ନୂଆପଡ଼ା, ୨୦/୦୩ : ବଦଳିବ ନୂଆପଡ଼ା ଭାଗ୍ୟ। ବିକଶିତ ହେବ ଦାଦନଗଡ଼। ନୂଆପଡ଼ା ବ୍ଲକ ମୋଟାନୂଆପଡ଼ା ପଞ୍ଚାୟତ କଲମିଦାଦର ଗାଁରେ ମିଳିଲା ହୀରାଖଣିର ସନ୍ଧାନ। ଗତ ୨୫ବର୍ଷ ତଳେ ଓଡ଼ିଶା-ଛତିଶଗଡ଼ ରାଜ୍ୟ ସୀମାନ୍ତ ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରୁ ୧୫କିମି ଦୂର କଲମିଦାଦର ଗାଁ କଲମି ଟେଙ୍କ ପଡ଼ିଆ ଜମିରେ ହୀରା ଖଣି ରହିଥିବା ସୂଚନା ମିଳିଥିଲା । ଏମିତିକି ସେହି ପାହାଡ଼ ଉପରେ ବ୍ୟବସାୟୀଙ୍କ ନଜର ପଡ଼ିଥିଲା । ପାହାଡ଼ ଏପଟେ ଓଡ଼ିଶା ଓ ସେପଟେ ଛତିଶଗଡ଼ ରାଜ୍ୟର ବ୍ୟବସାୟୀମାନେ ଅନଧିକାର କବଜା କରିଥିଲେ । ସେତିକିବେଳେ ଅଞ୍ଚଳର ଲୋକେ ବେଆଇନ ଭାବେ ଖନନ କରି କିଛି ହୀରା ପାଇଥିବା ଅଞ୍ଚଳବାସୀ କହିଛନ୍ତି । ଏବେବି ପାହାଡ଼ ଉପରେ ଅନେକ ଖାଲଖମା ରହିଛି । ୨୦୧୦ରେ ସେହି ଜଙ୍ଗଲକୁ ଅନେକ ଲୋକେ ଅନଧିକାର ଭାବେ ଦଖଲ କରି ମାଟି ଖୋଳିଥିଲେ ।
ଏହା ଏକ ମାଓପ୍ରବଣ ଅଞ୍ଚଳ । ମାଓ ଭୟରେ ପୁଲିସ, ଫରେଷ୍ଟ ଓ ରାଜସ୍ୱ ବିଭାଗ ଅଧିକାରୀ ଓ କର୍ମଚାରୀ ବି ଯାଉନଥିଲେ । ଜିଲ୍ଲାରେ ଖଣି ବିଭାଗ ଅଫିସ ବି ନଥିଲା । ଏହାର ସୁଯୋଗ ନେଇ ମାଫିଆମାନେ ବେଆଇନ ଲୁଟତରାଜ ଚଳାଇଥିଲେ । ସେଠାକାର ମାଟିକୁ ବସ୍ତାରେ ଭର୍ତ୍ତିକରି ବିକ୍ରି କରୁଥିଲେ । ଲୋକେ ସେହି ମାଟିକୁ କିଣି ନେଇ ପାଣିରେ ଧୋଇ ହୀରା ସଂଗ୍ରହ କରୁଥିଲେ । ଯାହାର ଭାଗ୍ୟରେ ଥିଲେ ହୀରା ମିଳୁଥିଲା । ନହେଲେ ଲୋକେ ଅଧିକ ଲୋଭ ଆଶାରେ କ୍ଷତିରେ ପଡ଼ୁଥିଲେ । ନୂଆପଡ଼ା ଜିଲ୍ଲା ଓ ଛତିଶଗଡ଼ ରାଜ୍ୟର ବେପାରୀମାନେ ସକ୍ରିୟ ଥିଲେ । ୨୦୧୭ରେ ଜିଲ୍ଲା ପ୍ରଶାସନ କର୍ଫ୍ୟୁ ଲଗାଇ ନିଷିଦ୍ଧାଞ୍ଚଳ ଘୋଷଣା କରିଥିଲା । ଏବେ ଖରିଆରରୋଡ଼ ସହରର ଜଣେ ବ୍ୟବସାୟୀ ପାହାଡ଼କୁ ଅନଧିକାର କବଜା କରିଛନ୍ତି ।
ବିଧାନସଭାରେ ରାଜ୍ୟ ସରକାରଙ୍କ ଖଣି ମନ୍ତ୍ରୀ ବିଭୁତି ଭୁଷଣ ଜେନା କହିଛନ୍ତି ଯେ, କଲମିଦାଦର ଗାଁ ଜଙ୍ଗଲରେ ହୀରା ପଥର ସନ୍ଧାନ ମିଳିଛି । ଏହାର ବୈଷୟିକ, ଅର୍ଥନୈତିକ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ମୂଲ୍ୟାୟନ କାର୍ଯ୍ୟ ଚାଲିଥିବା ଲିଖିତ ଉତ୍ତର ରଖିଛନ୍ତି । ଏବେ ନୂଆପଡ଼ାରେ ହୀରାଖଣି ସନ୍ଧାନ ପରେ ଜିଲ୍ଲାବାସୀ ଖୁସି ହୋଇଛନ୍ତି । ଏଠି ହୀରାଖଣି ଖନନ ହେବ, ଅଞ୍ଚଳର ଲୋକଙ୍କ ବିକାଶ ହେବ ବୋଲି ଭାବନା ଜାଗ୍ରତ ହୋଇଛି । ଆଗକୁ ନୂଆପଡ଼ାର ଭାଗ୍ୟ ବଦଳିବ ଓ ମରୁଡ଼ି ପ୍ରପିଡ଼ିତ ଅଞ୍ଚଳ ତଥା ଦାଦନ ଗଡ଼ ବିକଶିତ ହେବ ବୋଲି ଲୋକେ ଆଶା ବାନ୍ଧିଛନ୍ତି ।
ଏହି ଖବରଟିକୁ ପଢନ୍ତୁ- ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ସମୀକ୍ଷା ବୈଠକ, ତିଆରି ହେବ ମଡେଲ୍ କୁଲିଂ ସେଲଟର୍