ଭୁବନେଶ୍ୱର, ୨୯/୦୩: ଉଇର ଭୟ ନାହିଁ କି  ସହଜରେ ନଷ୍ଟ ହେବାର ଚିନ୍ତା । ବର୍ଷ ବର୍ଷ ଧରି ସେମିତି  ପଡ଼ିଥିବ । କାଗଜ ଓ ତାଳପତ୍ର ପୋଥିରେ ବନ୍ଧା ପଡ଼ିଥିବା  ପ୍ରାଚୀନ ଗ୍ରନ୍ଥ ଓ ଗ୍ରନ୍ଥାବଳୀ ଏବେ ଡିଜିଟାଇଜେସନ୍‌ ରୂପରେ । ଯିଏ, ଯେତେବେଳେ ଯେଉଁଠି, ଯେମିତି ଚାହିଁବ, ସହଜରେ ଏହାକୁ ପାଇପାରିବ । ବିଭିନ୍ନ ୱେବ୍‌ସାଇଟ୍‌ ଖୋଲିଲେ ମିଳିବ ଓଡ଼ିଶାର ପ୍ରାଚୀନ ଗ୍ରନ୍ଥ । ଆମ ପରମ୍ପରା, ଐତିହ୍ୟ, ପୁରାଣ ସବୁ ଏବେ ଡିଜିଟାଇଜ୍‌ଡ ମାଧ୍ୟମରେ  ପର ପିଢ଼ି ପାଇଁ ସାଇତା ହେଉଛି । ଏହାଦ୍ୱାରା ଆମ ଭାଷା,  ସାହିତ୍ୟ ଓ ସଂସ୍କୃତିକୁ ବିଶ୍ୱବାସୀ ଜାଣିବେ । ଆଗକୁ ଯିବ  ଓଡ଼ିଆ ଅସ୍ମିତା । ସେଥିଲାଗି ଓଡ଼ିଆ ଭାଷା, ସାହିତ୍ୟ ଓ  ସଂସ୍କୃତି ବିଭାଗ ଅଧୀନ ଓଡ଼ିଶା ରାଜ୍ୟ ଅଭିଲେଖାଗାର ଓ  ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଗ୍ରନ୍ଥାଗାରରେ ଗଚ୍ଛିତ ପ୍ରାଚୀନ  ଓଡ଼ିଆ ଗ୍ରନ୍ଥ ଓ ଗନ୍ଥାବଳୀଗୁଡ଼ିକୁ ସଂରକ୍ଷଣ କରାଯାଉଛି ।  

ରାଜ୍ୟ ସଂଗ୍ରହାଳୟରେ ଅଦ୍ୟାବଧି ୫ ହଜାର ଗ୍ରନ୍ଥକୁ ବନେ୍ଧଇ କରାଯାଇ ରାସାୟନିକ ପଦ୍ଧତିରେ  ସଂରକ୍ଷିତ କରାଯାଇଛି । କ୍ରମାଗତ ଭାବେ ଏହି  ପ୍ରକ୍ରିୟା ଚାଲୁ ରହିଛି । ଭବିଷ୍ୟତରେ ବାହ୍ୟ ସଂରକ୍ଷଣ ସଂସ୍ଥା ମାଧ୍ୟମରେ ସଂଗ୍ରହାଳୟରେ ଥିବା ପ୍ରାଚୀନ  ଓଡ଼ିଆ ଗ୍ରନ୍ଥ ଓ ଗ୍ରନ୍ଥାବଳୀକୁ ସ୍କାନିଂ କରାଯିବା ସଙ୍ଗେ ସଙ୍ଗେ ବନେ୍ଧଇ କରାଯିବାର ଯୋଜନା ରହିଛି । ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ଅଦ୍ୟାବଧି  ୧୧୨ଟି ଗ୍ରନ୍ଥ ଓ ଗ୍ରନ୍ଥାବଳୀକୁ ଡିଜିଟାଇଜେସନ୍‌  ପଦ୍ଧତିରେ ସଂରକ୍ଷଣ କରାଯାଇଛି । ଏହାକୁ ନିଜସ୍ୱ  ୱେବ୍‌ ପୋର୍ଟାଲ୍‌ ମାଧ୍ୟମରେ ଉତ୍ତର ପିଢ଼ି ପାଇଁ  ଉପଲବ୍ଧ କରାଇବା ନିମନ୍ତେ ପଦକ୍ଷେପ ନିଆଯାଉଛି ।  

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରକାଶିତ  ୫୫ ଖଣ୍ଡ ପୁସ୍ତକ ଏବଂ ତ୍ରୈମାସିକ ସାହିତ୍ୟ ମୁଖପତ୍ର  ‘କୋଣାର୍କ’ ପତ୍ରିକାର ୧୭୭ତମ ସଂଖ୍ୟା ପର୍ଯ୍ୟନ୍ତ  ଓଡ଼ିଶା ଭର୍ଚୁଆଲ୍‌ ଏକାଡେମୀ ଦ୍ୱାରା ଡିଜିଟାଇଜେସନ୍‌  କରାଯାଇଛି । ଏହା ଏକାଡେମୀ ୱେବ୍‌ସାଇଟ୍‌ରେ ପଡ଼ୋଶୀ  ରାଜ୍ୟ ତଥା ବିଦେଶରେ ରହୁଥିବା ଓଡ଼ିଆଙ୍କ ପାଠକୀୟ  ଆବଶ୍ୟକତାକୁ ପୂରଣ ନିମନ୍ତେ ଉପଲବ୍ଧ କରାଯାଇଛି । ଆଗକୁ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶିତ  ପୁସ୍ତକଗୁଡ଼ିକ ଡିଜିଟାଇଜେସନ୍‌ ମାଧ୍ୟମରେ ସଂରକ୍ଷଣ  କରାଯିବା ଦିଗରେ ପଦକ୍ଷେପ ନିଆଯାଉଛି । ଏକାଡେମୀ ପକ୍ଷରୁ ପ୍ରାଚୀନ ଓଡ଼ିଆ ଗ୍ରନ୍ଥ ଓ ଗ୍ରନ୍ଥାବଳୀ ଗୁଡ଼ିକର  ଯଥାବିଧି ସଂରକ୍ଷଣ କରାଯିବା ଦିଗରେ ପ୍ରସ୍ତାବ  ଆସିଲେ ଯଥାବିଧି କାର୍ଯ୍ୟକାରୀ କରାଯିବା ନିମନ୍ତେ  ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଓଡ଼ିଆ ଭାଷା,  ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି। ଗତ ୨୧ ତାରିଖରେ ବିଧାନସଭାରେ  ଏହା ଉପରେ ଆଲୋଚନା ହୋଇଛି । ବିଧାୟିକା  ସୁବାସିନୀ ଜେନାଙ୍କ ଏ ସମ୍ପର୍କିତ ଏକ ପ୍ରଶ୍ନରେ  ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉତ୍ତର ରଖିଥିଲେ ।

ଡିଭିଡି ଫର୍ମାଟ୍‌ରେ ୨୦ ହଜାର ପୋଥି, ପ୍ରତିଷ୍ଠା ହେବ ବିଶ୍ୱସ୍ତରୀୟ ପୋଥି ସଂଗ୍ରହାଳୟ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡ଼ିଶା ରାଜ୍ୟ  ସଂଗ୍ରହାଳୟରେ ୨୭ଟି ବିଷୟ ଉପରେ ଆଧାରିତ ୨୦ ହଜାର ୨୯୩ଟି ପ୍ରାଚୀନ  ପୋଥି ରଖାଯାଇଛି । ଏସବୁ ଭିତରେ ଓଡ଼ିଆ ପୁରାଣ, ବେଦ, ଆୟୁର୍ବେଦ,  ଗଣିତ, ଜ୍ୟୋତିଷ, ବ୍ୟାକରଣ, ଦର୍ଶନ, ଅଭିଧାନ, ତନ୍ତ୍ର, ଧର୍ମଶାସ୍ତ୍ର, ବାସ୍ତୁଶାସ୍ତ୍ର  (ଶିଳ୍ପ), ଓଡ଼ିଆ କାବ୍ୟ, ଓଡ଼ିଆ ଇତିହାସ କାବ୍ୟ, ଓଡ଼ିଆ କାଗଜ ପୋଥି,  ସଂସ୍କୃତ କାଗଜ ପୋଥି, କପି ପୋଥି, ଚିତ୍ର ପୋଥି, ପାର୍ସୀ, ହିନ୍ଦୀ, ସଂସ୍କୃତ  ଅଳଙ୍କାର, ସଂସ୍କୃତ କାବ୍ୟ, ସଙ୍ଗୀତ, ଓଡ଼ିଆ ଗଦ୍ୟ, ସାହିତ୍ୟ, ତେଲୁଗୁ,  ସଂସ୍କୃତ ପୁରାଣ ଓ ପୋଥି ରହିଛି । ପୁରାତନ ପୋଥିର ଡିଜିଟାଇଜେସନ୍‌  କରାଯାଇ ସମସ୍ତ ପୋଥିକୁ ଡିଭିଡି ଫର୍ମାଟ୍‌ରେ ସଂରକ୍ଷଣ କରାଯାଇଛି । ୨୦୧୫ ମସିହାରେ ଏହାର ଅଡିଟ୍‌ କରାଯାଇଛି । 

ଓଡ଼ିଶା ସରକାର ମଧ୍ୟ ଏସବୁ ବିରଳ  ଓ ପ୍ରାଚୀନ ପୋଥିକୁ ନେଇ ବିଶ୍ୱସ୍ତରୀୟ ତାଳପତ୍ର ପୋଥି ସଂଗ୍ରହାଳୟ ପ୍ରତିଷ୍ଠା  କରିବାକୁ ଯାଉଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ବ୍ୟୟବରାଦ ମଧ୍ୟ ହୋଇଛି । ବିଶେଷକରି  ରାଜ୍ୟ ସଂଗ୍ରହାଳୟରେ ଥିବା ମୂଲ୍ୟବାନ ବିରଳ ସଂଗ୍ରହ ମଧ୍ୟରେ ତାଳପତ୍ରର  ପାଣ୍ଡୁଲିପିଗୁଡ଼ିକ ଜାତୀୟସ୍ତରରେ ସୁନାମ ଅର୍ଜନ କରିଛି । ସଂଗ୍ରହାଳୟରେ ସ୍ୱତନ୍ତ୍ର  ପୋଥି ବିଭାଗ ରହିବା ସହ ମଝିରେ ପୋଥି ସଂରକ୍ଷଣକୁ ନେଇ କର୍ମଶାଳା ଏବଂ  ବିଭିନ୍ନ ପ୍ରଦର୍ଶନୀମାନ ହୋଇ ଆସୁଛି । ଏହା ଉପରେ ବି ଗତ ୨୧ ତାରିଖରେ  ବିଧାନସଭାରେ ଆଲୋଚନା ହୋଇଛି । ବିଧାୟକ ଓମ୍‌ପ୍ରକାଶ ମିଶ୍ରଙ୍କ ପ୍ରଶ୍ନରେ  ଉତ୍ତର ଦେଇଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।