ଭୁବନେଶ୍ୱର, ୦୨/୧୨: ମୁଁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ,ବାଆଁରା ପକ୍ଷୀ... ତମେ ପଞ୍ଜୁରୀ ଦେଲ, ତମେ ଶିକୁଳି ଦେଲ, ତମେ ଆଧାର ଦେଲ.. ମୋତେ ପାଖକୁ ଡାକି... ମୁଁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ,ବାଆଁରା ପକ୍ଷୀ...

ଅଶି ଦଶକର ଓଡିଆ ଚଳଚ୍ଚିତ୍ର ଡୋରାର ଏହି ସୁପରହିଟ ଗୀତରେ ଝୁମିଥିଲେ ଦର୍ଶକ। ତାଳି ଓ ହୁଇସିଲରେ କମ୍ପିଥିଲା ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ-୨ ପ୍ରେକ୍ଷାଳୟ ମଞ୍ଚ। ଜଣେ ଭିନ୍ନକ୍ଷମ କଳାକାରଙ୍କ ଯାଦୁକରୀ ସ୍ୱର ସମସ୍ତଙ୍କୁ ବାନ୍ଧି ରଖିଥିଲା। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୫ର ଦ୍ଵିତୀୟ ଦିନର ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଶତାଧିକ ଭିନ୍ନକ୍ଷମ ଛାତ୍ରଛାତ୍ରୀ । ଗୀତ, ନାଚରେ ସମସ୍ତେ ଝୁମିଥିଲେ। ଏଥିସହ ଓଡ଼ିଶୀ, ସମ୍ବଲପୁରୀ ନୃତ୍ୟର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା।

ମଙ୍ଗଳବାର ଦ୍ୱିତୀୟ ଦିନରେ ସୋଆ କ୍ୟାମ୍ପସ ପ୍ରେକ୍ଷାଳୟରେ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ବିଭାଗୀୟ ସଚିବ ଆର.ଏସ. ଗୋପାଳନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ସ୍ୱାଭିମାନ ଫାଉଣ୍ଡେସନ ସିଇଓ ଡକ୍ଟର ଶ୍ରୁତି ମହାପାତ୍ର, ସୋଆ କୁଳପତି ପ୍ରଫେସର ପି.କେ ନନ୍ଦ, ଡକ୍ଟର ପତିତପାବନ ମହାନ୍ତି, ନିର୍ଦ୍ଦେଶକ, SVNIRTAR; ଏବଂ ନ୍ୟାୟମୂର୍ତ୍ତି ଦୁର୍ଗା ପ୍ରସନ୍ନ ଚୌଧୁରୀ, ଅଧ୍ୟକ୍ଷ, ଲିଙ୍ଗରାଜ ମନ୍ଦିର କମିଟି ପ୍ରମୁଖ ଯୋଗଦେଇ ଭିନ୍ନକ୍ଷମଙ୍କ ଅଧିକାର ଉପରେ ଆଲୋଚନା କରିଥିଲେ। ସାଇଟସେଭର୍ସ ଇଣ୍ଡିଆର କାର୍ଯ୍ୟକ୍ରମ ପରାମର୍ଶଦାତା କମିଟିର ସଦସ୍ୟ ଡକ୍ଟର ଗାରିମେଲା ସୁବ୍ରମଣ୍ୟମଙ୍କ ବାର୍ତ୍ତା ପଠନ ଆଲୋଚନା ଶେଷ ହୋଇଥିଲା।