ଭୁବନେଶ୍ବର, ୦୮/ ୧୨:   ରାଜ୍ୟର ସ୍ୱାସ୍ଥ୍ୟସେବା ଏବେ ଭଗବାନଙ୍କ ଭରସାରେ। ସରକାରୀ ଅବହେଳା ଓ ଅଣଦେଖାରୁ ପାଇଖାନାର ବର୍ଜ୍ୟଜଳ ନଦୀ ଓ ଜଳାଶୟରେ ମିଶୁଛି । ତାକୁ ବ୍ୟବହାର କରି ଲୋକ ରୋଗରେ ପଡ଼ୁଛନ୍ତି । ଡାକ୍ତରଖାନାରେ ଛଟପଟ ହେଉଛନ୍ତି । ପ୍ରଦୂଷିତ ପାଣି ବ୍ୟବହାର କରି ରାଜ୍ୟର ୫ ଜିଲ୍ଲାରେ ୪୨ ଲକ୍ଷ ୨୩ ହଜାର ୬୭୫ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଟାଇଫଏଡ୍‌ରେ ୪ ଲକ୍ଷ ୬୨ ହଜାର ୬୬୦, ହେପାଟାଇଟିସ୍‌ରେ ୧୨,୪୪୨ ସଂକ୍ରମିତ ହୋଇଥିଲେ । ୧୧, ୬୧୨ ଜଣ କିଡ୍‌ନୀ ରୋଗରେ ପଡ଼ି ଚିକିତ୍ସିତ ମଧ୍ୟ ହୋଇଥିଲେ । ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକଙ୍କ ଅଡିଟ୍‌ରେ ଏଭଳି ସଂଗୀନ୍‌ ଚିତ୍ର ପଦାକୁ ଆସିଛି । ରାଜ୍ୟରେ ମଣିଷ ସ୍ୱାସ୍ଥ୍ୟ ପାଇଁ ଦୂଷିତ ପାଣି ବଡ଼ ବିପଦ ଭାବେ ଆହ୍ୱାନ ଛିଡ଼ା କରାଇଛି । ୫ ମହାନଗର ନିଗମର ସ୍ୱେରେଜ ପରିଚାଳନା ବ୍ୟବସ୍ଥାର ସମୀକ୍ଷା ବେଳେ ସରକାରୀ କଳର ଅବହେଳା କିଭଳି ରୋଗ ବାଣ୍ଟି ଚାଲିଛି ତାହା ସିଏଜିଙ୍କ ସ୍କାନର୍‌ରେ ଧରାପଡ଼ିଛି । 

ଦୂଷିତ ପାଣିର ବ୍ୟବହାର ମଣିଷ ତଥା ପରିବେଶ ପାଇଁ ବଡ଼ ବିପଦ ଛିଡ଼ା କରାଇଥାଏ । ଚର୍ମ ରୋଗରୁ ଆରମ୍ଭ କରି ଶ୍ୱାସ, ମେରୁଦଣ୍ଡ, କର୍କଟ, ଗର୍ଭପାତ, ହୃଦ୍‌ ଓ କିଡନୀ ଭଳି ରୋଗ ସୃଷ୍ଟି କରାଏ । ଅଡିଟ୍‌ ପରେ ସିଏଜି ଦର୍ଶାଇଛନ୍ତି, ୫ ମହାନଗର ନିଗମରେ ଠିକଣା ଭାବେ ସ୍ୱରେଜ ବ୍ୟବସ୍ଥା ନାହିଁ । ଦୈନିକ ୫୫୮.୬୪ ନିୟୁତ ଲିଟର ଶୌଚାଳୟ ବର୍ଜ୍ୟ ବାହାରୁଥିଲା ବେଳେ ସଂଗ୍ରହ ହେଉଛି ମାତ୍ର ୫୨.୯୭ (୯.୪୮%) ନିୟୁତ ଲିଟର । ବଳକା ୫୦୫ ନିୟୁତ ଲିଟର ବର୍ଜ୍ୟ ଜଳାଶୟକୁ ଯାଉଛି । ଏହାର ଫଳ ହେଉଛି ଲକ୍ଷ ଲକ୍ଷ ଲୋକ ବିଭିନ୍ନ ସଂକ୍ରାମକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ୨୦୧୭ରୁ ୨୦୨୨ ମଧ୍ୟରେ ଗଞ୍ଜାମ, ଖୋର୍ଦ୍ଧା, ସୁନ୍ଦରଗଡ଼, କଟକ ଓ ସମ୍ବଲପୁର ଜିଲ୍ଲାରେ ଏତିକି ଲୋକ ଆକ୍ରାନ୍ତ ହୋଇଥିଲେ । ରିପୋର୍ଟ କହୁଛି, ଏ ପ୍ରଦୂଷିତ ଜଳରେ ବହୁ ପରିମାଣରେ ବିଷାକ୍ତ ତତ୍ତ୍ୱ ରହିଛି । ଏହା କେବଳ ଯେ ମଣିଷ ସ୍ୱାସ୍ଥ୍ୟକୁ ବିପଦ ପହଞ୍ଚାଉଛି ତା ନୁହେଁ ଜଳଜୀବଙ୍କ ସହ ପନିପରିବା ମଧ୍ୟ ପ୍ରଭାବିତ ହେଉଛି । ନମୁନା ପରୀକ୍ଷଣ ବେଳେ ଜଣାପଡ଼ିଛି, ଶାଗ, ବାଇଗଣ, ଧନିଆପତ୍ର, କୋବି ଓ ମୂଳାରେ ଭାରି ଧାତୁ ଅଧିକ ପରିମାଣରେ ଥିଲା ।

ଭାରତୀୟ କୃଷି ଗବେଷଣା ପରିଷଦ ଦର୍ଶାଇଛି ଯେ, ଅଧିକ ପ୍ରଦୂଷଣ ଯୋଗୁଁ ବହୁ ପରିମାଣର ମାଛଙ୍କ ମୃତ୍ୟୁ ହୋଇଛି । ଚିଲିକାର ମାଛରେ ଭାରି ଧାତୁର ମାତ୍ରା ମଧ୍ୟ ରହିଛି । ସ୍ୱେରେଜ ପ୍ରକଳ୍ପ କାମକୁ ଯେତିକି ଅଗ୍ରାଧିକାର ଦେବା କଥା ତାହା ମିଳିନି । ସମସ୍ତ ସ୍ୱେରେଜ ପ୍ରକଳ୍ପ ୯ରୁ ୧୪ ବର୍ଷ ଯାଏଁ ବିଳମ୍ବ ମଧ୍ୟ ହୋଇଛି । ସ୍ୱେରେଜ ପ୍ରକଳ୍ପ ପୂର୍ଣ୍ଣମାତ୍ରାରେ ସଂପୂର୍ଣ୍ଣ କରିନଥିବାରୁ ୫ ମହାନଗର ନିଗମରୁ ପରିବେଶ କ୍ଷତିବାବଦକୁ ୧୨୩୯ କୋଟିର କ୍ଷତିପୂରଣ ମଧ୍ୟ ଆଦାୟ ହୋଇନି । ଏ ନେଇ ନିୟମିତ ବୈଠକ ବସୁନି କି ସ୍ୱେରେଜର ତଦାରଖ ମଧ୍ୟ କରାଯାଉନି । ଏପରିକି ସ୍ୱେରେଜ୍‌ ପ୍ରକଳ୍ପ ଡିପିଆର୍‌ ପ୍ରସ୍ତ୍‌ୁତିରେ ତ୍ରୁଟି କାରଣରୁ ୩୦୪୫.୪୪ କୋଟି ଟଙ୍କାର ଅଧିକ ପାଣ୍ଠି ରାଜକୋଷରୁ ଖର୍ଚ୍ଚ ହୋଇଛି । ପ୍ରକଳ୍ପର ସ୍ଥାନ ପରିବର୍ତ୍ତନ ସହ ଅଧିକ ବିଳମ୍ବ କାରଣରୁ ରାଜକୋଷ ଉପରେ ଅତିରିକ୍ତ ଭାବେ ଅଧିକ ପ୍ରକଳ୍ପ ବ୍ୟୟ ଭାର ପଡ଼ିଛି ବୋଲି ସିଏଜି ସ୍ପଷ୍ଟ କରିଛନ୍ତି ।