜ ଅନୁଭବ ଶେୟାର କରିଛନ୍ତି । ଫିଲ୍ମରେ ତାଙ୍କୁ ସୁଯୋଗ ଦେଇଥିବାରୁ ସମସ୍ତଙ୍କୁ ସେ ଧନ୍ୟବାଦ ଦେଇଛନ୍ତି । ଫିଲ୍ମର ନିର୍ଦ୍ଦେଶକ ଆଦିତ୍ୟ ଧର୍ କହିଛନ୍ତି, ସାରାଙ୍କୁ ଚୟନ କରିବା ପୂର୍ବରୁ ଫିଲ୍ମ ଟିମ୍ ପ୍ରାୟ ୧୩୦୦ ଅଡିସନ୍ ନେଇଥିଲେ । ସାରା ଜଣେ ଚମତ୍କାର କଳାକାର । ସେ ଦିନେ ରକଷ୍ଟାର ହେବେ । ବାସ୍ତବ ଜୀବନର ଘଟଣାବଳୀ ଉପରେ ଆଧାରିତ ଏହି ଫିଲ୍ମ ଆସନ୍ତା ଡିସେମ୍ବର ୫ରେ ମୁକ୍ତିଲାଭ କରିବ ।