ଭୁବନେଶ୍ୱର, ୧୮/୬ : ସପ୍ତାହେ ହେଲାଣି ରାଜ୍ୟର ୯ ଜିଲ୍ଲାରେ ଝାଡ଼ାବାନ୍ତି ସଂକ୍ରମଣ ଥମିବାର ନାଁ ଧରୁନି । ପ୍ରତିଦିନ ନୂଆ ଝାଡ଼ାବାନ୍ତି ରୋଗୀ ଚିହ୍ନଟ ହେଉଛନ୍ତି । ପ୍ରଭାବିତ ଜିଲ୍ଲାକୁ ବାଦ ଦେଇ ଅନ୍ୟ ଜିଲ୍ଲାରେ ଯେପରି ଝାଡ଼ାବାନ୍ତି ନ ବ୍ୟାପିବ ସେଥିପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । ସମସ୍ତ ଜିଲ୍ଲାକୁ ‘ହାଇଆଲର୍ଟ’ରେ ରଖିଛନ୍ତି । ସ୍ଥିତି ନେଇ ରାଜ୍ୟ ଓ ଜିଲ୍ଲାସ୍ତରରେ ଘନ ଘନ ସମୀକ୍ଷା ଚାଲିଛି । ସଂକ୍ରମିତ ଜିଲ୍ଲାରେ ଡାକ୍ତରୀ ଟିମ୍ ସହିତ ବିଶେଷଜ୍ଞ ଦଳ ମୁତୟନ ହୋଇଛନ୍ତି । ଗତକାଲି ୨୯୮ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରେ ମଙ୍ଗଳବାର ୧୮୫ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଗୁରୁତର ଅବସ୍ଥାରେ ୧୫ ରୋଗୀଙ୍କୁ କଟକ ଏସ୍ସିବିକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି ।
ବର୍ତ୍ତମାନ ସୁଦ୍ଧା ୧୭୨ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୯୩ ଜଣ ଚିକିତ୍ସିତ ହେଉଛନ୍ତି । ସୁକିନ୍ଦା, ଦାନାଗଦି, କୋରେଇ, ଧର୍ମଶାଳା, ରସୁଲପୁର ଓ ଯାଜପୁର ସମେତ ଦୁଇ ପୌରପାଳିକାରେ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧୮ ଜଣଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ଏଠାରେ ସ୍ୱାସ୍ଥ୍ୟ ଟିମ୍ ଡ଼େରା ପକାଇ ରହିଥିବା ବେଳେ କେନ୍ଦ୍ରୀୟ ବିଶେଷଜ୍ଞ ଦଳ ସମୀକ୍ଷା କରୁଛନ୍ତି । ଢେଙ୍କାନାଳ ଜିଲ୍ଲା ଭୁବନରେ ୨ ଓ ଗଁଦିଆରେ ୭ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨ଜଣ ଚିକିତ୍ସିତ ଅଛନ୍ତି । ଭଦ୍ରକରେ ଆଜି ନୂଆ ୬୯ ରୋଗୀ ଚିହ୍ନଟ ହୋଇଛନ୍ତି । ୧୧ ଜଣ ରୋଗୀ ଚିକିତ୍ସାଧିନ ଅଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଜିଲ୍ଲାଗସ୍ତ କରି ରୋଗୀଙ୍କୁ ଭେଟିଛନ୍ତି । କଟକ ଜିଲ୍ଲା ଟାଙ୍ଗୀରେ ୪, ବାଙ୍କୀରେ ୫ ଓ ମାହାଙ୍ଗାରେ ପ୍ରାୟ ୧୦ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦ୍ରାପଡ଼ାରେ ନୂଆ କରି ୭ ଜଣ ଚିହ୍ନଟ ହୋଇଛନ୍ତି । ସେଠାରେ ବର୍ତ୍ତମାନ ୨୭ଜଣ ଚିକିତ୍ସିତ ଅଛନ୍ତି । କେନ୍ଦୁଝରରେ ଆଜି ୭ ନୂଆ ରୋଗୀ ଚିହ୍ନଟ ହୋଇଥିଲା ବେଳେ ୨୭ ଚିକିତ୍ସିତ ଅଛନ୍ତି ।
ମଙ୍ଗଳବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଯାଜପୁର, କେନ୍ଦୁଝର, ଭଦ୍ରକ, କଟକ, ଢେଙ୍କାନାଳ ଜିଲ୍ଲା ଡାଇରିଆ ସ୍ଥିତି ସମୀକ୍ଷା କରିଛନ୍ତି । ଆଗକୁ ମୌସୁମୀ ବର୍ଷାରେ ଜଳ ସଂକ୍ରମଣ ସମ୍ଭାବନା ରହିଛି । ନିୟମିତ ବ୍ୟବଧାନରେ ଜଳ ଉତ୍ସକୁ ବିଶୋଧନ ଓ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ସେ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି, ଯାଜପୁର ଜିଲ୍ଲାରେ ନୂଆ ରୋଗୀ ସଂଖ୍ୟା ୬୪ ଥିବା ବେଳେ ସେଥିରୁ ୪୫ ଜଣ ସୁସ୍ଥ ହୋଇଛନ୍ତି । ଗତକାଲି ସୁଦ୍ଧା ଏହି ଜିଲ୍ଲାରେ ୨୧୦ ଜଣ ଚିକିତ୍ସାଧିନ ଅଛନ୍ତି । କେନ୍ଦୁଝର ଜିଲ୍ଲାରେ ୮୨, କଟକ ଜିଲ୍ଲାରେ ୧୪୫, ଢ଼େଙ୍କାନାଳ ଜିଲ୍ଲାରେ ୬୫, ଭଦ୍ରକ ଜିଲ୍ଲାରେ ୭୩ ଏହିପରି ମୋଟ ୪୨୯ ଜଣ ଡାଇରିଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବିଭିନ୍ନ ଜିଲ୍ଲାରେ ମୋଟ ୧୧ ଜଣଙ୍କ ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ସଚିବ ଅଶ୍ୱସ୍ତି ଏସ୍ ଜଣାଇଛନ୍ତି ଯେ, ଡାଇରିଆ ସ୍ଥିତିର ନିୟନ୍ତ୍ରଣ ପାଇଁ ବେସରକାରୀ ଓ ସରକାରୀ କୂପ ଆଦିକୁ ନିୟମିତ ଭାବେ ବିଶୋଧନ କରାଯାଉଛି । ପ୍ରତିଦିନ ରାଜ୍ୟସ୍ତରୀୟ କମିଟି ସ୍ଥିତି ସମୀକ୍ଷା କରୁଛନ୍ତି । ପ୍ରଭାବିତ ଜିଲ୍ଲାମାନଙ୍କରେ ୨୪ ଘଣ୍ଟିଆ ନିୟନ୍ତ୍ରଣ ଓ ପରିଚାଳନା କକ୍ଷ କାର୍ଯ୍ୟ କରୁଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ ବିଭିନ୍ନ ଜିଲ୍ଲା ଗସ୍ତ କରି ଏହା ମହାମାରୀ ନୁହେଁ ବୋଲି କହିଛନ୍ତି । ମଙ୍ଗଳବାର ଶାସନ ସଚିବ ଅଶ୍ୱତୀ ଏସ୍ଙ୍କ ନିର୍ଦ୍ଦେଶ କ୍ରମେ ୪ଟି ରାଜ୍ୟସ୍ତରୀୟ ଟିମଙ୍କୁ କ୍ଷେତ୍ରସ୍ତରୀୟ କାର୍ଯ୍ୟାୟନ ଦେଖିବା ପାଇଁ ପଠା ଯାଇଛି । ସ୍ୱାସ୍ଥ୍ୟ ବିଭାଗ ବରିଷ୍ଠ ଅଧିକାରୀ, ବିଶେଷଜ୍ଞ ଓ ପରାମର୍ଶଦାତାଙ୍କୁ ନେଇ ଏହି ଟିମ୍ ଗଠନ କରାଯାଇଛି । ସେହିପରି ଯାଜପୁର ଜିଲ୍ଲାରେ ଡାଇରିଆ ସ୍ଥିତି ମୁକାବିଲା ଏବଂ ନିୟନ୍ତ୍ରଣ ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନ୍ଏଚ୍ଏମ୍) ପକ୍ଷରୁ ଅଧିକ ଡାକ୍ତର ଏବଂ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଟିମ୍ ମୁତୟନ କରାଯାଇଛି । ପ୍ରଭାବିତ ଅଞ୍ଚଳରେ ଅତିରିକ୍ତ ୪୫ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି । ବର୍ତ୍ତମାନ ୪୦ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଟିମ୍ କାର୍ଯ୍ୟରତ ଅଛିନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ସମନ୍ୱୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।